ଅନ୍ତର୍ଜାତୀୟ ନର୍ସ ଦିବସରେ ରକ୍ତଦାନ ଶିବିର ଆୟୋଜିତ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଅନ୍ତର୍ଜାତୀୟ ନର୍ସ ଦିବସରେ ରକ୍ତଅଭାବକୁ ଦୂର କରିବା ପାଇଁ ରକ୍ତଦାନ ଶିବିର ଆୟୋଜିତ କରାଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ପିଆରଏମ ମେଡିକାଲ କଲେଜ ଓ ହସ୍ପିଟାଲର ନର୍ସିଂ ଅଫିସର୍ ସଂଘର ମିଳିତ ଉଦ୍ୟମରେ ଶନିବାର ବାରିପଦା ସ୍ଥିତ ରକ୍ତ ଭଣ୍ଡାରରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା। ଯେଉଁଥିରେ କି ରକ୍ତ ଭଣ୍ଡାରରେ ଗ୍ରୀଷ୍ମଋତୁ କାଳୀନ ରକ୍ତ ଅଭାବକୁ ଦୂର କରିବା ନିମନ୍ତେ ନର୍ସ ଓ ସ୍ୱାସ୍ଥ୍ୟ କର୍ମଚାରୀ ମାନେ ରକ୍ତଦାନ କରିଛନ୍ତି।

ଉକ୍ତ ଶିବିରକୁ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡକ୍ଟର ବିଜୟ କୁମାର ଦାସ, ନର୍ସିଂ ସୁପରିଟେଣ୍ଡେଣ୍ଟ ଯାଜ୍ଞସେନି ବେହେରା ଓ କଳ୍ପନା ବେହେରା ଉଦଘାଟନ କରିଥିଲେ। ରକ୍ତଦାନ ଶିବିରରେ ମୋଟ୍ ୬୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି। ବାରିପଦା ରକ୍ତ ଭଣ୍ଡାରର ଅଧିକାରୀ ଡକ୍ଟର ସୌମ୍ୟ ରଞ୍ଜନ ନାୟକ ଓ ବରିଷ୍ଠ ସ୍ତ୍ରୀରୋଗ ବିଶେଷଜ୍ଞ ଡକ୍ଟର ପ୍ରଣବ ଶଙ୍କର ଦାସ ରକ୍ତଦାନ ଶିବିରକୁ ପରିଚାଳନା କରିଥିଲେ। ଏହି ଶିବିରରେ ରୁଚିକା ଖୁରାନା, ଛବି ମହାନ୍ତ, ଶକୁନ୍ତଳା ପାଢ଼ୀ ଓ ଜ୍ୟୋତି ପ୍ରକାଶ ଭୁଜବଳ ନିଜେ ରକ୍ତ ସଂଗ୍ରହ କାର୍ଯ୍ୟ ସହିତ ନିଜେ ରକ୍ତଦାନ କରି ଅନ୍ୟ ମାନଙ୍କୁ ଉତ୍ସାହିତ କରିଥିଲେ। ଗ୍ରୀଷ୍ମ ଋତୁରେ ଅତ୍ୟଧିକ ଖରା ଯୋଗୁଁ ରକ୍ତଦାନ ଶିବିର ଆୟୋଜିତ ହୋଇ ପାରିନଥାଏ। ଯାହା ଫଳରେ ରକ୍ତ ଭଣ୍ଡାରରେ ରକ୍ତ ଅଭାବ ଦେଖିବାକୁ ମିଳିଥାଏ।

ଯାହାକୁ ନେଇ ରକ୍ତ ଭଣ୍ଡାରରେ ରକ୍ତର ଅଭାବକୁ ଦୂର କରିବା ଲକ୍ଷ୍ୟ ନେଇ ରକ୍ତଦାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ନେଇ କୁହାଯାଇଛି। ବାରିପଦା ରକ୍ତ ଭଣ୍ଡାର କର୍ମଚାରୀ ତଥା ସମସ୍ତ ନର୍ସିଂ ଅଫିସର୍ ମାନଙ୍କ ମିଳିତ ଉଦ୍ୟମରେ ବହୁ ମାତ୍ରାରେ ନର୍ସିଂ ଅଫିସର୍ ମାନେ ଯୋଗଦାନ କରି ଉକ୍ତ ରକ୍ତଦାନ ଶିବିରକୁ ସଫଳ କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି। ପ୍ରତିଦିନ ହସ୍ପିଟାଲ କର୍ମଚାରୀ ଭାବେ କାର୍ଯ୍ୟ ସମ୍ପାଦନ କରି ରୋଗୀ ମାନଙ୍କ ଜୀବନ ବଞ୍ଚାଉଥିବା ବେଳେ ରକ୍ତଦାନ ପରି ମହତ୍ ଦାନ କରି ରୋଗୀ ମାନଙ୍କ ସେବା ନିମନ୍ତେ ନିଜ ଜୀବନକୁ ଉତ୍ସୁର୍ଗିକୃତ କରିଥିବା ଏହି ନର୍ସିଂ ଅଫିସର୍ ମାନେ ବାସ୍ତବରେ ପ୍ରଶଂସନୀୟ ଅଟନ୍ତି।

Comments are closed.