ବନ୍ୟା ବିପନ୍ନଙ୍କୁ ସହାୟତା କେବଳ ନିର୍ଦ୍ଦେଶ ଓ ନୋଟିସରେ ସୀମିତ ରାଜ୍ୟ ସରକାର, ଯୁବପିଢୀ ଆଗେଇ ଆସିବାକୁ ଅନୁରୋଧ କଲା ବିଜେପି

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  ଓଡ଼ିଶା ଏକ ନଦ ନଦୀ ବହୁଳ ବନ୍ୟା ପ୍ରଭାବିତ ରାଜ୍ୟ । ଏନେଇ ଓଡ଼ିଶାରେ କେତେବେଳେ ବର୍ଷା ହୋଇ ନଦୀ ବଢ଼ିବ ତାହାର କୌଣସି ଠିକଣା ନଥାଏ । ରାଜ୍ୟ ସରକାର ବନ୍ୟା ଜଳ ପରିଚାଳନା ପାଇଁ କୌଣସି ପଦକ୍ଷେପ ନେଉ ନଥିବାରୁ ଜନସାଧାରଣଙ୍କ ଜୀବନ ବିପଦରେ । ବନ୍ୟା ସମୟରେ ରାଜ୍ୟ ସରକାରଙ୍କ ଅବହେଳା ସାମ୍ନାକୁ ଆସିଛି । ରାଜ୍ୟର ୧୨ରୁ ଅଧିକ ଜିଲ୍ଲାରେ ବନ୍ୟା ପରିସ୍ଥିତି ଅସମ୍ଭାଳ ହେଉଥିବା ଏସଆରସି ରିପୋର୍ଟ ଦେଇଛନ୍ତି । ବନ୍ୟା ଜଳ ପ୍ରଭାବରେ ରାଜ୍ୟର ପ୍ରାୟ ୩୦୦ଶହରୁ ଊର୍ଦ୍ଧ୍ୱ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହେବା ସହ ୧୦ଟି ଜିଲ୍ଲାର ୩୯ଟି ବ୍ଲକ ଓ ୩୬୯ ଗ୍ରାମ ପଂଚାୟତର ୧୩୬୫ରୁ ଊର୍ଦ୍ଧ୍ୱ ଗାଁ ବନ୍ୟାରେ ପ୍ରଭାବିତ ହୋଇଛି । ବନ୍ୟା ଜଳରେ ୨ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ପ୍ରଭାବିତ ହୋଇଥିଲାବେଳେ ୩୩୭ଟି ଗାଁ ସମ୍ପୂର୍ଣ୍ଣ ପାଣି ଘେରରେ ରହିଛି । ରାଜ୍ୟରେ ବନ୍ୟା ପରିସ୍ଥିତିରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ନଥିବାବେଳେ ଲୋକେ ନିଜ ନିଜ ଘର ପରିବାର ଓ ଅଂଚଳକୁ ବଂଚେଇବା ପାଇଁ ବ୍ୟକ୍ତିଗତ ସ୍ତରରେ ମେଳି ହୋଇ ଉଦ୍ଧାର କାର୍ଯ୍ୟ ଓ ବନ୍ଧ ମରାମତିରେ ଲାଗିଛନ୍ତି । ଜନସାଧାରଣ ଏକାଠି ହୋଇ ନିଜ ଗାଁରେ ବଂଚାଇବା କାର୍ଯ୍ୟ କରୁଥିବାବେଳେ ରାଜ୍ୟ ସରକାର କେବଳ ପ୍ରଚାର ଏବଂ ନୋଟିସ୍ ଜାରି କରିବାରେ ବ୍ୟସ୍ତ ଅଛନ୍ତି ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ।

ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ ଶ୍ରୀ ମହାନ୍ତି କହିଛନ୍ତି, ରାଜ୍ୟରେ ଜଳ ନୀତି ଥାଇ ମଧ୍ୟ ନିୟମିତ କାର୍ଯ୍ୟକାରୀ କରୁନାହାନ୍ତି ରାଜ୍ୟ ସରକାର । ପ୍ରତିବର୍ଷ ଜଳ ପରିଚାଳନା, ଜଳ ନିଷ୍କାସନ ଓ ନଦୀ ବନ୍ଧ ବାଡ ସୁରକ୍ଷା ପ୍ରସଙ୍ଗରେ ସମୀକ୍ଷା ତଥା ଆକଳନ ହେବାର ଆବଶ୍ୟକତା ଥିଲା ବେଳେ ରାଜ୍ୟ ସରକାର ଗତ ୩ବର୍ଷ ଧରି ସେତି ପ୍ରତି ଧ୍ୟାନ ନଦେଇ ଚିରନିଦ୍ରାରେ ଶୋଇପଡ଼ୁଛନ୍ତି, ଯାହାର ପରିଣାମ ରାଜ୍ୟବାସୀ ଭୋଗୁଛନ୍ତି । ରାଜ୍ୟ ସରକାର ନଦୀ ବନ୍ଧବାଡର ସ୍ଥିତି ନେଇ ଆକଳନ କରୁନାହାନ୍ତି ଫଳରେ ନଦୀ ବନ୍ଧମାନଙ୍କରେ ମୂଷାଗାତ ସୃଷ୍ଟିହୋଇ ଘାଇରେ ପରିଣତ ହୋଇଛି । ରାଜ୍ୟ ସରକାର ବର୍ଷାଦିନ ପୂର୍ବରୁ ଦୁର୍ବଳ ବନ୍ଧର ସମୀକ୍ଷା କରିଥିଲେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇନଥାନ୍ତା ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ,ବାଲେଶ୍ୱର, ଖୋର୍ଦ୍ଧା, ନୟାଗଡ ଓ କେନ୍ଦୁଝର ପ୍ରଭୃତି ଜିଲ୍ଲାର ବିଭିନ୍ନ ଅଂଚଳ ବନ୍ୟା ପ୍ରଭାବିତ ହୋଇଛି । ସେହିପରି ରାଜଧାନୀ ଭୁବନେଶ୍ୱର, କଟକ, ସମ୍ବଲପୁର ଭଳି ପ୍ରମୁଖ ସହରରେ ଅନେକ ତଳି ଅଂଚଳରେ ବର୍ଷା ଜଳ ପଶି ଲୋକେ ହନ୍ତସନ୍ତ ହେବା ସହ ଖାଇବାକୁ ପାଉନାହାନ୍ତି । ଏନେଇ ବନ୍ୟା ପ୍ଳାବିତ ଜନସାଧାରଣଙ୍କୁ ବିଜେପିର କାର୍ଯ୍ୟକର୍ତା ନିଷ୍ଠାର ସହ ଆଗେଇ ଆସି ଉଦ୍ଧାର କାର୍ଯ୍ୟ, ରିଲିଫ କାର୍ଯ୍ୟ ସହ ଜଳ ବନ୍ଧୀରେ ଥିବା ଲୋକଙ୍କ ପାଖରେ ପଂହଚିବାକୁ ଶ୍ରୀ ମହାନ୍ତି ଆହ୍ୱାନ ଦେଇଛନ୍ତି ।

ଜଳବାୟୁ ପରିବର୍ତନ, ଗୋବ୍ଲାଲ ୱାରର୍ମିଙ୍ଗ୍‌, ଅଦିନିଆ ବନ୍ୟା ବାତ୍ୟା ପରିସ୍ଥିତିକୁ ନେଇ ପ୍ରତି ୧୦ବର୍ଷରେ ‘କର୍ଭ କୋର୍ଡ’ର ସଂଶୋଧନ ହେବା କଥା କିନ୍ତୁ ୨୨ବର୍ଷର ସରକାର ନିଦ୍ରାରେ ଶୋଇଛନ୍ତି । ଫଳରେ ପ୍ରତିବର୍ଷ ବନ୍ୟାରେ ଶହ ଶହ ଗାଁ ଜଳମଗ୍ନ ହେଉଛି । ନଦୀବନ୍ଦ ମରାମତି ନାଁରେ ପ୍ରତିବର୍ଷ କୋଟି କୋଟି ଟଙ୍କାର ମିଛ ବିଲ୍ ପ୍ରସ୍ତୁତ କରାଯାଇ ଆତ୍ମସାତ କରାଯାଇଛି ବୋଲି ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି ।

ହୀରାକୁଦ ବନ୍ଧର ଜଳ ପରିଚାଳନା ପାଇଁ ୧୯୬୨ ମସିହାରେ ଏକ ‘କର୍ଭ୍ କୋର୍ଡ’ ପ୍ରସ୍ତୁତ କରାଯାଇଥିଲା । ଯାହାକୁ ପରବର୍ତୀ ସମୟରେ ୧୯୮୪ ମସିହାରେ ଦ୍ୱିତୀୟ ଥର ପାଇଁ ସଂଶୋଧନ କରାଯାଇଥିଲା । ଏ ଭିତରେ ୩୮ବର୍ଷ ବିତିଗଲାଣି ଅଥଚ ‘କର୍ଭ କୋର୍ଡ’ର ସଂଶୋଧନ କରଯାଇନାହିଁ । ଯାହାଫଳର ଜଳ ପରିଚାଳନାରେ ତ୍ରୁଟି ପରିଲକ୍ଷିତ ହେଉଛି । ମହାନଦୀ ଉଚ୍ଛୁଳିବାରୁ ଶାଖା ନଦୀଗୁଡ଼ିକର ସ୍ଥିତି ଅସମ୍ଭାଳ ହୋଇଛି ଏବଂ ନଦୀ ବନ୍ଦ ଅତଡା ଖସିବା ସହ ସାଧାରଣ ଲୋକଙ୍କ ଘରେ ପାଣି ପଶିଯାଇଛି । ବ୍ରାହ୍ମଣୀ, ବୈତରଣୀ, ସୁବର୍ଣ୍ଣରେଖା, ଜଳକା ନଦୀ ବିପଦ ମୁହାଁ । ବନ୍ୟା ପ୍ରଭାବିତଙ୍କୁ ସାହାଯ୍ୟ ଓ ସହଯୋଗ କରିବା ପାଇଁ ବିଜେପି କାର୍ଯ୍ୟକର୍ତାମାନେ ନିରନ୍ତର କାର୍ଯ୍ୟ କରୁଛନ୍ତି ଏବଂ ଏହି କାର୍ଯ୍ୟରେ ସାମିଲ ହେବା ପାଇଁ ଯୁବପୀଢିକୁ ଆଗେଇ ଆସିବାକୁ ଶ୍ରୀ ମହାନ୍ତି ଅନୁରୋଧ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସାଧାରଣ ସଂପାଦକ ଡ.ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ ଉପସ୍ଥିତ ଥିଲେ ।

Leave A Reply

Your email address will not be published.