ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁ ହତ୍ୟା ଓ ଓଡିଶାର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ବିରୁଦ୍ଧରେ ବିଜେପିର ବିକ୍ଷୋଭ, ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ କଲା ଦାବି

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଯେଉଁ ରାଜ୍ୟରେ ଖୋଦ୍ ମହିଳା ପୋଲିସ୍ ଏବଂ ମାଜଷ୍ଟ୍ରେଟ ଅସୁରକ୍ଷିତ, ସେଠି ସାଧାରଣ ମହିଳା ସୁରକ୍ଷିତ ରହିବେ କେମିତି ? ୧୫-୨୦ ଦିନ ଭିତରେ ଟ୍ୱିନ ସିଟିରେ ମହିଳା ପୋଲିସ ଏସଆଇଙ୍କୁ ଆକ୍ରମଣ କରିବା, ତହସିଲ୍‌ଦାରଙ୍କୁ ଖୋଲାଖୋଲି ହତ୍ୟାର ଧମକ ଦେବା ପରେ ଆଜି ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ମିଳିଛି । ରାଜ୍ୟ ସରକାରଙ୍କ ବିପର୍ଯ୍ୟୟ ଆଇନ ବ୍ୟବସ୍ଥା ଓ ଦୋଷୀଙ୍କୁ ତୁରନ୍ତ ଗିରଫ ଦାବିରେ ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ବିଜେପି ପକ୍ଷରୁ ରାମମନ୍ଦିର ସମ୍ମୁଖରେ ରାଜ୍ୟ ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଯେଉଁମାନେ ଦୋଷୀ ସେମାନଙ୍କ ବିରୋଧରେ କାଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲା ସଭାପତି ବାବୁ ସିଂ କହିଛନ୍ତି ।

ରାଜ୍ୟରେ ଏବେ ଖେଳର ମାହୋଲ ତିଆରି କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କିନ୍ତୁ ଆଜି ବି ଓଡ଼ିଶାର ବିଶ୍ୱସ୍ତରୀୟ ଖେଳାଳିମାନଙ୍କ ରହିବା ଲାଗି ଘର ନାହିଁ । ନବୀନ ବାବୁ ଖେଳର ପ୍ରଚାର ପ୍ରସାର କରି ଲୋକଙ୍କୁ ଭୂଆଁ ବୁଲାଉଛନ୍ତି । ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ । ଓଡ଼ିଶାରେ ବିଶ୍ୱସ୍ତରୀୟ ଖେଳ ଆୟୋଜନ ହେଉଥିବାବେଳେ ରାଜ୍ୟର ବିଶ୍ୱସ୍ତରୀୟ ଖେଳାଳୀମାନେ ଦୁର୍ଦ୍ଦିନରେ ବାସ କରିବା ରାଜ୍ୟ ସରକାରଙ୍କ ଦୋମୁହାଁ ଚେହେରାକୁ ପଦାରେ ପକାଇ ଦେଇଛି । ରାଜ୍ୟ ସରକାରଙ୍କ ଆଭିମୁଖ୍ୟରେ ପରିବର୍ତନ ନହେଲେ ଆଗାମୀ ଦିନରେ ରାଜ୍ୟବ୍ୟାପୀ ଆନ୍ଦୋଳନ କରାଯିବ ବୋଲି ଶ୍ରୀ ସିଂ କହିଛନ୍ତି ।

ଓଡିଶାର ମହିଳାଙ୍କ ସୁରକ୍ଷା ପାଇଁ କୌଣସି ସୁବିଧା ନାହିଁ । ଗତ ୧୧ତାରିଖ ଦିନ ରାଜଶ୍ରୀ ନିଖୋଜ ହୋଇଥିଲେ ଆଜି ତାଙ୍କର ମୃତଦେହ ଜଙ୍ଗଲରୁ ଉଦ୍ଧାର କରାଯାଇଛି । ମୃତ ରାଜଶ୍ରୀଙ୍କ ପରିବାର ତରଫରୁ ଖୋଲାଖୋଲି ଅଭିଯୋଗ କରାଯାଇଛି । ମହିଳା ଖେଳାଳୀଙ୍କ ମୃତ୍ୟୁର ତଦନ୍ତ କରାଯିବାର ଆବଶ୍ୟକତା ରହିଛି ବୋଲି ରାଜ୍ୟ ମୁଖପାତ୍ର ଦିଲ୍ଲୀପ ମହାନ୍ତି କହିଛନ୍ତି ।

ରାଜ୍ୟରେ ମହିଳା ସୁରକ୍ଷାକୁ ନେଇ ରାଜ୍ୟ ସରକାରଙ୍କ କୈାଣସି ତତ୍ପରତା ପ୍ରକାଶ ପାଉନାହିଁ । ଓଡ଼ିଶାରେ ମହିଳା ସମ୍ପୂର୍ଣ୍ଣ ଅସୁରକ୍ଷିତ ଓ ରାଜ୍ୟ ସରକାର ଏଥିପ୍ରତି ଧ୍ୟାନ ଦେବାକୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ କହିଛନ୍ତି ।

ଏହି ବିକ୍ଷୋଭରେ ରାଜ୍ୟ ମୁଖପାତ୍ର ଠାକୁର ରଣଜିତ୍ ଦାସ, ଜିଲ୍ଲା ସାଧାରଣ ସମ୍ପାଦକ ହିମାଂଶୁ ଶେଖର ଛୋଟରାୟ, ଦିଲ୍ଲୀପ ବେହେରା, ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ସ୍ୱୟଂ ସେବକ ରାୟ, ଜିଲ୍ଲା ମହିଳା ମୋର୍ଚ୍ଚା ସଭାପତି ମନ୍ଦାକିନି ପାତ୍ର, ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ଉପେନ୍ଦ୍ର ଭଞ୍ଜ, ଜିଲ୍ଲା ମଣ୍ଡଳ ସଭାପତି ରାମଚନ୍ଦ୍ର ରଣସିଂହ, ଅଂଜନ ନାଥ, ବିଜୟ ରାଉତ, ଅମରଜ୍ୟୋତି ଜଗଦ୍ଦେବ, ଶଶୀପ୍ରଭା ରଥ, ସୋୟଂଭୁ ପଟ୍ଟନାୟକ, ଜଗନ୍ନାଥ ବେହେର. ଉାନସୀ ରାୟ ପାଢୀ, ସୁନୀଲ ପ୍ରଧାନ, ମନୋଜ ପଶ୍ଚିମକବାଟ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.