ଓଡ଼ିଆ ନ୍ୟୁଜ୍: ବହୁଚର୍ଚ୍ଚିତ ବଲାଙ୍ଗୀର ଜିଲା ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ବୁଧବାର ଉଭୟ ପକ୍ଷର ଓକିଲଙ୍କ ମଧ୍ୟରେ ପାଟଣାଗଡ଼ ଅତିରିକ୍ତ ଜିଲା ଦୌରାଜଜ୍ଙ୍କ କୋର୍ଟରେ ବିତର୍କ ପ୍ରକିୟା ଶେଷ ହୋଇଯାଇଛି। ଆସନ୍ତା ୨୮ରେ ଏହି ମାମଲାର ରାୟ ପ୍ରକାଶ ପାଇବ। ଅଭିଯୁକ୍ତ ପୁଞ୍ଜିଲାଲଙ୍କୁ କ’ଣ ଦଣ୍ଡ ମିଳିବ, ଯଦି ମିଳିବ ତା’ହେଲେ କି ପ୍ରକାର ଦଣ୍ଡ ମିଲିବ ଏବେ ତା’ଉପରେ ସମସ୍ତଙ୍କର ନଜର ରହିଛି। ମାମଲାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କୁ ବଲାଙ୍ଗୀର ଜେଲରୁ ଆଜି ମଧ୍ୟ କଡ଼ାସୁରକ୍ଷା ବଳୟ ଭିତରେ ପାଟଣାଗଡ଼ କୋର୍ଟକୁ ଅଣାଯାଇଥିଲା। କୋର୍ଟରେ ଉଭୟ ପକ୍ଷର ଓକିଲ ଶେଷ ପ୍ରକ୍ରିୟାର ବିତର୍କ କରିଥିଲେ।
ଏହି ବିତର୍କକୁ ଶୁଣିବା ପାଇଁ ପୁଞ୍ଜିଲାଲ ପରିବାର ବର୍ଗ, ବନ୍ଧୁ ବାନ୍ଧବ ଉପସ୍ଥିତ ଥିଲେ।ପୀଡ଼ିତା ପରିବାରଙ୍କ ଓକିଲ ଚିତ୍ତରଞ୍ଜନ କାନୁନ୍ଗୋଙ୍କ କହିବା ଅନୁସାରେ, ଅଭିଯୁକ୍ତଙ୍କ ବିରୋଧରେ ଯାହାସବୁ ତଥ୍ୟ ମିଳିଥିଲା ତାକୁ ଆମେ ସମ୍ପୂର୍ଣ୍ଣ ଭାବରେ ତଥ୍ୟ ଆଧାରରେ କୋର୍ଟରେ ପ୍ରମାଣ କରିଛୁ। ଠିକ୍ ଭାବରେ ତଦନ୍ତ ପ୍ରକିୟା ହୋଇଛି।