ଆଜିଠୁ ବିଜେପିର କାର୍ଯ୍ୟକାରିଣୀ ବୈଠକ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଜିଠୁ ବିଜେପିର ଦୁଇ ଦିନିଆ ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ। ପୁରୀ ବଳିଆପଣ୍ଡା ସ୍ଥିତ ଏକ ହୋଟେଲରେ ବସିବ ବୈଠକ । ପ୍ରତିଶ୍ରୁତି ପୂରଣ ପାଇଁ ପ୍ରସ୍ତୁତ ହେବ ସରକାରଙ୍କ ରୋଡ୍ ମ୍ୟାପ୍ । ବୈଠକରେ ଯୋଗ ଦେବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ରହିବେ ଅନ୍ୟ କେନ୍ଦ୍ର ମନ୍ତ୍ରୀ ଓ ସାଂସଦ । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ଏହି ବୈଠକ।

କେନ୍ଦ୍ରରେ ତୃତୀୟ ଥର ମୋଦି ସରକାର ଓ ରାଜ୍ୟରେ ପ୍ରଥମ ଥର ବିଜେପି ସରକାର ଗଠନ ପରେ ବସୁଛି କାର୍ଯ୍ୟକାରିଣ। ସାଂପ୍ରତିକ ରାଜନୈତିକ ପରିସ୍ଥିତି, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସଂପର୍କରେ ବିସ୍ତୃତ ଆଲୋଚନା କରାଯାଇ ବୈଠକରେ ଆଗାମୀ ରଣନୀତି ପ୍ରସ୍ତୁତ କରାଯିବ। ଆଜି ସକାଳ ୧୦ଟା ୩୦ରେ ହେବ ପଦାଧିକାରୀ ବୈଠକ । ଏହାପରେ ଅପରାହ୍ନ ୨.୩୦ରେ କାର୍ଯ୍ୟକାରିଣୀ ବୈଠକକୁ ଉଦଘାଟନ କରିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା । ଜୁଲାଇ ୨୦ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ଚାଲିବ ଏହି ବୈଠକ ।

ବୈଠକରେ ମୁଖ୍ୟମନ୍ତ୍ରୀ, ସବୁ ମନ୍ତ୍ରୀ, ସାଂସଦ, ବିଧାୟକ, କେନ୍ଦ୍ର ମନ୍ତ୍ରୀଙ୍କ ସମେତ ନିର୍ବାଚନ ଦାୟିତ୍ୱରେ ଥିବା ବିଧାନସଭା ଓ ଲୋକସଭା ସଂଯୋଜକ, ଜିଲ୍ଲା ସଭାପତି, ସାଧାରଣ ସଂପାଦକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସମସ୍ତ ମୋର୍ଚ୍ଚା ସଭାପତି ପ୍ରମୁଖ ଉପସ୍ଥିତ ରହିବେ। ଏମାନଙ୍କ ବ୍ୟତୀତ କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ, ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର, ସହ ପ୍ରଭାରୀ ଲତା ଉସେଣ୍ଡି ବି ଉପସ୍ଥିତ ରହିବେ। ବୈଠକରେ ରାଜନୈତିକ ପରିସ୍ଥିତି, ସାମ୍ପ୍ରତିକ ସରକାରର ଜନ କଲ୍ୟାଣ କାର୍ଯ୍ୟକ୍ରମ, ଦେଇଥିବା ପ୍ରତିଶ୍ରୁତି ପୂରଣ ବିଷୟରେ ଚର୍ଚ୍ଚା ହେବା ସହ ଆଗାମୀ ରଣନୀତି ପ୍ରସ୍ତୁତ କରାଯିବ।

Comments are closed.