ବଲିଉଡ-ନେତା-ଜେଲ: କଂଗ୍ରେସ ନେତା ରାଜ ବବରଙ୍କୁ ୨ ବର୍ଷ ଜେଲ୍

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ବଲିଉଡରୁ ନେତା ଓ ନେତାରୁ ସିଧା ଜେଲ । ବଲିଉଡ୍ର ବରିଷ୍ଠ ଅଭିନେତା ତଥା କଂଗ୍ରେସ ନେତା ରାଜ ବବରଙ୍କୁ କୋର୍ଟ ଶୁଣାଇଲେ ଦୁଇ ବର୍ଷର ଜେଲ୍ ଦଣ୍ଡ । ଗୋଟିଏ ୨୬ ବର୍ଷ ତଳର ମାମଲାରେ ତାଙ୍କୁ ଲକ୍ଷ୍ନୌର ଏମପି-ଏମ୍ଏଲ୍ କୋର୍ଟ ଏହି ଦଣ୍ଡାଦେଶ ଦେଇଛନ୍ତି । ତା ସହିତ ୮୫୦୦ ଟଙ୍କାର ଅର୍ଥଦଣ୍ଡ ମଧ୍ୟ ଦେଇଛନ୍ତି ।

ରାଜ ବବର ୨୬ ବର୍ଷ ତଳେ ଭୋଟ୍ଦାନ କେନ୍ଦ୍ର ଭିତରେ ପଶି ଜଣେ ପୋଲିଂ ଅଧିକାରୀଙ୍କୁ ମାରପିଟ କରିଥିବା ଅଭିଯୋଗ ହୋଇଥିଲା । ସରକାରୀ କାମରେ ବାଧା ସୃଷ୍ଟି ଏବଂ ଅଧିକାରୀଙ୍କୁ ମାଡ଼ ମାରିବା ମାମଲାରେ ତାଙ୍କୁ ଏହି ଦଣ୍ଡାଦେଶ ହୋଇଛି । ତେବେ ଏହି ରାୟ ବିରୋଧରେ ସେ ଉପର କୋର୍ଟକୁ ଯିବେ ବୋଲି କହିଛନ୍ତି । ଅବଶ୍ୟ ରାଜ ବବରଙ୍କୁ ଏହି ମାମଲାରେ କୋର୍ଟ ମଧ୍ୟବର୍ତ୍ତୀ କାଳୀନ ଜାମିନ ମଞ୍ଜୁର କରିଛନ୍ତି ।

ଘଟଣା ଘଟିଥିଲା ୧୯୯୬ ମସିହା ମେ ୨ ତାରିଖରେ । ସେତେବେଳେ ରାଜ ବାବର ସମାଜବାଦୀ ପାର୍ଟି ତରଫରୁ ନିର୍ବାଚନ ଲଢୁଥିଲେ । ସେତିକି ବେଳେ ଏକ ଭୋଟ୍ଦାନ କେନ୍ଦ୍ରରେ ପଶି ପୋଲିଂ ଅଫିସର କୃଷ୍ଣସିଂହ ରାଣାଙ୍କୁ ମାରପିଟ୍ କରିଥିବା ଅଭିଯୋଗ ହୋଇଥିଲା । ସେ ତାଙ୍କ ଏତଲାରେ ଦର୍ଶାଇଥିଲେ ଯେ ରାଜ ବବର ଏବଂ ତାଙ୍କର ସମର୍ଥକମାନେ ଭୋଟ୍ଦାନ କେନ୍ଦ୍ରରେ ମାରପିଟ ଓ ଭଙ୍ଗାରୁଜା କରିଥିଲେ । ଆକ୍ରମଣରେ ପୋଲିଂ ଅଫିସର କୃଷ୍ଣସିଂହ ଆହତ ମଧ୍ୟ ହୋଇଥିଲେ । ଏହି ଗଣ୍ଡଗୋଳରେ ରାଜ୍ଙ୍କ ସହ ଅରବିନ୍ଦ ଯାଦବ ମଧ୍ୟ ଅଭିଯୁକ୍ତ ଥିଲେ । ତେବେ କେବେଠାରୁ ତାଙ୍କର ମୃତ୍ୟୁ ହୋଇ ସାରିଲାଣି । ଏହି ମାମଲାରେ ବର୍ତ୍ତମାନ କୋର୍ଟ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ।

 

Leave A Reply

Your email address will not be published.