ପଟିଆ ଦୁଷ୍କର୍ମ ନାବାଳିକା ପିଡୀତାଙ୍କ ପରିବାରକୁ ଭେଟିଲା ବିଜେପି ମହିଳାମୋର୍ଚ୍ଚା ପ୍ରତିନିଧି ମଣ୍ଡଳୀ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଓଡିଶାରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ଥିବାବେଳେ ପୋଲିସ ପ୍ରଶାସନ ନିରବ ଦ୍ରଷ୍ଟା ସାଜିଛି । ବାରମ୍ବାର ମହିଳାଙ୍କୁ ଅପହରଣ, ଦୁଷ୍କର୍ମ ଓ ହତ୍ୟା କରାଯାଉଥିବାରୁ ପୋଲିସ ବିଭାଗର ନିସ୍କ୍ରିୟତା ଦାଣ୍ଡରେ ପଡି ହାଟରେ ଗଡୁଛି । ପୋଲିସ ବିଭାଗରେ କର୍ମଚାରୀ ନାହାନ୍ତି କହି ପୋଲିସ ଦୋଷ ଠେଲୁଥିବାବେଳେ ନିଜେ ମୁଖ୍ୟମନ୍ତ୍ରୀ ଗୃହ ବିଭାଗର ଦାୟିତ୍ୱ ନେଇ ମହିଳାଙ୍କ ପ୍ରତି ଅନ୍ୟାୟକୁ ଦେଖି ଖୁସି ହେବା ସହ ରାଜ୍ୟବାସୀଙ୍କୁ “ଆପଣମାନେ ଖୁସି ତ?” ପଚାରିବା ଲଜ୍ଜ୍ୟା ଓ ତାଚ୍ଛଲ୍ୟର ବିଷୟ । ଓଡ଼ିଶାରେ ଏସବୁ କାର୍ଯ୍ୟ ଖୁଲମ ଖୁଲା ହେଉଥିଲେ ବି ରାଜ୍ୟ ସରକାର, କମିଶନରେଟ ପୋଲିସ ଓ ଜିଆରପିର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏବେ ରାଜଧାନୀରେ ହକି ବିଶ୍ୱକପ୍ ଚାଲିଥିବାରୁ ରାଜ୍ୟ ସରକାର ତ୍ରିସ୍ତରୀୟ ସୁରକ୍ଷାବଳୟ କରିଛନ୍ତି, କିନ୍ତୁ ମହିଳା ଦୁଷ୍କର୍ମ ଓ ହତ୍ୟା କିଭଳି ଘଟୁଛି ତାହା ପରିତାପର ବିଷୟ । ରାଜ୍ୟ ସରକାର ମିଥ୍ୟା ସର୍ଭେ କରି କହିଛନ୍ତି ଯେ, ରାଜ୍ୟରେ ମୋ ସରକାର ଉପରେ ୯୫% ଲୋକ ଖୁସି ଅଛନ୍ତି । ମହିଳାଙ୍କୁ ସ୍ୱାବଲମ୍ବୀ କରିବା କଥା କହୁଥିବା ରାଜ୍ୟ ସରକାର ମହିଳାଙ୍କ ଦୁଷ୍କର୍ମ ଓ ମୃତ୍ୟୁ ଲାଗି ସମ୍ପୂର୍ଣ୍ଣ ଦାୟୀ ବୋଲି ବିଜେପି ମହିଳାମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ କହିଛନ୍ତି ।

ଏନସିଆରବି ରିପୋର୍ଟ ଅନୁଯାୟୀ ଓଡ଼ିଶାରେ ଅପହରଣ, ଦୁଷ୍କର୍ମ ଓ ହତ୍ୟାରେ ୨୩ବର୍ଷର ନବୀନ ସରକାର ସର୍ବାଗ୍ରେ ରହିଛନ୍ତି । ନବୀନ ବାବୁ ମହିଳାଙ୍କ ମୃତ୍ୟୁ କିମ୍ବା ଦୋଷୀଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ନନେଇ ଚୁପ୍ ବସିବା ଆଶ୍ଚର୍ଯ୍ୟର ବିଷୟ ବୋଲି ଶ୍ରୀମତୀ ପଟ୍ଟନାୟକ କହିଛନ୍ତି । ଆଜି ବିଜେପି ମହିଳାମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକଙ୍କ ନେତୃତ୍ୱରେ ୫ଜଣିଆ ପ୍ରତିନିଧି ମଣ୍ଡଳୀ ପଟିଆ ରେଲୱେ ଷ୍ଟେସନ ନିକଟରେ ଦୁଷ୍କର୍ମର ଶିକାର ହୋଇଥିବା ନାବାଳିକା ଦ୍ୱୟଙ୍କ ପରିବାର ଲୋକଙ୍କ ସହ କଥାହେବା ସହିତ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛି । ରାଜ୍ୟ ସରକାର ମହିଳା ସୁରକ୍ଷା ପ୍ରତି ଯଦି ପଦକ୍ଷେପ ନନିଅନ୍ତି ତାହାଲେ ଆଗାମୀ ଦିନରେ ବିଜେପି ମହିଳାମୋର୍ଚ୍ଚା ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି ।

ଏହି ପ୍ରତିନିଧିମଣ୍ଡଳୀରେ ବିଜେପି ରାଜ୍ୟ ମୁଖପାତ୍ର ଦିଲ୍ଲୀପ ମହାନ୍ତି, ମହିଳା ମୋର୍ଚ୍ଚା ରାଜ୍ୟ ଉପସଭାନେତ୍ରୀ କସ୍ତୁରୀ ମିଶ୍ର, ମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ସୁଭାଷିନି ପୃଷ୍ଟି ଓ ରଶ୍ମୀମୟୀ ପଟ୍ଟନାୟକ, ମହିଳାମୋର୍ଚ୍ଚା ଗଣମାଧ୍ୟମ ମୁଖ୍ୟ ସୁଚରିତା ଜେନାମଣି, ଜିଲ୍ଲା ମହିଳାମୋର୍ଚ୍ଚା ସଭାନେତ୍ରୀ ମନ୍ଦାକିନୀ ପାତ୍ର, ଜିଲ୍ଲା ଉପସଭାନେତ୍ରୀ ତୃପ୍ତିମୟୀ ମକଦ୍ଦମ ଓ ମାନସୀ ରଞ୍ଜନ ରାୟପାଢ଼ୀ, ଲିପା ଦାଶ, ଗୀତାଞ୍ଜଳି ଦାସ, ବିଜେପିର ସ୍ଥାନୀୟ ମଣ୍ଡଳ ସଭାପତି ଶ୍ରୀ ଜତିନ୍ କୁମାର ମହାନ୍ତି ଓ ସଞ୍ଜୁକ୍ତା ପଢ଼ିଆରି ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.