ଅମୃତମଣୋହି ଜମି ମହାପ୍ରଭୁଙ୍କୁ ଫେରାଇବା ଅଭିଯାନ, ପୁରୀ ଉର ଗ୍ରାମରେ ବେଦାନ୍ତ ବିରୋଧୀଙ୍କ ସଭା।

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ପୁରୀ- କୋଣାର୍କ ବେଳାଭୂମି ମାର୍ଗ ଉପକଣ୍ଠ ୨୨ ମୌଜା ଅଞ୍ଚଳର ପ୍ରାୟ ୧୦ ହଜାରରୁ ଉର୍ଦ୍ଧ୍ଵ ଏକରର ମୂଲ୍ୟବାନ ଚାଷଜମି ଓ ଘରବାରୀ ଜମିକୁ ଶାଗମାଛ ଦରରେ ଏକ ବିଶ୍ବସ୍ତରୀୟ ବିଶ୍ବବିଦ୍ୟାଳୟ କରିବା ଆଳରେ ବେଦାନ୍ତ କମ୍ପାନୀ ହାତେଇନେଇ ଥିଲା । ବେଦାନ୍ତ କମ୍ପାନୀକୁ ଏହି ଜମି ହସ୍ତାନ୍ତର କରିବା ପାଇଁ ରାଜ୍ୟ ସରକାର ଅହେତୁକ ଅନୁକମ୍ପା ଦର୍ଶାଇ ସରକାରୀ ଜମି, ସ୍ଥିତିବାନ ଜମି ସହ ଶ୍ରୀଜଗନ୍ନାଥଙ୍କ ଅମୃତ ମଣୋହୀ ଜମି ମଧ୍ୟ ହସ୍ତାନ୍ତର କରିଥିଲେ । ଯାହାକୁ ନେଇ ତୀବ୍ର ଜନ ଅସନ୍ତୋଷ ମୁଣ୍ଡ ଟେକିଥିଲା ଓ ପରବର୍ତ୍ତୀ ସମୟରେ ବେଦାନ୍ତ ବିଶ୍ବବିଦ୍ୟାଳୟ ବିରୋଧି ସଂଘର୍ଷ ସମିତି ଏହାକୁ ଦୃଢ଼ ବିରୋଧ କରିଥିଲା ।

ପୂର୍ବତନ ବିଧାୟକ ଉମାବଲ୍ଲଭ ରଥଙ୍କ ନେତୃତ୍ବରେ ବେଦାନ୍ତ ବିରୋଧୀମାନେ କେବଳ ପୁରୀ ସହର ନୁହେଁ, ରାଜ୍ୟବାସୀଙ୍କୁ ଏହି ବେଆଇନ୍ ଜମି ହସ୍ତାନ୍ତର ନେଇ ସଚେତନ କରିବା ସହ ନୂଆଦିଲ୍ଲୀ ଠାରେ ବିଶାଳ ଶୋଭାଯାତ୍ରାରେ ପ୍ରତିବାଦ କରିଥିଲେ । ଶେଷରେ ହାଇକୋର୍ଟଙ୍କ ଠାରୁ ସୁପ୍ରିମକୋର୍ଟ ଯାଏଁ ବେଦାନ୍ତ କମ୍ପାନୀର ଏହି ଜମି ଦଖଲକୁ ବେଆଇନ ଦର୍ଶାଇବା ସହ କମ୍ପାନୀକୁ ପ୍ରତ୍ୟକ୍ଷ ଭାବେ ସହଯୋଗ କରିଥିବା ରାଜ୍ୟ ସରକାରଙ୍କୁ ବି ଭର୍ତ୍ସନା କରିଛନ୍ତି। ଏବେ ଜମିହରା ପ୍ରଜାମାନେ କିପରି ତାଙ୍କ ଜମି ଫେରିପାଇବେ ସେ ନେଇ ପୁଣି ସଂଘର୍ଷ ଆରମ୍ଭ କରୁଥିବା ଜଣାଯାଇଛି।

ଆଜି ପୂର୍ବାହ୍ନରେ ପୁରୀ ସଦର ୨୨ ମୌଜା ଅନ୍ତର୍ଗତ ଉର ଗ୍ରାମ ର ଆରାଧ୍ୟା ଦେବ ପ୍ରଭୂ ମହାବୀର ଙ୍କ ମନ୍ଦିର ପ୍ରାଙ୍ଗଣରେ ବେଦାନ୍ତ ବିଶ୍ବବିଦ୍ୟାଳୟ ବିରୋଧି ସଙ୍ଘର୍ଷ ସମିତି ସଭାପତି ଦାମୋଦର ପ୍ରଧାନ ଙ୍କ ସଭାପତିତ୍ବରେ ଜମିହରା ପ୍ରଜାମାନେ କିପରି ତାଙ୍କ ଜମି ଫେରିପାଇବେ ସେନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅନ୍ୟମାନଙ୍କ ମଧ୍ୟରେ ବିଷ୍ଣୁ ପ୍ରସାଦ ମିଶ୍ର, କୈଳାସ ଚନ୍ଦ୍ର ସ୍ଵାଇଁ, ହରପ୍ରସାଦ ଜେନା, ଲକ୍ଷ୍ମଣ ପ୍ରଧାନ,ଶରତ ଚନ୍ଦ୍ର ସାହୁ, ପର୍ଶୁରାମ ପ୍ରଧାନ, ଗଙ୍ଗାଧର ପ୍ରଧାନ,ବ୍ରଜ ବେହେରା, କିଶୋର ପ୍ରଧାନ, ପ୍ରଭାକର ସ୍ୱାଇଁ, ପ୍ରଭୃତି ଶତାଧିକ ଗ୍ରାମବାସୀ ଯୋଗଦାନ କରିଥିଲେ।

Leave A Reply

Your email address will not be published.