ବୌଦ୍ଧ: ୧୦ ବର୍ଷ ହେବ ନିଖୋଜ ଥିବା ପୁଅ ସ୍ବେଛାସେବୀ ଅନୁଷ୍ଠାନ ଦ୍ବାରା ଉଦ୍ଧାର

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  ବୌଦ୍ଧ ଜିଲ୍ଲାର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ “ଉସର୍ଗ”  ପ୍ରୟାସରେ ୧୦ ବର୍ଷ ପରେ ପୁଅକୁ ଫେରି ପାଇଲେ ପରିବାର ଲୋକ l ବିଗତ ୧୦ ବର୍ଷ ହେଲା ନିଖୋଜ ରହିଥିବା ପୁଅ କାଳେ ମରିଯାଇଥିବ ଭାବି ଶୁଦ୍ଧିକ୍ରିୟା କରିବାକୁ ବନ୍ଧୁପରିଜନ ଅନେକ ପରାମର୍ଶ ଦେଉଥିବା ବେଳେ ହଠାତ୍ ପୁଅ ଜିବିତ ଥିବା ନେଇ ଖବର ପାଇ  ଖୁସିରେ ଆତ୍ମହରା ହୋଇ ପଡିଥିଲେ ପରିବାର ବନ୍ଧୁ ପରିଜନ ଲୋକେ । ବୌଦ୍ଧର ଅନ୍ୟତମ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ “ଉତ୍ସର୍ଗ ” ପକ୍ଷରୁ ଏନେଇ ପରିବାର ଲୋକଙ୍କୁ ସୂଚନା ଦେଇଥିଲେ । ବିହାରରୁ ୧୦ ବର୍ଷ ତଳେ ସାମାନ୍ୟ ମାନସିକ ବିକୃତି ସାଙ୍ଗକୁ ନିଶା ସେବନର କୁଅଭ୍ୟାସ ଫଳରେ ମିଟୁ ପାଣ୍ଡେ ନାମକ ଯୁବକ ଘର ଛାଡି କୁଆଡେ ଚାଲି ଯାଇଥିଲା । ଘର ଲୋକେ ଅନେକ ଖୋଜାଖୋଜି କରିବା ପରେ ମଧ୍ୟ ସନ୍ଧାନ ପାଇପାରିନଥିଲେ ।

ଅନ୍ୟପଟେ ବୌଦ୍ଧରେ ମାନସିକ ବିକୃତି ଥିବା ଜଣେ ଯୁବକ ନିଶା ସେବନ କରି ଦିନ ସାରା ଶାନ୍ତ ଶିଷ୍ଟ ଭଦ୍ର ଭାବରେ ବଜାର ମଧ୍ୟରେ ପରିଭ୍ରମଣ କରୁଥିଲା । ଏହାକୁ ଠାବ କରିଥିଲେ ସ୍ବେଛାସେବୀ ଉତ୍ସର୍ଗର ଆବାହକ ସଂପଦ କୁମାର ଅଗ୍ରୱାଲା ଏବଂ ସଦସ୍ୟ ଲୋକନାଥ ଗୁପ୍ତା । ବହୁଦିନ ଧରି ନିଶାଗ୍ରସ୍ତ ଅବସ୍ଥାରେ ରହୁଥିବା ଯୁବକ ସହିତ କଥାବାର୍ତା ହୋଇ ପରିବାର ସଂପର୍କରେ ସୂଚନା ହାସଲ କରିଥିଲେ । ସ୍ୱଳ୍ପ ସୂଚନାକୁ ଆଧାର କରି ଅନେକ ଖୋଜାଖୋଜି କରିବା ପରେ ମିଟୁର ଘର ବିହାରର ଲକ୍ଷିସରାୟ ଜିଲା ଅନ୍ତର୍ଗତ ମସହୋରା ଗ୍ରାମ ସଂପର୍କରେ ଜଣାପଡିଥିଲା । ପରେ ସେଠାକାର ସରପଂଚଙ୍କ ସହ ଯୋଗାଯୋଗ କରି ମିଟୁର ପରିବାରଙ୍କୁ ମିଟୁ ସଂପର୍କରେ ସୂଚନା ଦିଆଯାଇଥିଲା ।

ପ୍ରଥମରୁ ଅବିସ୍ୱାସ କରୁଥିବା ପରିବାର ଲୋକଙ୍କୁ ମିଟୁର ଫୋଟ ପଠାଇବା ସହିତ ଅନେକ ଆଲୋଚନା କରିବା ପରେ ସେମାନେ ବୁଝିପାରିଥିଲେ । ପରେ ମିଟୁର ବାପା ଦିଲିପ କୁମାର ପାଣ୍ଡେ , ଭେଣେଇ ସୁଧାକର ପାଣ୍ଡେ, ଭାଇ ସୋନୁ ପାଣ୍ଡେ ଓ ଗୁଡୁ ପାଣ୍ଡେ ବୌଦ୍ଧ ଆସି ପହଁଚିଥିଲେ । ମିଟୁ ସହିତ ଭେଟ ହେବା ସହିତ ମିଟୁର ଅବସ୍ଥା ଦେଖି ତାର ବାପାର ଆଖିରୁ ମଧ୍ୟ ଲୋହ ଝରିପଡିଥିଲା । ଉତ୍ସର୍ଗର ସଦସ୍ୟମାନଙ୍କ ସହାୟତାରେ ମିଟୁକୁ ବାଳଦାଢ଼ୀ କଟାଯିବା ସହ ଗାଧୋଇ ନୂଆ ଡ୍ରେସ ପିନ୍ଧାଯାଇଥିଲା । ଏସବୁ ହେବାପରେ ତାକୁ ଘରକୁ କିପରି ସୁରକ୍ଷିତ ଭାବେ ଫେରାଇ ନିଆଯିବ ସେନେଇ ସମସ୍ୟା ଦେଖାଦେଇଥିଲା । ମିଟୁର ବାପାଙ୍କ ଆର୍ଥିକ ସ୍ୱଚ୍ଛଳ ଭଲ ନଥିବାରୁ ଗାଡି କରି ବିହାରକୁ ନେବା ସମ୍ଭବ ହୋଇପାରୁନଥିଲା । ଏହି ସମୟରେ ଜିଲା ପ୍ରଶାସନ ସହଯୋଗର ହାତ ବଢ଼ାଇଥିଲା ।

ଜିଲାପାଳ ସତ୍ୟରଂଜନ ସାହୁ ସମସ୍ତ ବିଷୟରେ ଅବଗତ ହେବାପରେ ପ୍ରଶାସନ ପକ୍ଷରୁ ରେଡକ୍ରସ ମାଧ୍ୟମରେ ଏକ ଗାଡି ଯୋଗାଇ ଦେଇଥିଲେ । ଜିଲାପାଳ ସତ୍ୟରଂଜନ ସାହୁ ମିଟୁ ଓ ତାର ପରିବାର ସଦସ୍ୟମାନଙ୍କ ସହିତ ଆଲୋଚନା କରିବା ସହିତ ୧୦ ବର୍ଷ ପରେ ହେଲେବି ପରିବାର ଲୋକେ ହଜିଯାଇଥିବା ପୁଅକୁ ଫେରିପାଇଥିବାରୁ ଶୁଭେଚ୍ଛା ଜଣାଇଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମରେ ଉତ୍ସର୍ଗର ସଦସ୍ୟ ଦିପକ ଅଦର, ମିଥୁନ ସାହୁ, ବିନୋଦ ଗୁପ୍ତା, ଦେବାଶିଷ ପୁରୋହିତ, ସାମ୍ବାଦିକ ସତ୍ୟନାରାୟଣ ପାଣି ପ୍ରମୁଖ ସହଯୋଗ କରିଥିଲେ । ମିଟୁ ଓ ତାର ପରିବାର ଲୋକେ ଜିଲାପାଳଙ୍କୁ ସାକ୍ଷାତ କରିବା ସମୟରେ ଏନ୍‌ଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର, ଡିଆଇପିଆରଓ ରିତାକାନ୍ତି ବଳିୟାର ସିଂ ଙ୍କ ସମତେ ଅନ୍ୟମାନେ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.