ଓଡ଼ିଆ ନ୍ୟୁଜ୍: ୫ ବର୍ଷ ପରେ ଧରାପଡ଼ିଲେ ନିଶା ଦେଇ ସୁନା ବେପାରୀଙ୍କୁ ଲୁଟିଥିବା ଦମ୍ପତି। ଘର ମାଲିକଙ୍କୁ ମିଠାରେ ନିଶା ଦେଇ ଘରେ କଳାକନା ବୁଲାଇବା ଘଟଣା ମାଲକାନଗିରିରେ ଚହଳ ପକାଇଥିଲା। ଏହି ଘଟଣାର ଦୀର୍ଘ ୫ ବର୍ଷ ପରେ ପୁଲିସ ଲୁଟେରା ଦମ୍ପତିଙ୍କୁ ସୁଦୂର କନ୍ୟାକୁମାରୀରୁ ଗିରଫ କରିବାରେ ସକ୍ଷମ ହୋଇଛି। ୨୦୨୧ ମାର୍ଚ୍ଚ ୨ ତାରିଖରେ ଏହି ଲୁଟ ଘଟଣା ଘଟିଥିଲା। ଏହାର ପ୍ରାୟ ତିନି ମାସ ପୂର୍ବେ ମାଲକାନଗିରିର ସୁନା ବ୍ୟବସାୟୀ ସୁବାସ ପଟିଲଙ୍କ ଘରେ ମାଡାସୁ ଜୋନ୍ ପଲ୍ ଓ ଇନ୍ତୁରୀ ଅରୁଣା ପହଞ୍ଚିଥିଲେ। ସେମାନେ ଭଲପାଇ ବାହା ହୋଇଛନ୍ତି ବୋଲି କହି ଘର ଭଡ଼ାରେ ଦେବାକୁ ଅନୁରୋଧ କରିଥିଲେ। ସୁବାସ ମଧ୍ୟ ନିଜର ସଂଲଗ୍ନ ଘର ଖାଲିଥିବାରୁ ତାଙ୍କୁ ଭଡ଼ା ଦେଇଥିଲେ।
ଘଟଣା ଦିନ ଜୋନ୍ ପଲ୍ ଚାକିରି ପାଇଥିବା କହି ସୁବାସଙ୍କ ପରିବାର ସଦସ୍ୟ ସହ ପାଖପଡ଼ୋଶୀଙ୍କୁ ଅରୁଣା ମିଠା ବାଣ୍ଟିଥିଲେ। ଏହି ମିଠାର ପ୍ରଭାବରେ ରାତିରେ ସମସ୍ତେ ଅଚେତ ହୋଇଯାଇଥିଲେ। ଏହାପରେ ସେମାନେ ସୁବାସଙ୍କ ଘରୁ ୭ଶହ ଗ୍ରାମ ସୁନା, ୨ ଲକ୍ଷ ଟଙ୍କା ନଗଦ ଓ ଅନ୍ୟ ମୂଲ୍ୟବାନ ସାମଗ୍ରୀ ଲୁଟି ନେଇଥିଲେ। ଏହି ଘଟଣା ସମ୍ପର୍କରେ ଆଜି ଏସ୍ପି ବିନୋଦ ପାଟିଲ୍ ଏଚ୍ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଗିରଫ ଦୁଇ ଅଭିଯୁକ୍ତଙ୍କ ଘର ଆନ୍ଧ୍ରପ୍ରଦେଶର ଗୁଣ୍ଟୁରୁ ଜିଲ୍ଲା କାକାନି ଥାନା ଅନ୍ତର୍ଗତ କୁପ୍ପୁରାଭାରୁ ଅଟେ। ଏହି ଲୁଟେରା ଦମ୍ପତି ଏତେ ଚାଲାକ ଥିଲେ ଯେ ସେମାନେ କୌଣସି ଫୋନ ବ୍ୟବହାର କରୁନଥିଲେ। ପୁଲିସକୁ ଚକମା ଦେଇ ଘୂରି ବୁଲୁଥିଲେ। ପୁଲିସ ମଧ୍ୟ ଏମାନଙ୍କୁ ଧରିବା ପାଇଁ ବହୁ ରଣନୀତି ପ୍ରସ୍ତୁତ କରି ଚାଲିଥିଲା। କିନ୍ତୁ କୌଣସି ସୁରାକ ମଧ୍ୟ ପୁଲିସର ହାତରେ ଲାଗୁ ନଥିଲା। କିନ୍ତୁ ଏମାନେ ଏବେ ଭୁଲ କରିବାରୁ ସାଇବର ପୁଲିସ ଏମାନଙ୍କୁ କନ୍ୟାକୁମାରୀରେ ରହୁଥିବା ଠାବ କରିଥିଲା।
ମାଲକାନଗିରି ପୁଲିସ କନ୍ୟାକୁମାରୀ ପହଞ୍ଚି ଏହି ଲୁଟେରା ଦମ୍ପତିକୁ କାବୁ କରି ମାଲକାନଗିରି ଆଣି ପଚରାଉ ଚରା କରିବା ପରେ ସେମାନଙ୍କ ଠାରୁ ୨୦୦ ଗ୍ରାମ ସୁନା, ୨ଟି ଦେଶୀ ପିସ୍ତଲ, ଗୋଟିଏ ଲ୍ୟାପଟପ, ୯ଟି ଅଫୁଟା ଗୁଳି, ମୋଟରସାଇକଲ୍। ଆନ୍ଧ୍ରପ୍ରଦେଶରେ ଏମାନଙ୍କ ନାମରେ ଅନେକ ଅପରାଧିକ ମାମଲା ରହିଛି।