ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଚୀନର ଋଣ ଜାଲରେ ଛଟପଟ ଛୋଟ ଛୋଟ ରାଷ୍ଟ୍ର। ଛୋଟ ଛୋଟ ଦେଶ ଗୁଡିକୁ ଟାର୍ଗେଟ କରି ପ୍ରଥମେ ଋଣ ଦେଉଛି । ଏହାପରେ ଋଣ ସୁଝିନପାରି ଦେବାଳିଆ ପରିସ୍ଥିତି ଆସିବା ପରେ ପରେ ଋଣ ସୁଝିବା ପାଇଁ ମଧ୍ୟ ଋଣ ଦେଉଛି ଚୀନ୍। ଅହିପରି ସାରା ବିଶ୍ବରେ ଥିବା ଛୋଟ ଛୋଟ ଦେଶ ଗୁଡିକୁ ଋଣ ଦେଇ ଦେବାଳିଆ କରିବାରେ ଲାଗିଛି ଚୀନ୍। ଋଣ ଶୁଝିନପାରିଲେ ସେଠାକାର ପ୍ରାକୃତିକ ସମ୍ପଦ ଉପରେ କବଜା କରୁଛି ଚୀନ୍ । ଆମେରିକା ସାରା ବିଶ୍ବରେ ଅଧିକ ଋଣ ଦେଉଥିବା ଦେଶ ଭିତରେ ଥିବା ବେଳେ ଚୀନ ଆମେରିକାକୁ ଟପିବାକୁ ବସିଲାଣି । ଅଳ୍ପ ରୋଜଗାର ଥିବା ଦେଶ ଗୁଡିକୁ ଟାର୍ଗେଟ କରୁଛି ଚାଇନା । ସେମାନଙ୍କ ସ୍ଥିତି ସୁଧାରିବା ନାଁରେ ଋଣ ଜାଲ ବିଛାଇ ସେହି ଦେଶଗୁଡିକୁ ଫସାଇବାକୁ ଚେଷ୍ଟା କରୁଛି ବୋଲି ଆମେରିକାର ଏକ ଗବେଷଣାରୁ ସ୍ପଷ୍ଟ ହୋଇଛି । ଛୋଟ ଛୋଟ ଦେଶ ଆଇଏମଏଫରୁ ଋଣ ନନେଇ ଚୀନଠୁ ନେବାକୁ ପସନ୍ଦ କରୁଛନ୍ତି । ଯେତେ ମାଗୁଛନ୍ତି ସେତିକି ଦେବାକୁ ଚୀନ ସରକାର ରାଜି ହେଉଛନ୍ତି । ସେମାନେ ଋଣ ସୁଝି ନପାରିଲେ ଦେବାଳିଆ ସ୍ଥିତିରୁ ଉଦ୍ଧାର ପାଇଁ ପୁଣି ଋଣ ଦେଉଛି ବୋଲି ଆମେରିକା କହିଛି ।ଆଙ୍ଗୋଲା, ଆର୍ଜେଣ୍ଟିନା, ବେଲାରୁସ, ବୁଲଗେରିଆ, ଇଜିପ୍ଟ, କେନିଆ ଭଳି ଦେଶକୁ ଟାର୍ଗେଟ କରୁଛି ଚୀନ୍ । ଚୀନର ଏଭଳି ଉଦ୍ୟମ ଦ୍ବାରା ସାରା ବିଶ୍ବର ଆର୍ଥିକ ସ୍ଥିତି ଉପରେ ସଙ୍କଟ ସୃଷ୍ଟି ହେଉଛି । ଗତକିଛି ବର୍ଷ ମଧ୍ୟରେ ଚାଇନା ୨୪୦ ବିଲିୟନ ଡଲାର ଅନ୍ୟ ଦେଶକୁ ସହାୟତା କରିଛି । ୨୦୨୧ରେ ଚାଇନା ଯେଉଁ ଦେଶକୁ ୪୦ ବିଲିୟନ ଡଲାର ସହାୟତା କରିଥିଲା, ସେହି ଦେଶଗୁଡିକୁ ୬୮ ବିଲିୟନ ଡଲାର ସହାୟତା କରିଛି ଆଇଏମଏଫ ।
ଏପଟେ ସାଂଘାଇ ସହଯୋଗ ସଂଗଠନ (ଏସ୍ସିଓ) ବୈଠକରେ ବୁଧବାର ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଚୀନ୍କୁ କଡ଼ା ବାର୍ତ୍ତା ଦେଇଛନ୍ତି। ସେ କହିଛନ୍ତି, ସଂଗଠନର ପ୍ରତ୍ୟେକ ସଦସ୍ୟ ଅନ୍ୟ ରାଷ୍ଟ୍ରର ଆଞ୍ଚଳିକ ଅଖଣ୍ଡତା ପ୍ରତି ସମ୍ମାନ ଦେବା ଏବଂ ସୀମାରେ ପଡ଼ୋଶୀ ରାଷ୍ଟ୍ର ଉପରେ ଏକପାଖିଆ ସାମରିକ ପ୍ରଭୁତ୍ବ ଦେଖାଇବା ଅନୁଚିତ।ଏସ୍ସିଓର ବରିଷ୍ଠ ସୁରକ୍ଷା ଅଧିକାରୀମାନଙ୍କ ବୈଠକରେ ଉଦ୍ବୋଧନ ଦେଇ ଡୋଭାଲ ଆଞ୍ଚଳିକ ସଂଯୋଗ ଉପରେ ଗୁରୁତ୍ବ ଦେଇଥିଲେ। ସେ କହିଥିଲେ, ଏପରି ଉଦ୍ୟମ ପରସ୍ପର ପରାମର୍ଶମୂଳକ ଓ ସ୍ବଚ୍ଛ ହେବା ଦରକାର ଏବଂ ସବୁ ଦେଶର ସାର୍ବଭୌମତ୍ବ ପ୍ରତି ସମ୍ମାନ ରହିବା ଉଚିତ। ପାକ୍-ଅଧିକୃତ କାଶ୍ମୀର ଦେଇ ଯାଉଥିବା ଚୀନ୍-ପାକିସ୍ତାନ ଅର୍ଥନୈତିକ କରିଡରକୁ ଭାରତ ବାରମ୍ବାର ବିରୋଧ କଲେ ମଧ୍ୟ ଚୀନ୍ ଶୁଣୁ ନ ଥିବା ବେଳେ ଏହି ପରିପ୍ରେକ୍ଷୀରେ ଡୋଭାଲଙ୍କ ମନ୍ତବ୍ୟ ତାତ୍ପର୍ଯ୍ୟପୂର୍ଣ୍ଣ। ଏହି ବୈଠକରେ ରୁଷ୍ର ସୁରକ୍ଷା ପରିଷଦ ସଦସ୍ୟ ନିକୋଲାଇ ପାତ୍ରୁସେଭ ଏବଂ କାଜାଖସ୍ତାନ, କିରଗିଜସ୍ତାନ, ତାଜିକିସ୍ତାନ ଓ ଉଜବେକିସ୍ତାନର ବରିଷ୍ଠ ଅଧିକାରୀ ତଥା ଏସ୍ସିଓର ଆଞ୍ଚଳିକ ଆତଙ୍କବାଦ-ନିରୋଧୀ ଢାଞ୍ଚା (ଆର୍ଏଟିଏସ୍)ର ପ୍ରତିନିଧି ଯୋଗ ଦେଇଥିଲେ।