ହୋଲି ପୂର୍ବରୁ ପ୍ରାଇଭେଟ ଚାକିରିଆଙ୍କୁ ଝଟକା ଦେଲେ କେନ୍ଦ୍ର ସରକାର, କମାଇଲେ ଇପିଏଫ ସୁଧହାର

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  ପ୍ରାଇଭେଟ କର୍ମଚାରୀଙ୍କୁ ଝଟକା  ଦେଲେ କେନ୍ଦ୍ର ସରକାର। କମାଇଲେ ଇପିଏଫ ସୁଧହାର। ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଇପିଏଫ ସଦସ୍ୟମାନଙ୍କୁ ୮.୧% ହାରରେ ସୁଧ ଦେବାକୁ ନିଷ୍ପତ୍ତି ନେଇଛି।  ଏହା ୨୦୨୦-୨୧ର ୮.୫% ସୁଧ ତୁଳନାରେ ୦.୪% କମ୍।

ମିଳିଥିବା ସୂଚନା ମୁତାବକ ଗତ ଚାରି ଦଶନ୍ଧି ମଧ୍ୟରେ ଇପିଏଫ୍‌ଓ ସୁଧ ହାର ସର୍ବନିମ୍ନ  ସ୍ତରକୁ ଖସିଛି।  ଶେଷ ଥର ଲାଗି ୧୯୭୭-୭୮ରେ ଇପିଏଫ୍‌ଓ ସୁଧ ସବୁଠୁ କମ୍ ୮% ଜମା କରିଥିଲା। ତାହାର ପରବର୍ତ୍ତୀ ସମୟରେ ସୁଧ ୮.୨୫% କିମ୍ବା ତା’ଠାରୁ ଅଧିକ ରହୁଥିଲା। ଶେଷ ଥର ଲାଗି ୨୦୧୧-୧୨ ଆର୍ଥିକ ବର୍ଷରେ ସଦସ୍ୟମାନଙ୍କୁ ୮.୨୫% ସୁଧ ପ୍ରଦାନ କରାଯାଇଥିଲା। କରୋନା ମହାମାରୀ ଇପିଏଫ୍‌ଓର ଆୟକୁ ଗୁରୁତର ଭାବେ ପ୍ରଭାବିତ କରିଛି। ତେଣୁ, ୨୦୧୯-୨୦ ଆର୍ଥିକ ବର୍ଷର ୮.୫% ସୁଧ ଦେବାରେ ବହୁ ବିଳମ୍ବ ହୋଇଥିଲା ଏବଂ ଶେଷରେ ତାହାକୁ ଦୁଇଟି କିସ୍ତିରେ ଜମା କରାଯାଇଥିଲା।

ସୁଧ ହ୍ରାସ ପାଇ ବଜାର ସ୍ଥିତିକୁ ଦାୟୀ କରିଛନ୍ତି ଶ୍ରମ ମନ୍ତ୍ରୀ ଭୁପେନ୍ଦର ସିଂହ ଯାଦବ। ସେ କହିଛନ୍ତି ଯେ ବିଶ୍ବ ସ୍ତରରେ ଘଟୁଥିବା ଘଟଣାବଳୀ ଓ ଇକ୍ବିଟି ବଜାର ସ୍ଥିତି ଉପରେ ନଜରରେ ରଖି ସାମାଜିକ ନିରାପତ୍ତା ସହ ନିବେଶରେ ସନ୍ତୁଳନ ରକ୍ଷା କରିବାକୁ ଆମେ ପ୍ରାଥମିକତା ଦେଉଛୁ। ଆମେ ଅଧିକ ବିପଦ ଥିବା ଆର୍ଥିକ ଉପକରଣରେ ନିବେଶ କରିବା ବିକଳ୍ପ ଚୟନ କରିପାରିବୁ ନାହିଁ। ଆମେ ବଜାରର ସ୍ଥିତି ନିର୍ଧାରଣ କରିପାରିବୁ ନାହିଁ। ତେଣୁ ଟ୍ରଷ୍ଟି ବୋର୍ଡ ୮.୧% ସୁଧ ପାଇଁ ସୁପାରିସ କରିଛି। କେନ୍ଦ୍ରୀୟ ଟ୍ରଷ୍ଟି ବୋ‌ର୍ଡର ସଦସ୍ୟ ଏ କେ ପଦ୍ମନାଭନ କହିଛନ୍ତି ଯେ ସୁଧ ହରରେ ହ୍ରାସ ଇପିଏଫ୍‌ଓର ନିୟୁତାଧିକ ସଦସ୍ୟମାନଙ୍କ ପାଇଁ ବଡ଼ ନିରାଶାର ବିଷୟ। ସାରା ଅର୍ଥନୀତି ଦୁର୍ଦ୍ଦଶା ଦେଇ ଗତି କରୁଛି। ସୁଧ ହାର ହ୍ରାସରେ ତାହା ପ୍ରତିଫଳିତ ହୋଇଥିବା ସେ କହିଛନ୍ତି। ଇପିଏଫ୍‌ଓର କେନ୍ଦ୍ରୀୟ ଟ୍ରଷ୍ଟି ବୋ‌ର୍ଡ ହେଉଛି ତ୍ରିପାକ୍ଷିକ ବୋର୍ଡ ଯେଉଁଥିରେ ସରକାର, ଶ୍ରମ ସଂଗଠନ ଓ ନିଯୁକ୍ତିଦାତାଙ୍କ ପ୍ରତିନିଧି ସଦସ୍ୟ ରହିଛନ୍ତି। ଟ୍ରଷ୍ଟି ବୋର୍ଡର ସୁପାରିସକୁ ଅର୍ଥ ମନ୍ତ୍ରଣାଳୟ ଅନୁମୋଦନ ପ୍ରଦାନ କରି ବିଜ୍ଞପ୍ତି ଜାରି ହେବା ପରେ ସୁଧ ରାଶି ସଦସ୍ୟଙ୍କ ଖାତାରେ ଜମା ହୋଇଥାଏ।

Leave A Reply

Your email address will not be published.