ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସମ୍ବଲପୁର ଜିଲ୍ଲା ଜମନକିରା ଥାନା ଗୌଡ଼ପାଲି ଫାଣ୍ଡି ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥ ବଡକୁଣ୍ଢେଇସରା-କଦଳିପାଲ ଛକ ମଝିରେ ଆଜି ସନ୍ଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଗୋଟିଏ କଣ୍ଟେନର ଏବଂ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଉଭୟ ଗାଡ଼ିରେ ନିଆଁ ଲାଗିଯାଇଥିଲା। ଘଟଣାରେ କଣ୍ଟେନର ଚାଳକ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ଖଲାସୀ ଗୁରୁତର ଆହତ ହୋଇଛି।
ତାଙ୍କୁ ଉଦ୍ଧାର କରାଯାଇ ସମ୍ୱଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତେବେ ସୂଚନା ମୁତାବକ, କପଡ଼ା ବୋଝେଇ (ଏନ୍ଏଲ୍୦୧ଏ-୫୪୨୩) କଣ୍ଟେନର୍ ସମ୍ୱଲପୁର ପଟୁ କୋଲକାତା ପଟକୁ ଯାଉଥିବା ବେଳେ ବିପରୀତ ଦିଗରୁ ଏକ ଲୁହାପଥର ବୋଝେଇ ଟ୍ରକ୍ ଆସୁଥିଲା। ବଡ଼କୁଣ୍ଢେଇସରା ଓ କଦଳୀପାଲ ଛକ ମଝି ସାତଗଛିଆ ଘାଟିରେ ଦୁଇ ଗାଡ଼ି ମୁହାଁମୁହିଁ ଧକ୍କା ହେବା ଫଳରେ ଉଭୟ ଗାଡ଼ିର ଡ୍ରାଇଭର ଷ୍ଟିଅରିଂରେ ଚାପି ହୋଇ ଯାଇଥିଲେ।ନିଆଁ ଲାଗିଲା ପରେ ଉଭୟ ଗାଡ଼ିର ଟାୟାର ଓ ଡିଜେଲ ଟାଙ୍କିରେ ବିସ୍ଫୋରଣ ହୋଇଥିଲା ।
ଜୀବନ ବଞ୍ଚାଇବା ପାଇଁ କଣ୍ଟେନର ଗାଡ଼ିରେ ଥିବା ଜଣେ ହେଲପର ଗାଡିରୁ ଡେଇଁ ଜଙ୍ଗଲ ଭିତରକୁ ପଳେଇ ଯାଇଥିଲା । ତାଙ୍କୁ ଉଦ୍ଧାର କରାଯାଇ ଆମ୍ବୁଲାନ୍ସ ଯୋଗେ ବୁର୍ଲା ଡାକ୍ତରଖାନା ପଠାଯାଇଥିଲା । ଦୁର୍ଘଟଣା ସମ୍ପର୍କରେ ଖବର ପାଇ ସ୍ଥାନୀୟ ଜମନକିରା ଥାନା ଓ ଗୌଡପାଲି ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିଲା । ଅଗ୍ନିକାଣ୍ଡରେ 2ଜଣଙ୍କର ମୃତ୍ୟୁ ହେବା ସହ ଉଭୟ ଗାଡିରେ ଥିବା ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି । ମୃତକଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିପାରି ନାହିଁ । ଏନେଇ ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।
Comments are closed.