ଓଡ଼ିଶା ରାଜନୀତିର ପାଣ୍ଡିଆନକରଣ: ମୁଖ୍ୟମନ୍ତ୍ରୀଙ୍କୁ ୫ଟି ଓ ବିଜେପିକୁ ଗୋଟିଏ ପ୍ରଶ୍ନ କଲା କଂଗ୍ରେସ

0
ଓଡ଼ିଆ ନ୍ୟୁଜ୍(କେନ୍ୟୁଜ୍):  ସଂପ୍ରତି ଓଡ଼ିଶା ରାଜନୀତିର ପାଣ୍ଡିଆନକରଣ ବିଲକ୍ଷଣକୁ ନେଇ କଂଗ୍ରେସ ତରଫରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ୫ଟି ଓ ଓଡ଼ିଶାର ବିଜେପି ନେତାଙ୍କୁ ଗୋଟିଏ ପ୍ରଶ୍ନ ପଚରାଯାଇଛି । ଓଡ଼ିଶା ରାଜନୀତିରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଶ୍ରୀ ଭିକେ ପାଣ୍ଡିଆନକୁ ନେଇ ଯେଉଁ ହଟଚମଟ ସୃଷ୍ଟି ହୋଇଛି ତାକୁ ନେଇ କଂଗ୍ରେସର ମୁଖପାତ୍ର ସୁଦର୍ଶନ ଦାସ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ୫ଟି ପ୍ରଶ୍ନ ପଚାରିବା ମାଧ୍ୟମରେ ବିଜେଡ଼ି ଓ ତାଙ୍କ ଦଳର ନେତାଙ୍କ ଉପରେ ବର୍ଷିଛନ୍ତି ।
ବାସ୍ତବରେ ବର୍ତମାନ ଓଡ଼ିଶାର ମୁଖ୍ୟମନ୍ତ୍ରୀ କିଏ? ଏହି ପ୍ରଶ୍ନ ପଚାରି ଶ୍ରୀ ଦାସ କହିଛନ୍ତି ବିଜେଡ଼ିର ସାଂସଦ ଶ୍ରୀମତୀ ପ୍ରମିଳା ମଲ୍ଲିକ ଏକ ଭରା ସାଧାରଣ ସଭାରେ ଭିକେ ପାଣ୍ଡିଆନଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ବୋଲି ସମ୍ବୋଧନ କରିଥିଲେ । ଆଜି ପର୍ଯ୍ୟନ୍ତ ତାଙ୍କର ସେହି ଭୁଲକୁ ନେଇ ବିଜେଡ଼ି ଦଳର କୌଣସି ମୁଖପାତ୍ର ବା ନେତା କିମ୍ବା ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ରଖାଯାଇ ନାହିଁ । ଶ୍ରୀ ପାଣ୍ଡିଆନ ବିଭିନ୍ନ ଜିଲ୍ଲାକୁ ଗସ୍ତବେଳେ ଯେଉଁ ଥାଟବାଟରେ ସଭାସମତି ଆୟୋଜନ କରାଯାଉଛି ଓ ପୋଲିସ ଏବଂ ପ୍ରଶାସନକୁ ବ୍ୟବହାର କରାଯାଉଛି ତାହା ମୁଖ୍ୟମନ୍ତ୍ରୀଙ୍କ ଗସ୍ତଠାରୁ କୌଣସି ଗୁଣରେ କମ୍‌ନୁହେଁ । ତେଣୁ ଓଡ଼ିଶାବାସୀଙ୍କ ଭିତରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ କିଏ ବୋଲି ପ୍ରଶ୍ନ ଆଦୌ ଅବାନ୍ତର ନୁହଁ ବୋଲି ଶ୍ରୀ ଦାସ ସାମ୍ବାଦିକ ମାନଙ୍କୁ ସମ୍ବୋର୍ଦ୍ଧିତ କରି କହିଥିଲେ ।
ମୁଖ୍ୟମନ୍ତ୍ରୀ ଅସୁସ୍ଥ କି? ଏହି ପ୍ରଶ୍ନ ପଛର କାରଣ ହେଉଛି ବିଜେଡ଼ିର ବରିଷ୍ଠ ନେତା, ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରଫୁଲ ସାମଲ ଗଣମାଧ୍ୟମରେ ମୁଖ୍ୟମନ୍ତ୍ରୀ ଅସୁସ୍ଥ ବୋଲି ପ୍ରକାଶ କରିଥିଲେ । ତାଙ୍କ କଥାକୁ ଲୋକେ ବିଶ୍ୱାସ କରିବା ସ୍ୱଭାବିକ । ଯଦି ବାସ୍ତବରେ ମୁଖ୍ୟମନ୍ତ୍ରୀ ଅସୁସ୍ଥ ତେବେ ତାଙ୍କର କା’ ନେଇ ଶ୍ରୀ ପାଣ୍ଡିଆନ  ଜିଲ୍ଲା ଗସ୍ତକରିବା ଓ ମୁଖ୍ୟମନ୍ତ୍ରୀ ମୋତେ ପଠାଇଛନ୍ତି ବୋଲି କହିବା ଆଦୌ ସମୀଚନ ନୁହେଁ । ମୁଖ୍ୟମନ୍ତ୍ରୀ ତାଙ୍କ ଅସୁସ୍ଥତା କାରଣରୁ ଯଦି ଜିଲ୍ଲା ଗସ୍ତ କରିପାରୁ ନାହାନ୍ତି ତେବେ ସେ ଜଣେ ମନ୍ତ୍ରୀ ବା ଦଳର ବରିଷ୍ଠ ବିଧାୟକଙ୍କୁ ସେ ଦାୟୀତ୍ୱ ଦେଇ ଜିଲାକୁ ପଠାଇ ପାରନ୍ତେ ।
ବିଜେଡ଼ି ଦଳର ସମସ୍ତ ନେତା କଣ ଅପାରଗ ବା ଅକ୍ଷମ? ଏହି ପ୍ରଶ୍ନ ପଚାରି ଶ୍ରୀ ଦାସ କହିଛନ୍ତି ଯେ ବିଜେଡ଼ି ଦଳର ଅନେକ ବରିଷ୍ଠ ଓ ଅନୁଭବୀ ନେତା ଥିଲା ବେଳେ ସେମାନଙ୍କୁ ଅଣଦେଖା କରି ତାଙ୍କର ବ୍ୟକ୍ତିଗତ ସଚିବଙ୍କୁ ମୁଖ୍ୟମନ୍ତ୍ରୀ ଦଳ ପରିଚାଳନା ଦାୟୀତ୍ୱ ଦେବା ସୁସ୍ଥ ରାଜନୈତିକ ପ୍ରକ୍ରିୟାର ବିରୋଧାଚରଣ କରେ ।
ମୁଖ୍ୟମନ୍ତ୍ରୀଙ୍କର ଗଣତାନ୍ତ୍ରିକ ମୂଲ୍ୟବୋଧ ପ୍ରତି ସମ୍ମାନ ନାହିଁ କି? ଏହି ପ୍ରଶ୍ନ କରିବା ଛଳରେ ଶ୍ରୀ ଦାସ କହିଛନ୍ତି ଯେ ଗଣତନ୍ତ୍ରର ଏକ ମୌଳିକ ଉପାଦାନ ହେଉଛି ବ୍ୟବସ୍ଥା ତଥା କ୍ଷମତାରେ ଥିବା ସରକାରଙ୍କୁ ପ୍ରଶ୍ନ କରିବା । ସଂପ୍ରତି ସେହି ମୌଳିକ ଉପାଦାନକୁ ଭୁଲୁଣ୍ଠିତ କରାଯାଉଛି । ଭିକେ ପାଣ୍ଡିଆନଙ୍କ ଜଳେଶ୍ୱର ଗସ୍ତ ସମୟରେ କଂଗ୍ରେସ ଦଳ ପକ୍ଷରୁ ମାନବ ଶୃଙ୍ଖଳ ମାଧ୍ୟମରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ ଆନ୍ଦୋଳନ ଆୟୋଜନ କରାଯାଇଥିଲା । ମାତ୍ର ସେ ଆନ୍ଦୋଳନକୁ ଭଣ୍ଡୁର କରିବାପାଇଁ ଜଳେଶ୍ୱରର ନେତାମାନଙ୍କୁ ୨୪ ଘଂଟା ନଜରବନ୍ଦୀରେ ପୋଲିସ ରଖିଲା । ଜଣେ ସଚିବଙ୍କ ଗସ୍ତ ସମୟରେ ବିରୋଧି ଦଳର ନେତାଙ୍କୁ ପୋଲିସ ନଜରବନ୍ଦୀରେ ରଖିବା କେବେ ଦେଖାଦେଇ ନଥିଲା ଯାହା ଅତ୍ୟନ୍ତ ନିନ୍ଦନୀୟ ।
ମୁଖ୍ୟମନ୍ତ୍ରୀଙ୍କ ପାଖରେ ଏବେ କେହି ବେଇମାନ ଅଛନ୍ତି କି? ଏହି ପ୍ରଶ୍ନ କରିବା ଆଳରେ ଶ୍ରୀ ଦାସ କହିଛନ୍ତି ପୂର୍ବରୁ ସ୍ୱର୍ଗତ ପ୍ୟାରିମୋହନ ମହାପାତ୍ର ମୁଖ୍ୟମନ୍ତ୍ରୀଙ୍କ ଚୌକି ଆଡ଼କୁ ଅନାଇଥିବା କାରଣରୁ ତାଙ୍କର ପକ୍ଷ ଛେଦନ କରିବା ସହିତ ତାଙ୍କୁ ବେଇମାନ ବୋଲି କହିଥିଲେ । ବର୍ତମାନ ମୁଖ୍ୟମନ୍ତ୍ରୀଙ୍କ ଚୌକି ଆଡ଼କୁ କିଛି ବ୍ୟକ୍ତି ନଜର ପକାଇବା ଦେଖା ଯାଉଛି । ସେମାନଙ୍କୁ  ବେଇମାନ ବୋଲି କହି ତାଙ୍କର ପକ୍ଷଛେଦନ କରିବାର ସାହାସ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଏବେ ଅଛିକି ନାହିଁ ବୋଲି ଶ୍ରୀ ଦାସ କଟାକ୍ଷ କରିଥିଲେ ।
ସେହିପରି ବିଜେପିର ନେତୃତ୍ୱ ଯଥା ସାଂସଦ ଅପରାଜିତା ଷଡ଼ଙ୍ଗୀ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଇତ୍ୟାଦିଙ୍କ ନାମ ନେଇ ସେମାନେ ପାଣ୍ଡିଆନଙ୍କ ଗଣତନ୍ତ୍ର ବିରୋଧି କାର୍ଯ୍ୟକଳାପକୁ ବାସ୍ତବରେ ବିରୋଧ କରନ୍ତି ନା ଲୋକଙ୍କ ଆଗରେ ବିରୋଧର ଛଳନା କରୁଛନ୍ତି ବୋଲି  ଶ୍ରୀ ଦାସ ପ୍ରଶ୍ନ କରିଛନ୍ତି ।  ଶ୍ରୀ ପାଣ୍ଡିଆନ ଜଣେ ସର୍ବଭାରତୀୟ ସେବା ଅଧିକାରୀ । ତାଙ୍କର ଚୁଟି କେନ୍ଦ୍ର ସରକାରଙ୍କ ହାତରେ । ଯଦି ଶ୍ରୀ ପାଣ୍ଡିଆନ ସମ୍ବିଧାନ ବିରୋଧି ବା ଚାକିରୀର ନିୟମକାନୁନକୁ ଭଙ୍ଗ ବା ଅବମାନନା କଲାଭଳି କାର୍ଯ୍ୟ କରୁଛନ୍ତି ତେବେ କେନ୍ଦ୍ରର ବିଜେପି ସରକାର ନିମିଷକ ଭିତରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇପାରିବେ । ତାଙ୍କୁ ତତ୍‌କ୍ଷଣାତ କେନ୍ଦ୍ରକୁ ନେଇଯାଇ ପାରିବେ ।
ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟ ଶାସନ ସଚିବ ଶ୍ରୀ ଅଲାପନ ବନ୍ଦୋପାଧ୍ୟାୟଙ୍କ ବିରୋଧରେ ଟିଏମସି ସପକ୍ଷବାଦୀ କାର୍ଯ୍ୟକଳାପର ଆରୋପ ଲଗାଇ କେନ୍ଦ୍ର ସରକାର ତାଙ୍କୁ ୨୦୨୧ ମାର୍ଚ୍ଚ ୨୮ ତାରିଖରେ କେନ୍ଦ୍ରକୁ ଫେରାଇ ନେବାର ନିର୍ଦ୍ଦେଶ ଦେବାର ନଜିର ରହିଛି ।  ପାଣ୍ଡିଆନଙ୍କ କ୍ଷେତ୍ରରେ କେନ୍ଦ୍ରର ବିଜେପି ସରକାର ସେହିଭଳି ନିଷ୍ପତି ନ ନେଇ କାହିଁକି ମିଛିମିଛିକା ବିରୋଧ କରୁଛି ବୋଲି ଶ୍ରୀ ଦାସ ବିଜେପିକୁ କଡ଼ାସମାଲୋଚନା କରିଛନ୍ତି ।
ଆଜି କଂଗ୍ରେସ ଭବନ ଠାରେ ଆୟୋଜିତ ଏକ ସାମ୍ବଦିକ ସମ୍ମିଳନୀରେ ଶ୍ରୀ ଦାସଙ୍କ ବ୍ୟତୀତ ବରିଷ୍ଠ ମୁଖପାତ୍ର ଶ୍ରୀ ମନୋରଞ୍ଜନ ଦାଶ ଓ ଅନ୍ୟତମ ମୁଖପାତ୍ର ଶ୍ରୀ କୃଷ୍ଣଚନ୍ଦ୍ର ପତି ଉପସ୍ଥିତ ଥିଲେ । ଏହି ପ୍ରରିପ୍ରେକ୍ଷୀରେ ସାମ୍ବାଦିକ ମାନଙ୍କ ବିଭିନ୍ନ ପ୍ରଶ୍ନର ଉତରଦେବା ଛଳରେ ଉଭୟ ବିଜେପି ଓ ବିଜେଡ଼ିର ଭିତିରି ସଂପର୍କକୁ ନେଇ ଶ୍ରୀ ଦାସ କଟାକ୍ଷ କରିଥିଲେ ।

Leave A Reply

Your email address will not be published.