ଖଲ୍ଲିକୋଟରେ ନିର୍ବାଚନୀ ହିଂସାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିନ୍ଦା

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଖଲ୍ଲିକୋଟରେ ନିର୍ବାଚନୀ ହିଂସାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିନ୍ଦା କରିଛନ୍ତି। ଖଲ୍ଲିକୋଟ ଶ୍ରୀକୃଷ୍ଣଶରଣପୁର ରାଜନୈତିକ ହିଂସାକାଣ୍ଡ ଘଟଣାରେ ୮ ଗିରଫ। ଆକ୍ରମଣକାରୀଙ୍କ ମଧ୍ୟରୁ ୮ ଜଣଙ୍କୁ ଗିରଫ କଲା ପୋଲିସ। ପୋଷ୍ଟର ମାରିବାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ବିଜେପି ଓ ବିଜେଡି କର୍ମୀଙ୍କ ମଧ୍ୟରେ ହଣାହଣି ଭଳି ଘଟଣା ଦେଖିବାକୁ ମିଳିଥିଲା। ଉଭୟ ପକ୍ଷର ୭ ଜଣ ଆହତ ଏବଂ ଜଣଙ୍କ ମୃତ୍ୟୁ ହୋଇଛି।

ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୁଃଖ ପ୍ରକାଶ କରିଛନ୍ତି। ସୋସିଆଲ ମିଡ଼ିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଖଲ୍ଲିକୋଟ ଅଞ୍ଚଳରେ ଘଟିଥିବା ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ତଥା ଦୁଃଖଦ। ମୁଁ ଏନେଇ ଗଭୀର ବିବ୍ରତ ଓ ଦୁଃଖିତ। ଏଭଳି ହିଂସା ଘଟଣାର ଆମ ଗଣତନ୍ତ୍ର ଏବଂ ନାଗରିକ ସମାଜରେ କୌଣସି ସ୍ଥାନ ନାହିଁ | ମୁଁ ଏହି ଘଟଣାକୁ ଦୃଢ଼ ନିନ୍ଦା କରୁଛି। ନିଜ ପ୍ରିୟଜନଙ୍କୁ ହରାଇଥିବା ପୀଡ଼ିତ ପରିବାରଙ୍କୁ ମୋର ଗଭୀର ସମବେଦନା। ଆହତମାନଙ୍କ ଶୀଘ୍ର ସୁସ୍ଥତା ପାଇଁ ପ୍ରାର୍ଥନା କରୁଛି। ମୁଁ ନିଶ୍ଚିତ ଯେ ଏହି ଜଘନ୍ୟ ଅପରାଧର ଅପରାଧୀଙ୍କ ବିରୋଧରେ ପୋଲିସ ଦୃଢ଼ ତଥା ଦୃଷ୍ଟାନ୍ତମୁଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।

ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ବିଜେପି କର୍ମୀଙ୍କ ଉପରେ ସଂଘବଦ୍ଧ ଆକ୍ରମଣ ହୋଇଥିଲା। ଆକ୍ରମଣରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ କର୍ମୀଙ୍କ ମୃତ୍ୟୁ ହୋଇଥିଲା। ଘଟଣାକୁ ନେଇ ପରିବାର ଲୋକଙ୍କ ସହ ଥାନା ଘେରାଉ କରିଛି ବିଜେପି। ଫଳରେ ଖଲ୍ଲିକୋଟରୁ ଭୁବନେଶ୍ୱରକୁ ଯାତାୟତ ପ୍ରଭାବିତ ହୋଇଛି। ଅନ୍ୟ ଜଣେ ଗୁରୁତରଙ୍କୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଛି। ଗତକାଲି ରାତିରେ ପୋଷ୍ଟର ବ୍ୟାନର ଲାଇବାକୁ ନେଇ ଏହି ରାଜନୈତିକ ହିଂସାକାଣ୍ଡ ଘଟିଥିଲା।

Comments are closed.