ବ୍ୟର୍ଥ ଗଲାନି ମା’ର ନିବେଦନ: ପୁଅ ପାଇଁ ହେଲା ଚିକିତ୍ସା ବ୍ୟବସ୍ଥା କଲା ବି.ଏସ୍.କେ.ୱାଇ. ଟିମ୍

0
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ନିଜ ପୁଅର ଚିକିତ୍ସା ନିମନ୍ତେ ନୂଆପଡା ଜିଲ୍ଲା ସିନାପାଲୀ ବ୍ଲକ ଅନ୍ତର୍ଗତ ମଖାପଦର ଗ୍ରାମର ବୟସ୍କ ବିଧବା ମହିଳା କପୁର ବନଛୋରଙ୍କ ନିବେଦନ ବିଷୟ ଗଣମାଧ୍ୟମରୁ ଜାଣିବା ମାତ୍ରେ, ବି.ଏସ୍.କେ.ୱାଇ. ଟିମ୍ ପକ୍ଷରୁ ତାଙ୍କର ସହାୟତା ପାଇଁ ଉଦ୍ୟମ ଆରମ୍ଭ ହୋଇଥିଲା।
ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଶୋଭାରାଣୀ ମିଶ୍ରଙ୍କ ନିର୍ଦ୍ଦେଶ ମତେ ସିନାପାଲୀ କମ୍ୟୁନିଟି ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ତଥା ଭାରପ୍ରାପ୍ତ ମେଡିକାଲ ଅଫିସର କପୁରଙ୍କ ଘରକୁ ଯାଇ ତାଙ୍କ ଦୁଇ ପୁଅଙ୍କର ସ୍ୱାସ୍ଥ୍ୟ ଅବସ୍ଥା ତନଖି କରିଥିଲେ, ପରୀକ୍ଷାରୁ ଜଣାପଡିଥିଲା ଯେ, ଭୀମସେନ ବନଛୋର (କପୁରଙ୍କ ୨ୟ ପୁତ୍ର) ୨୦୨୨ ମସିହାରେ ବାତଜ୍ଵରରେ ଆକ୍ରାନ୍ତ ହୋଇ କଷ୍ଟ ପାଇଥିଲେ। ତାଙ୍କୁ ସ୍ଥାନୀୟ ଖଡିଆଳ ମିଶନ ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା କରଯାଇଥିଲା। ତେବେ ଉଚ୍ଚତର ଚିକିତ୍ସା ନିମନ୍ତେ କୌଣସି ସୁପର ସ୍ପେସାଲିଟି ହସ୍ପିଟାଲକୁ ନେବାପାଇଁ ମଧ୍ୟ ସ୍ଥାନୀୟ ଡାକ୍ତର ପରାମର୍ଶ ଦେଇଥିଲେ। ଗ୍ରାମବାସୀଙ୍କ ସାହାଯ୍ୟରେ ଭୀମସେନ ରାୟପୁର ସ୍ଥିତ ବାଲାଜୀ ହସ୍ପିଟାଲରେ ତା. ୦୪/୦୯/୨୦୨୨ ରୁ ତା. ୧୨/୦୯/୨୦୨୨ ରିଖ ପର୍ଯ୍ୟନ୍ତ ଚିକିତ୍ସା ନେଇ ଘରକୁ ଫେରିଥିଲେ। ତାଙ୍କର ଚିକିତ୍ସା ବାବଦରେ ୪୧,୦୦୦/- ଟଙ୍କାର ଖର୍ଚ୍ଚ ବି.ଏସ୍.କେ.ୱାଇ. ମାଧ୍ୟମରେ ଓଡିଶା ସରକାର ପଇଠ କରିଥିଲେ।
ପରେ, ପୁନଶ୍ଚ ଅସୁସ୍ଥ ଅନୁଭବ କରିବାରୁ ଭୀମସେନ ତା. ୧୯/୦୫/୨୦୨୩ ରିଖ ଦିନ ଭୁବନେଶ୍ଵର ଏମ୍ସ୍ ହସପିଟାଲକୁ ଯାଇ ଡାକ୍ତର ପରାମର୍ଶ କରିଥିଲେ। ଡାକ୍ତର ଔଷଧ ଖାଇବା ନିମନ୍ତେ ତାଙ୍କୁ ପ୍ରେସକ୍ରିପସନ୍ ଲେଖିଛନ୍ତି ଏବଂ ଔଷଧ ଖାଇବା ସହ ଆସନ୍ତା ତା.୦୬/୧୨/୨୦୨୩ ରିଖ ଦିନ ବ୍ରେନ ଏମ୍.ଆର.ଆଇ. କରିବା ପାଇଁ କହିଛନ୍ତି। ଇତି ମଧ୍ୟରେ ଏମ୍ସ୍ ର ଡାକ୍ତର ଲେଖିଥିବା ଆଣ୍ଟିଏପିଲେପଟିକ  ଔଷଧ ସବୁ ନିରାମୟ ଯୋଜନା ମାଧ୍ୟମରେ ଭିମସେନଙ୍କୁ ମାଗଣାରେ ସିନାପାଲୀ ଡାକ୍ତରଖାନାରୁ ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯାଇଛି। ଏହାଛଡା ପରବର୍ତ୍ତୀ ସମୟରେ ଏମ୍ସ୍ ରେ ଚିକିତ୍ସା ପାଇଁ ଯାତାୟାତ ନିମନ୍ତେ ତାଙ୍କୁ ଆର୍ଥିକ ସହାୟତା ଦେବାର ବ୍ୟବସ୍ଥା କରାଯାଇଛି।
କପୁରଙ୍କ ୧ମ ପୁତ୍ର ରୂପଧର ବନଛୋର (୩୧ ବର୍ଷ) ଜଣେ ଶତ ପ୍ରତିଶତ ମାନସିକ ଭିନ୍ନକ୍ଷମ ରୋଗୀ ବୋଲି ତନଖିରୁ ଜଣାପଡିଥିଲା। ତାଙ୍କ ପାଇଁ ଆବଶ୍ୟକୀୟ ଔଷଧ ଓ ପରାମର୍ଶ ଦିଆଯାଇଛି ଏବଂ ମାସିକ ୭୦୦ ଟଙ୍କାର ଭିନ୍ନକ୍ଷମ ଭତ୍ତା ମଞ୍ଜୁର କରାଯାଇଛି। କପୁର ବନଛୋରଙ୍କୁ ବିଧବା ଭତ୍ତା ଦିଆଯିବା ସହ ତାଙ୍କ ପରିବାରକୁ ଖାଦ୍ୟ ନିରାପତ୍ତା ଯୋଜନାରେ ସାମିଲ କରାଯାଇଛି ।
ଗରିବ ମା’ର ପିଲାଙ୍କ ଚିକିତ୍ସା ନିମନ୍ତେ ବି.ଏସ୍.କେ.ୱାଇ. ଟିମ୍ ର ଏତାଦୃଶ ପ୍ରଚେଷ୍ଟା କୁ ସ୍ଥାନୀୟ ବୁଦ୍ଧିଜୀବୀ ସନ୍ତୋଷ ପ୍ରକାଶ କରିଛନ୍ତି। ଗରିବ ପରିବାରଙ୍କ ଦୁଃଖ କଥା ଦୃଷ୍ଠିକୁ ଆଣିଥିବାରୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବି.ଏସ୍.କେ.ୱାଇ. ଟିମ୍ ଗଣମାଧ୍ୟମକୁ ଧନ୍ୟବାଦ ଜଣାଇଛନ୍ତି।

Leave A Reply

Your email address will not be published.