ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଭରତପୁର ଥାନାରେ ତନାଘନା କରିଛି କ୍ରାଇମବ୍ରାଞ୍ଚ ଟିମ୍। ପୀଡିତା ଓ ମେଜରକୁ ନେଇ ଥାନାରେ ୪୫ମିନିଟ ଧରି ଅନୁଧ୍ୟାନ କରିବା ପରେ ଚନ୍ଦକା ଥାନା ସୁନ୍ଦରପୁରରେ ଯାଇ ଅନୁଧ୍ୟାନ କରିଛି କ୍ରାଇମବ୍ରାଞ୍ଚ ଟିମ୍। ସୂଚନାଯୋଗ୍ୟ, ଗତକାଲି ଭରତପୁର ଥାନା ମାମଲାର ତଦନ୍ତ କରୁଥିବା କ୍ରାଇମ୍ବ୍ରାଞ୍ଚ ଟିମ୍ ଝାରପଡ଼ା ଜେଲ୍ରେ ଅଧୀକ୍ଷକ, ଡାକ୍ତର ଓ ଫାର୍ମାସିଷ୍ଟଙ୍କୁ ଭେଟିଥିଲା।
ଆହତ ଅବସ୍ଥାରେ ଜେଲ୍କୁ ଆସିଥିବା ପୀଡ଼ିତାଙ୍କର ସେହି ସମୟର ସ୍ବାସ୍ଥ୍ୟାବସ୍ଥା ବାବଦରେ କ୍ରାଇମବ୍ରାଞ୍ଚ ଟିମ୍ ପଚରାଉଚରା କରିଥିଲା। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ପୀଡ଼ିତାଙ୍କୁ ଭୁବନେଶ୍ବର ଏମ୍ସ ପଠାଗଲା। ଅଥଚ ପୂର୍ବରୁ କ’ଣ ପାଇଁ ତାଙ୍କୁ ଜେଲ୍ରେ ରଖି ଚିକିତ୍ସା କରାଯାଉଥିଲା ବୋଲି ଜାଣିବାକୁ କ୍ରାଇମ୍ବ୍ରାଞ୍ଚ୍ ଟିମ୍ ଖୋଳତାଡ଼ କରିଛି। ତଦନ୍ତକାରୀ ଟିମକୁ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ପାଇଁ ଭରତପୁର ଓ ଚନ୍ଦକା ଥାନାକୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପକ୍ଷରେ ଆର୍ମି ମେଜରଙ୍କ ବାନ୍ଧବୀଙ୍କ ସୁରକ୍ଷା ପାଇଁ ନିଯୁକ୍ତ ହୋଇଛନ୍ତି ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ। କମିଶନରେଟ୍ ପୁଲିସ ପକ୍ଷରୁ ପିଏସଓ ଯୋଗାଇ ଦିଆଯାଇଛି।
ଗତ ୧୫ ତାରିଖ ରାତିରେ ଚନ୍ଦକା ରାସ୍ତାରେ ରୋଡ ରୋମିଓମାନେ ଦୁର୍ବ୍ୟବହାର କରିଥିବା ମେଜରଙ୍କ ବାନ୍ଧବୀ ଅଭିଯୋଗ ଆଣିଥିଲେ। ଏହି ଅଭିଯୋଗ ନେଇ ଭରତପୁର ଥାନାକୁ ଯାଇଥିବାବେଳେ ପୁଲିସ ମଧ୍ୟ ସେମାନଙ୍କୁ ନିର୍ଯାତନା ଦେଇଥିବା ଅଭିଯୋଗ଼ ହୋଇଥିଲା। ଏହି ମାମଲାରେ ଆଇଆଇସିଙ୍କ ସମେତ ୫ ଜଣଙ୍କୁ ନିଲମ୍ବିତ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ମାମଲାରେ ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।