ଚଳିତଥର ବିଧାନସଭାରେ ଉଠିବ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା, ଅନୁଷ୍ଠିତ ହେଲା ବିଜେପି ବିଧାୟକ ଦଳ ବୈଠକ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଆସନ୍ତାକାଲିଠାରୁ ଆରମ୍ଭ ହେବ ବିଧାନସଭା ବଜେଟ୍ ଅଧିବେସନ । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା, ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ, ହତ୍ୟା, ଅପହରଣ, ଦୁଷ୍କର୍ମ, ନାରୀ ନିର୍ଯ୍ୟାତନା, ମାଗଣା ଚାଉଳ, ଅମୃତକାଳ ବଜେଟ, ସର୍ବକାଳୀନ ସର୍ବାଧିକ ରେଳ ବଜେଟ୍‌, ବିଜେଡି ସରକାରରେ ଚାଉଳ ହଡପ, ପ୍ରଧାନମନ୍ତ୍ରୀ ଆବାସ, ଧାନମଣ୍ଡି ଏବଂ ଏମଏସପି ପ୍ରସଙ୍ଗରେ ମିଲର୍ସଙ୍କ ଭାଷା କହି ଚାଷୀକୁଳକୁ ପ୍ରତାରିତ, ଜିପିଡିପି, ଖଣି ଦୁର୍ନୀତି, ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା, ବେକାରୀ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା, ଦାଦନ ସମସ୍ୟା, ଜଙ୍ଗଲ ପରିବେଶ ଇତ୍ୟାଦି ସାଧାରଣ ଲୋକଙ୍କ ସମସ୍ୟା ଏବଂ ସାଂପ୍ରତିକ ପରିସ୍ଥିତିକୁ ନେଇ ବିଜେପି ବିଧାନସଭାରେ ସ୍ୱର ଉଠାଇବ ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ଶ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି ।
ଆସନ୍ତା କାଲିଠୁ ଆରମ୍ଭ ହେବାକୁ ଥିବା ବିଧାନସଭା ବଜେଟ୍ ଅଧିବେଶନ ପାଇଁ ଆଜି ରାଜ୍ୟ କାର୍ଯ୍ୟାଳୟରେ ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଥିଲା । ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି, ବିଜେପି ଜାତୀୟ ସାଧାରଣ ସମ୍ପାଦକ ତଥା କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ , ମୁଖ୍ୟ ସଚେତକ ମୋହନ ଚରଣ ମାଝୀ, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ସୁକାନ୍ତ ନାୟକ, ଭବାନୀ ଭୋଇ, ନାଉରୀ ନାୟକ, ଶଙ୍କର ଓରାମ, ଡ.ମୁକେଶ ମହାଲିଙ୍ଗ, କେ.ନାରାୟଣ ରାଓ, ଜୟନ୍ତ ଷଡଙ୍ଗୀ, ନିତ୍ୟାନନ୍ଦ ଗଣ୍ଡ, ସନାତନ ବିଜୁଳି, ଗଣେଶରାମ ଖୁଂଟିଆ, ପ୍ରକାଶ ସୋରେନ, ଡ. ବୁଧାନ ମୁର୍ମୁ, ନବଚରଣ ମାଝି, ସୂରଜ ସୂର୍ଯ୍ୟବଂଶୀ ସ୍ଥିତପ୍ରଜ୍ଞ ପ୍ରମୁଖ ଉପସ୍ଥିତ ଥିଲେ ।
ଦୀର୍ଘ ୨୩ ବର୍ଷ ଧରି ଗୃହ ବିଭାଗ ଦାୟୀତ୍ୱରେ ଥିବା ମୁଖ୍ୟମନ୍ତ୍ରୀଙ୍କ ଶାସନ କାଳ ସମୟରେ ଆଇନଶୃଙ୍ଖଳା ଓ ଓଡ଼ିଶାବାସୀଙ୍କ ସୁରକ୍ଷା ସମ୍ପୂର୍ଣ୍ଣ ବିପଦରେ । ଗତ ୨୯ତାରିଖରେ ରାଜ୍ୟ ସରକାରଙ୍କ ଜଣେ ବରିଷ୍ଠ ମନ୍ତ୍ରୀ ନବ ଦାସଙ୍କୁ ପୋଲିସ ଅଧିକାରୀଙ୍କ ଦ୍ୱାରା ହତ୍ୟା କରାଗଲା । ହତ୍ୟାକୁ ୨୩ଦିନ ବିତିଯାଇଥିଲେ ବି ପ୍ରକୃତ ଷଡଯନ୍ତ୍ରକାରୀକୁ କ୍ରାଇମବ୍ରାଂଚ ଧରିବାରେ ବିଫଳ । ଓଡ଼ିଶାରେ ଲୋକେ ନ୍ୟାୟ ପାଇବା ପାଇଁ ତ୍ରାହି ତ୍ରାହି ଡାକୁଛନ୍ତି । ଜନତାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଭାରତୀୟ ଜନତା ପାର୍ଟି ବିଧାନସଭାରେ ମୁଖ୍ୟପ୍ରସଙ୍ଗ ରଖିବା ସହ ନ୍ୟାୟ ଲାଗି ସ୍ୱର ଉଠାଇବ ।
ବିଜୁଳିର ଦରବୃଦ୍ଧି, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀ ତାଲିକା ପ୍ରସ୍ତୁତ ପାଇଁ କେନ୍ଦ୍ର ସରକାର ରାଜ୍ୟକୁ ଦାୟିତ୍ୱ ଦେଇଥିଲା । କିନ୍ତୁ ଆବାସ ତାଲିକାରେ ବ୍ୟାପକ ମାତ୍ରାରେ ଦୁର୍ନୀତି ହୋଇଛି । ବିଜୁ ଜନତା ଦଳର ନେତା, ମନ୍ତ୍ରୀ ଓ ଦଳୀୟ କର୍ମୀଙ୍କ ପକ୍ଷରୁ ୨୦ହଜାର ଟଙ୍କା ଲାଂଚ ନେଇ ଅଯୋଗ୍ୟ ଲୋକଙ୍କୁ ତାଲିକାଭୁକ୍ତ କରିଛନ୍ତି । ଧାନମଣ୍ଡିରେ ପୂର୍ବରୁ ଗୋଟିଏ କ୍ୱିଂଟାଲରେ ୧୦ ରୁ ୧୫କେଜି ଧାନ କଟନୀ ଛଟନୀ ହେଉଛି । ବସ୍ତା, ସୂତୁଲି ଓ ଭଡା ଟଙ୍କା ଚାଷୀଙ୍କୁ ଦେଉନାହାନ୍ତି ରାଜ୍ୟ ସରକାର । ରାଜ୍ୟ ସରକାର ମିଲରମାନଙ୍କ ସହ ମିଶି ମଧୁଚନ୍ଦ୍ରିକା କରୁଛନ୍ତି । ଫଳରେ ଚାଷୀ ନିଜର ପ୍ରାପ୍ୟ ନପାଇ ହନ୍ତସନ୍ତ ହେଉଥିବା କଥା ବିଧାନସଭାରେ ବିଜେପି ପ୍ରସଙ୍ଗ କରିବ ବୋଲି ଶ୍ରୀ ମାଝୀ କହିଛନ୍ତି ।
ସେହିପରି କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗରୀବ ଅନ୍ନ ଯୋଜନାରେ ଗରୀବ ଲୋକଙ୍କୁ ମାଗଣା ଚାଉଳ ଦେଉଛନ୍ତି । କିନ୍ତୁ ବିଜୁ ଜନତା ଦଳ ଓଡିଶାର ୨ଲକ୍ଷ ଅକଲି ରାସନ କାର୍ଡ ଧାରୀଙ୍କ ନାଁରେ ଚାଉଳ ଉଠାଇ ଚଂଚକତା କରୁଛି । କେନ୍ଦ୍ର ସରକାର କୋଭିଡ ସମୟରେ ରିଲିଫ ପାଇଁ ୧୦କେଜି ଚାଉଳ ଯୋଗାଇ ଦେଉଥିଲେ । କିନ୍ତୁ ସେହି ଚାଉଳକୁ ରାଜ୍ୟ ସରକାର ନିଜେ ଦେଉଛନ୍ତି କହି ଓଡ଼ିଶାବାସୀଙ୍କୁ ଭୂଆଁ ବୁଲାଉଥିଲେ । ଏବେ ମୋଦୀ ସରକାର ରିଲିଫ ବନ୍ଦ କରି ଓଡ଼ିଶାର ଲୋକଙ୍କୁ ୫କେଜି ଚାଉଳ ମାଗଣା ଦେଉଛନ୍ତି । କିନ୍ତୁ ବିଜେଡି ସରକାର ମିଥ୍ୟା ପ୍ରଚାର କରୁଛନ୍ତି ଯେ, କେନ୍ଦ୍ର ସରକାର ଗରୀବଙ୍କ ପେଟକୁ ଲାତ ମାରୁଛି । ସତରେ ଯଦି ରାଜ୍ୟ ସରକାର ମାଗଣା ଦେଉଥିଲେ ତାହାଲେ ଏବେ ଦିଅନ୍ତୁ ବୋଲି ଶ୍ରୀ ମାଝୀ କହିଛନ୍ତି ।
ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ “ରାଧେ ରାଧେ ତୁମର ଅଧେକୁ ମୋର ଅଧେ” ଏଭଳି ଭାବେ ରାଜ୍ୟ ସରକାର ଘରୋଇ ହସ୍ପିଟାଲମାନଙ୍କ ସହ ହାତମିଶାଇ ରାଜକୋଷରୁ ଅର୍ଥକୁ ଲୁଟ କରୁଛନ୍ତି । ରାଜ୍ୟରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ମଧ୍ୟ ବିପର୍ଯ୍ୟସ୍ତ, କିନ୍ତୁ ରାଜ୍ୟ ସରକାର ୫ଟି ନାଁରେ ପ୍ରହସନ କରୁଛନ୍ତି । ହକି ବିଶ୍ୱକପ୍‌ରେ ମଧ୍ୟ ରାଜ୍ୟ ସରକାର ଦୁର୍ନୀତି କରିଛନ୍ତି । ହକିକୁ ରାଜ୍ୟ ସରକାର ପ୍ରତି ଗାଁ ଓ ପଂଚାୟତରେ ଏଲସିଡି ମାଧ୍ୟମରେ ଦେଖାଇ ଟଙ୍କା ଖର୍ଚ୍ଚ କରୁଥିବା ଅର୍ଥ କେଉଁଠୁ ଆସିଲା ବୋଲି ବିଧାନସଭାରେ ସ୍ୱର ଉଠାଇ ଜବାବ ମଗାଯିବ । ବେକାରୀ ସମସ୍ୟା, ଜଙ୍ଗଲ ପୋଡି, ପ୍ରଦୂଷଣ, ହାତୀ ମୃତ୍ୟୁ ପ୍ରତି ରାଜ୍ୟ ସରକାର କୌଣସି ବ୍ୟବସ୍ଥା କରୁନାହାନ୍ତି । ଏସମସ୍ତ ପ୍ରସଙ୍ଗ ଭାରତୀୟ ଜନତା ପାର୍ଟି ଆସନ୍ତା ବିଧାନସଭାରେ ଉଠାଇବ ବୋଲି ଶ୍ରୀ ମାଝୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.