ଫଳ ବୋଝେଇ ଟ୍ରକ୍‌ରେ କୋଟିଏ ଟଙ୍କାର ଗଂଜେଇ ଜବତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଫଳ ବୋଝେଇ ଟ୍ରକ୍‌ରୁ ମିଳିଲା ୮୦୮.୧୮ କେଜି ଗଂଜେଇ । ଗଞ୍ଜେଇ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି ରାଜସ୍ବ ନିର୍ଦ୍ଦେଶାଳୟ ଗୁଇନ୍ଦା (DRI) । ଆନ୍ଧ୍ର ପ୍ରଦେଶରୁ ଭୁବନେଶ୍ବରକୁ ଆସୁଥିଲା ବେଳେ ଧରିଲା ଡିଆରଆଇ । ଜବତ ଗଂଜେଇର ଆନୁମାନିକ ମୂଲ୍ୟ ୧ କୋଟି ୬୨ ଲକ୍ଷ ଟଙ୍କା ହେବ । ଏହି ଘଟଣାରେ ଟ୍ରକ୍ ଡ୍ରାଇଭର ସମେତ ୩ ଜଣଙ୍କୁ ଗିରଫ କରାଯାଇଛି।

ତେବେ ସୂଚନା ମୁତାବକ, ଫଳ ବୋଝେଇ ଟ୍ରକ୍‌ରେ ଗଞ୍ଜେଇ ଆନ୍ଧ୍ରପ୍ରଦେଶରୁ ଭୁବନେଶ୍ୱର ଆସୁଥିବା ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ କୌଣସି ସୂତ୍ରରୁ ଖବର ପାଇଥିଲା। ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ ଚୋରା ଚାଲାଣ କରାଯାଉଥିବା ଗଞ୍ଜେଇକୁ ଧରିବାକୁ ଜାଲ ବିଛାଇଥିଲା। ଗତକାଲି ରାତିରେ  ଆନ୍ଧ୍ରପ୍ରଦେଶ-ଓଡ଼ିଶା ସୀମାନ୍ତରେ ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟର କର୍ମଚାରୀମାନେ ଛକି ରହିଥିଲେ। ଏହି ସମୟରେ ଫଳ ବୋଝେଇ ଟ୍ରକଟି ସେହି ରାସ୍ତା ଦେଇ ଯାଇଥିଲା। ଏକ କାର୍‌ ତାକୁ ଏସ୍କର୍ଟ ଦେଇ ଆଣୁଥିଲା। ସନ୍ଦେହରେ ପୂର୍ବରୁ ଛକି ବସିଥିବା ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟର କର୍ମଚାରୀମାନେ ଗଞ୍ଜେଇ ଭର୍ତ୍ତି ଟ୍ରକ୍ ଓ କାର୍‌କୁ ଅଟକାଇବା

ପାଇଁ ଚେଷ୍ଟା କରିଥିଲେ। କିନ୍ତୁ ସେକାର୍ ଏବଂ ଟ୍ରକ ଜାଣିପାରି ତୀବ୍ର ଗତିରେ ଗାଡି ଚଲେଇଥିଲେ । ଦ୍ରୁତ ଗତିରେ ଗାଡି ଚଲାଇବାରୁ ଟ୍ରକ୍‌ଟି ଆସି ଆନ୍ଧ୍ର-ଓଡ଼ିଶା ସୀମାନ୍ତରେ ଥିବା କ୍ରିଷ୍ଣାଭରମ୍ ଟୋଲଗେଟକୁ ଧକ୍କା ଦେଇଥିଲା। ପରେ ସେଠାରେ କାରଟି ମଧ୍ୟ ଅଟକି ଯାଇଥିଲା। ଏହାପରେ ଡିଆରଆଇ କର୍ମଚାରୀମାନେ କାର୍‌ ଓ ଟ୍ରକ୍‌କୁ ଯାଞ୍ଚ କରିଥିଲେ। ଯାଞ୍ଚ ବେଳେ ଟ୍ରକ୍ ଓ କାର୍‌ରୁ ପ୍ରାୟ ୮୦୮.୧୮ କେଜି ଗଞ୍ଜେଇ ଜବତ କରିଥିଲେ । ଗଞ୍ଜେଇ କେଉଁଠୁ ଆସୁଥିଲା ଏବଂ କାହା ପାଖକୁ ଆସୁଥିଲା, ଏହାର ମାଷ୍ଟର ମାଇଣ୍ଡ କିଏ ଏନେଇ ସବିଶେଷ ତଥ୍ୟ ଜାଣିବାକୁ ତଦନ୍ତ ଆରମ୍ଭ କରିଛି ଡିଆରଆଇ ।

Leave A Reply

Your email address will not be published.