ଓଡ଼ିଆ ନ୍ୟୁଜ, ନୂଆଦିଲ୍ଲୀ : ବିଶ୍ୱକପରେ ଘଟିଛି ବଡ ବିପର୍ଯ୍ୟୟ । ଡିଫେଣ୍ଡିଂ ଚାମ୍ପିଆନ ଇଂଲଣ୍ଡକୁ ମାତ ଦେଇ ବିଶ୍ୱକପ ୨୦୨୩ରେ ପ୍ରଥମ ବିଜୟ ହାସଲ କରିଛି ଆଫଗାନିସ୍ତାନ । ରବିବାର ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ଇଂଲଣ୍ଡ ବିପକ୍ଷରେ ବୃହତ ବିଜୟ ହାସଲ କରିଛି ଆଫଗାନିସ୍ତାନ । ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ ଓପନର ରେହମାନୁଲ୍ଲା ଗୁରବାଜ ଓ ଇକ୍ରାମ ଅଲିଖିଲଙ୍କଧୂଆଁଧାର ପାଳି ବଳରେ ଦଳ ଇଂଲଣ୍ଡ ଆଗରେ ୨୮୫ ରନର ଟାର୍ଗେଟ ରଖିବାରେ ସମର୍ଥ ହୋଇଥିଲା ।
ଗୁରବାଜ ମାତ୍ର ୫୭ ବଲରୁ ୮ଟି ଚୌକା ଓ ୪ଟି ଛକା ସହ ବିସ୍ଫୋରକ ୮୦ ରନ ଓ ଅଲିଖିଲ ୬୬ ବଲରୁ ୩ଟି ଚୌକା ଓ ୨ଟି ଉକା ସହ ୫୮ ରନ କରିଥିଲେ । କିନ୍ତୁ ଆଫଗାନିସ୍ତାନର ଘାତକ ବୋଲିଂ ଆଟାକ୍ ବଳରେ ଇଂଲଣ୍ଡ ୪୦.୩ ଓଭରରେ ମାତ୍ର ୨୧୫ ରନରେ ଅଲଆଉଟ ହୋଇଥିଲା । ଯାହାଫଳରେ ୬୯ ରନରେ ବଡ ବିଜୟ ହାସଲ କରିଛି ଆଫଗାନିସ୍ତାନ । ତେବେ ବ୍ୟାଟିଂ ଓ ବୋଲିଂରେ ଭଲ ପ୍ରଦର୍ଶନ ପାଇଁ ମୁଜିବୁର ରେହମାନଙ୍କୁ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ମ୍ୟାଚ ଆରମ୍ଭରୁ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତି ନେଇଥିଲେ ଇଂଲଣ୍ଡର ଅଧିନାୟକ ଜୋଶ ବଟଲର । ଅନ୍ୟପଟେ ଅଫଗାନିସ୍ତାନର ଓପନର ରେହମାନୁଲ୍ଲା ଓ ଇବ୍ରାହିମ ଜଦରାନ ଦଳ ପାଇଁ ବିସ୍ଫୋରକ ଆରମ୍ଭ କରିଥିଲେ । ସେହିପରି ଇଂଲଣ୍ଡ ପକ୍ଷରୁ ଆଦିଲ ରସିଦ ସର୍ବାଧିକ ୩ଟି ୱିକେଟ ନେଇଥିବା ବେଳେ ମାର୍କ ଉଡ୍ ୨ଟି, ଜୋ ରୁଟ, ଲିଆମ ଲିଭିଙ୍ଗଷ୍ଟୋନ ଓ ରିସି ଟପଲି ଗୋଟିଏ ଲେଖାଏ ୱିକେଟ ନେବାରେ ସକ୍ଷମ ହୋଇଥିଲେ । ଏହାପରେ ଦ୍ୱିତୀୟ ବିଜୟ ସନ୍ଧାନରେ ଥିବା ଡିଫେଣ୍ଡିଂ ଚାମ୍ପିଆନ ଇଂଲଣ୍ଡ ୨୮୫ ରନର ଟାର୍ଗେଟ ନେଇ ପଡିଆକୁ ଓହ୍ଲାଇଥିଲା । ହେଲେ ଦ୍ୱିତୀୟ ଓଭରର ପ୍ରଥମ ବଲରେ ଦଳକୁ ପ୍ରଥମ ଝଟକା ଲାଗିଥିଲା ।
ଓପନର ଜନି ବେୟାରଷ୍ଟୋ ଫଜଲହକ ଫାରୁକୀଙ୍କ ବଲରେ ଏଲବିଡବ୍ଲ୍ୟୁ ହୋଇ ପାଭିଲିୟନକୁ ଫେରିଥିଲେ । ଦଳର ବ୍ୟାଟରମାନେ ଆଖିଦୃଶିଆ ପ୍ରଦର୍ଶନ କରି ନଥିବାରୁ ଇଂଲଣ୍ଡ ୨୧୫ ରନରେ ସମସ୍ତ ୱିକେଟ ହରାଇଥିଲା । ନିୟମିତ ବ୍ୟବଧାନରେ ୱିକେଟ ହରାଇବାରୁ ଇଂଲଣ୍ଡ ଦଳ ତାସ ପତା ଭଳି ଖସି ପଡିଥିଲା । ଚମକ୍ରାର ବୋଲିଂ କରି ମୁଜିବୁର ଓ ରାଶିଦ ୩ଟି ଲେଖାଏଁ, ନବୀ ୨ଟି ଏବଂ ଫାରୁକି ଓ ନଦୀନ ଗୋଟିଏ ଲେଖାଏ ୱିକେଟ ନେଇଥିଲେ । ତେବେ ଡିଫେଣ୍ଡି ଚାମ୍ପଆନ ରହିଥିବା ଇଂଲଣ୍ଡ ବର୍ତମାନ ପର୍ଯ୍ୟନ୍ତ ଆଶାନୁରୂପ ପ୍ରଦର୍ଶନ କରିବାରେ ବିଫଳ ହୋଇଛି ।