ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବଡ଼ଦାଣ୍ଡରେ ସରି ଆସିଲା ଶ୍ରୀଜୀଉଙ୍କ ଲୀଳାଖେଳା। ଆଜି ନୀଳକନ୍ଦର ଫେରିବେ ନୀଳମଣି। ମହାପ୍ରଭୁଙ୍କର ୧୨ ଦିନର ମାନବୀୟ ଲୀଳାଖେଳାର ଆଜି ଅନ୍ତିମ ପର୍ବ ନୀଳାଦ୍ରିବେଜି। ରଥ ଉପରୁ ରତ୍ନସିଂହାସନକୁ ବିଜେ କରିବେ ମହାପ୍ରଭୁ। ଶ୍ରୀମନ୍ଦିର ପ୍ରଶାସନ ଏଥିପାଇଁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ କରିଛି। ପରମ୍ପରା ଅନୁଯାୟୀ ଏକାଦଶୀ ଦିନ ସୁନାବେଶ, ଦ୍ୱାଦଶୀରେ ଅଧରପଣା ପରେ ତ୍ରୟୋଦଶୀ ତିଥିରେ ନୀଳାଦ୍ରିବିଜେ ହୋଇଥାଏ । ଏହି ପରମ୍ପରା ଅନେକ ବର୍ଷ ଧରି ହୋଇଆସୁଛି ।
ରଥ ଉପରେ ଠାକୁରମାଙ୍କର ସନ୍ଧ୍ୟା ଧୂପ ନୀତି ସରିବା ପରେ ପ୍ରତି ରଥରେ ଚାରମାଳ ବନ୍ଧା ଯିବ । ପ୍ରଥମେ ବିଜେ କାହାଳି ବାଜିବା ପରେ ବନ୍ଦାପନା ଓ ଡୋରି ଲାଗି ନୀତି ହେବ । ପୁଷ୍ପାଳକ ମହାଜନମାନେ ସର୍ବପ୍ରଥମେ ମଦନମୋହନ ଓ ରାମକୃଷ୍ଣ ବିଗ୍ରହଙ୍କୁ ଧରି ଦକ୍ଷିଣି ଘରକୁ ବିଜେ କରିବେଳ । ତା’ପରେ ଗୋଟି ପହଣ୍ଡି କ୍ରମରେ ସୁଦର୍ଶନ, ବଳଭଦ୍ର, ସୁଭଦ୍ରାଙ୍କ ପହଣ୍ଡି ହୋଇ ଗମ୍ଭୀରାକୁ ବିଜେ କରିବେ । ରଥଯାତ୍ରାରେ ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ଶ୍ରୀବଳଭଦ୍ର ଓ ଉଭଣୀ ଦେବୀ ସୁଭଦ୍ରାଙ୍କୁ ସାଙ୍ଗରେ ନେଇ ଜନ୍ମବେଦୀ ଯାତ୍ରା କରିଥିଲେ। ସାଙ୍ଗରେ ମାଆ ଲକ୍ଷ୍ମୀ ସାଆନ୍ତାଣୀଙ୍କୁ ନେଇ ନଥିଲେ ।
ଏଥିପାଇଁ ସେ ଅଭିମାନ କରିଛନ୍ତି। ନୀଳାଦ୍ରିବେଜି ନୀତି ଅବସରରେ ଆଜି ରସଗୋଲ ଦେଇ ମାଆ ଲକ୍ଷ୍ମୀଙ୍କର ମାନଭଞ୍ଜନ କରିବେ ବ୍ରହ୍ମାଣ୍ଡ ଠାକୁର। ଜୟ ବିଜୟ ଦ୍ବାରରେ ମହାଲକ୍ଷ୍ମୀଙ୍କର ଅଭିମାନକୁ ଭଞ୍ଜନ କରିବା ପାଇଁ ଶ୍ରୀଜଗନ୍ନାଥଙ୍କ ପକ୍ଷରୁ ପାଟ ଶାଢି ସହ ରସଗୋଲା ଦେବାର ବିଧି ରହିଛି। ଏହାପରେ ମହାପ୍ରଭୁ ବଡ଼ ଦେଉଳକୁ ପ୍ରବେଶ କରି ଥାଆନ୍ତି। ଶ୍ରୀଜିଉଙ୍କ ପତିତପାବନ ଯାତ୍ରାର ଶେଷ ଦିନକୁ ନୀଳାଦ୍ରିବିଜେ କୁହାଯାଏ। ଗତକାଲି ଶ୍ରୀକ୍ଷେତ୍ରରେ ତିନି ରଥ ଉପରେ ଶ୍ରୀଜିଉମାନଙ୍କର ଅଧରପଣା ନୀତି ଅନୁଷ୍ଠିତ ହୋଇଥିଲା।