ମହାନ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ଜୟନ୍ତୀ ପାଳନ କଲା ବିଜେପି

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ଆଜାଦ ହିନ୍ଦ ଫୌଜର ପ୍ରତିଷ୍ଠାତା ସୁବାଷ ଚନ୍ଦ୍ର ବୋଷଙ୍କ ୧୨୬ତମ ଓ ବୀର ସୁରେନ୍ଦ୍ର ସାଏଙ୍କ ୨୧୩ତମ ଜନ୍ମଜୟନ୍ତୀ । ଏହି ଅବସରରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଭୁବନେଶ୍ୱରର ରସୁଲଗଡ ଛକରେ ଥିବା ନେତାଜୀଙ୍କ ପ୍ରତିମୂର୍ତି ଏବଂ ଭିଏସଏସ ନଗରଠାରେ ଥିବା ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି । ଦୁଇ ଓଡିଆ ପୁଅ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ଦେଶମାତୃକା ପାଇଁ ତ୍ୟାଗ, ବଳିଦାନ, ବୀରତ୍ୱ, ନେତୃତ୍ୱ ଓ ପରାକ୍ରମ ନିଶ୍ଚିତ ଭାବେ ଆଗାମୀ ଯୁବପିଢୀଙ୍କ ପାଇଁ ପ୍ରେରଣାର ଉତ୍ସ ।

ଆଜିର ଦିବସକୁ ଦେଶବ୍ୟାପୀ ପରାକ୍ରମ ଦିବସ ଭାବେ ପାଳନ କରୁଥିବାରୁ ଆମେ ଗର୍ବିତ ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି । ଆଜିର ଦିବସଟି ଆମ ସମସ୍ତଙ୍କ ପାଇଁ ଗୈାରବର ଦିନ । ଦୁଇ ମହାନ ସଂଗ୍ରାମୀଙ୍କ ଜୟନ୍ତୀ ପାଳନ କରାଯାଉଥିବାବେଳେ ରାଜଧାନୀ ଦିଲ୍ଲୀସ୍ଥିତ ଇଣ୍ଡିଆ ଗେଟ୍‌ରେ ନେତାଜୀଙ୍କ ପ୍ରତିମୂର୍ତି ସ୍ଥାପନ କରାଯାଇଛି । ଏନେଇ ଯଶ୍ୱସୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ରାଜ୍ୟ ସଭାପତି ଶ୍ରୀ ମହାନ୍ତି ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି ।

ଦେଶମାତୃକାର ସେବା କରିବା ଓ ବ୍ରିଟିଶ ଶାସନ ବିରୁଦ୍ଧରେ ଲଢେଇ କରିବା ପାଇଁ ବିଳାସପୂର୍ଣ୍ଣ ଜୀବନଯାପନକୁ ପରିତ୍ୟାଗ କରି ଆଗେଇ ଆସିଥିବା ଉଚ୍ଚଶିକ୍ଷିତ, ମେଧାବୀ, ବିଚକ୍ଷଣ ବୁଦ୍ଧି, ଜ୍ଞାନର ଅଧିକାରୀ ନେତାଜୀ ସୁବାଷ ଚନ୍ଦ୍ର ବୋଷ କେବଳ ଭାରତରେ ନୁହେଁ ଭାରତ ଆର୍ନ୍ତଜାତୀୟ ସ୍ତରରେ ମଧ୍ୟ ନିଜ ପରାକ୍ରମତାର ପରିଚୟ ଦେଇଥିଲେ ବୋଲି ଆଜି ଶ୍ରୀ ମହାନ୍ତି କହିଛନ୍ତି ।

ଇଂଗ୍ରେଜମାନଙ୍କ କବଳରୁ ଭାରତକୁ ରକ୍ଷା କରିବାରେ ୨ଜଣ ବୀର ମହାପୁରୁଷଙ୍କ ଅବଦାନ ଚିରସ୍ମରଣୀୟ । ଆଜିର ଯୁବପିଢ଼ୀ ଦୁଇ ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ମୃତିକୁ ମନେ ପକାଇ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହେବା ଦରକାର । ସେହିପରି ବୀର ସୁରେନ୍ଦ୍ର ସାଏ ମଧ୍ୟ ୨୦ବର୍ଷ ଧରି ବ୍ରିଟିଶମାନଙ୍କ ବିରୁଦ୍ଧରେ ସଂଗ୍ରାମ ଜାରି ରଖିଥିଲେ । ସୁରେନ୍ଦ୍ର ସାଏଙ୍କ ସଙ୍ଗଠନ ଶକ୍ତି, ଅସୀମ ପରାକ୍ରମ, ଅସାଧାରଣ ରଣକୌଶଳରେ ବ୍ରିଟିଶଙ୍କୁ ବିପଦରେ ପକାଉଥିଲା ବୋଲି ଶ୍ରୀ ମହାନ୍ତି କହିଛନ୍ତି । ଏହି ଶ୍ରଦ୍ଧାଞ୍ଜଳୀ କାର୍ଯ୍ୟକ୍ରମରେ ଓବିସି ମୋର୍ଚ୍ଚା ଜିଲ୍ଲା ସଭାପତି ସୁରଥ ବିଶ୍ୱାଳ, ରାଜ୍ୟ ମୁଖପାତ୍ର ସୁଦୀପ୍ତ ରାୟ, ଦିଲ୍ଲୀପ ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ଜିଲ୍ଲା ସଭାପତି ବାବୁ ସିଂ ସମେତ ରାଜ୍ୟ ତଥା ଜିଲ୍ଲାର ବହୁ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।

Leave A Reply

Your email address will not be published.