ବି.ଏଲ୍. ସନ୍ତୋଷ ହୋଇପାରନ୍ତି କର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ!

0

ବି.ଏସ୍. ୟେଦ୍ଦୁରାପ୍ପାଙ୍କ ଇସ୍ତାଫା ପରେ ଏବେ କର୍ଣ୍ଣାଟକ ରାଜନୀତି ଉପରେ ସାରା ଦେଶର ନଜର । ଆହୁରି ଦୁଇ ବର୍ଷ ଶାସନ ବାକିଥିବା ବେଳେ ୟେଦ୍ଦୁଙ୍କ ଇସ୍ତଫାକୁ କେହି ସହଜରେ ଗ୍ରହଣ କରିପାରୁ ନାହାନ୍ତି । ତେବେ ପୂର୍ବ ପରି ଏ ସମସ୍ତ ପରିବର୍ତ୍ତନ ୨୦୨୪ ପାଇଁ କରାଯାଉଛି ବୋଲି ଚର୍ଚ୍ଚା ହେଉଛି ।

ବିଜେପିର କେନ୍ଦ୍ରୀୟ ଶୀର୍ଷନେତାଙ୍କ ସୂତ୍ରରୁ ଜଣାପଡ଼ିଛି ଯେ, ଦଳ ରାଷ୍ଟ୍ରୀୟ ମହାସଚିବ ବିଏଲ ସନ୍ତୋଷଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ବସାଇବାକୁ ଯୋଜନା କରୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ସୁସମ୍ପର୍କ ରକ୍ଷା କରୁଥିବା ଚେହେରାଙ୍କୁ ଏହି ଗାଦିରେ ବସାଯାଇପାରେ । ଏଥିସହ ରାଜ୍ୟରେ ୪ ଜଣ ବରିଷ୍ଠ ନେତାଙ୍କୁ ଉପମୁଖ୍ୟମନ୍ତ୍ରୀ ବସାଇ ଗୋଷ୍ଠୀ କନ୍ଦଳକୁ କମାଇବା ପ୍ରୟାସରେ ଦଳ ରହିଛି । ତେବେ ୟେଦ୍ଦୁଙ୍କ ପରେ ଦଳରେ ତାଙ୍କ ବୟସର ଅନେକ କ୍ଷମତାଶାଳୀ ନେତା ରହିଥିବାରୁ ସମସ୍ତଙ୍କୁ ସନ୍ତୁଷ୍ଟିକରଣ କରିବା ଫର୍ମୂଲା ଆପ୍ଲାଏ କରାଯିବ । ବିଭିନ୍ନ ନେତାଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ଦେଇ ଦଳ ୨୦୨୩ ବିଧାନସଭା ଓ ୨୦୨୪ ଲୋକସଭା ନିର୍ବାଚନରେ ବିଭିନ୍ନ ସମ୍ପ୍ରଦାୟରୁ ଭୋଟ ହାସଲ କରିବାକୁ ଚେଷ୍ଟା କରିବ ।

ରାଜ୍ୟରେ ବର୍ତ୍ତମାନ ୟେଦ୍ଦୁଙ୍କ ସ୍ଥାନ ପୂରଣ କରିବା ପାଇଁ ହେଭିୱେଟଙ୍କ ଏକପ୍ରକାର ପ୍ରତିଦ୍ୱନ୍ଦିତା ଆରମ୍ଭ ହୋଇଯାଇଛି । ତେବେ ମୁଖ୍ୟମନ୍ତ୍ରୀ ପଦ ପାଇଁ ବର୍ତ୍ତମାନ ଜାତୀୟ ସ୍ତରର ନେତାମାନେ ଏ ଦିଗରେ ବିଚାର ବିମର୍ଶ ଜାରି ରଖିଥିବା ଜଣାପଡ଼ିଛି । ବିଜେପି ପାଇଁ କର୍ଣ୍ଣାଟକ ହେଉଛି ଦକ୍ଷିଣ ଭାରତର ପ୍ରବେଶ ପଥ । ତେଣୁ ଏହି ରାଜ୍ୟର ମୁଖିଆ ଚୟନ ବେଳେ ଦଳକୁ ବିଭିନ୍ନ ଦିଗ ପ୍ରତି ଦୃଷ୍ଟି ଦେବାକୁ ପଡ଼ିବ । ଦଳ ୟେଦ୍ଦୁଙ୍କ ପରି ଜଣେ ଲୋକପ୍ରିୟ ତଥା ଜାତୀୟ ରାଜନୀତି ସହ ସମ୍ପୃକ୍ତ ଥିବା ନେତାଙ୍କ ତଲାସ କରୁଛି । ଜଣେ ନେତାଙ୍କ ପଦ ଅପସାରଣ ପରେ ପରବର୍ତ୍ତୀ ନେତାଙ୍କ ପାଇଁ ସମସ୍ତଙ୍କୁ ନେଇ ଆଗକୁ ଚାଲିବା ମୁଖ୍ୟ ଚ୍ୟାଲେଞ୍ଜ ଭାବେ ଉଭା ହେବ । ଏଥିସହ ୟେଦ୍ଦୁଙ୍କ ଇସାରାରେ ୨୦୧୯ରେ କଂଗ୍ରେସ ଓ ଜେଡିଏସରୁ ବିଜେପିକୁ ଆସିଥିବା ନେତାଙ୍କୁ ଦଳରେ ବଜାୟ ରଖିବା ଭୂମିକା ନୂଆ ମୁଖ୍ୟମନ୍ତ୍ରୀଙ୍କର ରହିବ । ତେବେ ବିଧାନସଭା ନିର୍ବାଚନ ଆଉ ଦୁଇବର୍ଷ ପରେ ଅର୍ଥାତ ୨୦୨୩ରେ ହେବାକୁ ଥିବାରୁ ରାଜ୍ୟରେ ପୁଣି କ୍ଷମତା ବଜାୟ ରଖିବାରେ ସାମର୍ଥ୍ୟ ଥିବା ନେତାଙ୍କୁ ବିଜେପି ଅଗ୍ରାଧିକାର ଦେବ ବୋଲି କୁହାଯାଉଛି ।

Leave A Reply

Your email address will not be published.