ବାଲିଯାତ୍ରା ପ୍ଲଟ ଆବଣ୍ଟନ ପଦ୍ଧତିକୁ କଟକ ବିଜେପି କଲା ବିରୋଧ, ଜିଲ୍ଲା ପ୍ରଶାସନ ଗରୀବ ବ୍ୟବସାୟୀ ଙ୍କ ଉପରେ ଦାଉ ସାଧୁଛି
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଆଜି ଭାରତୀୟ ଜନତା ପାର୍ଟି କଟକ ନଗର ତରଫରୁ କଟକ ଜିଲ୍ଲା ପ୍ରଶାସନର ବାଲିଯାତ୍ରା ପ୍ଲଟ ଆବଣ୍ଟନ ପଦ୍ଧତିକୁ ବିରୋଧ କରି ଏକ ସାମ୍ବାଦିକ ସମ୍ମିଳନୀ ଜିଲ୍ଲା ସଭାପତି ଶ୍ରୀ ଲଲାଟେନ୍ଦୁ ବଡୁ ଦ୍ୱାରା ଡକାଯାଇଥିଲା। ବରିଷ୍ଠ ନେତା ଶ୍ରୀ ନୟନ କିଶୋର ମହାନ୍ତି ମଧ୍ୟ ଉପସ୍ଥିତ ଥିଲେ । ଐତିହାସିକ କଟକ ବାଲିଯାତ୍ରା ଖ୍ରୀଷ୍ଟ ପୂର୍ବ ୨୬୬ ରୁ କଟକରେ ନିରବଛିନ୍ନ ଭାବେ ଚାଲିଆସିଛି ଯାହାର ଗୁରୁତ୍ୱକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ୨୦୧୮ ମସିହାରେ ବାଲିଯାତ୍ରା ପଡିଆର ଭାଜପା ମିଟିଙ୍ଗ ପରେ ଇଣ୍ଡୋନେସିଆ ଗସ୍ତରେ ଯାଇ ଖୁବ ପ୍ରଶଂସା ରେ ବଖାଣି ଥିଲେ, ଯାହାକୁ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ ଇଉନେସ୍କୋରେ ବିଶ୍ଵମାନ୍ୟତା ପାଇଁ ଦାବୀ ରଖିଛନ୍ତି ଏବଂ ଯେଉଁ ମେଳାକୁ ଏସିଆର ସବୁଠୁ ବଡ଼ ହାଟ ବୋଲି ଗୁଗଲ ବି କହିସାରିଛି, ଯେଉଁଠିକୁ ଘରକରଣା ତଥା ଅନ୍ୟାନ୍ୟ ଆବଶ୍ୟକୀୟ ଜିନିଷ ଶସ୍ତାରେ କିଣିବା ପାଇଁ ମେଳା କୁ ଦୈନିକ ହଜାର ହଜାର ଲୋକ ଯାଆନ୍ତି, ଯାହା ଓଡିଶାର କଳା ସଂସ୍କୃତି ଓ ବିଦେଶ ଯାତ୍ରା ତଥା ପରମ୍ପରାର ଏକ ଶକ୍ତିଶାଳୀ ଜୀବନ୍ତ ସାକ୍ଷୀ,ଯାହାର ୮୦୦ ବର୍ଷ ମୋଗଲ ଶାସନ ଏବଂ ୨୦୦ ବର୍ଷ ଇଂରେଜ ଶାସନରେ ମଧ୍ୟ ଶୃଙ୍ଖଳା ଭଙ୍ଗ ହେଇପାରିନି, ସେହି ବାଲିଯାତ୍ରାର ଆସ୍ଥା ଓ ଅସ୍ମିତା ପ୍ରତି କଟକ ଜିଲ୍ଲା ପ୍ରଶାସନର ବିପଦ ଆଦୌ ସହଣୀୟ ନୁହେଁ ।
ଭୁବନେଶ୍ୱରରେ ୫ବର୍ଷ ହେବ ଆରମ୍ଭ ହୋଇଥିବା ଏହିଭଳି ଯାତ୍ରାର ପ୍ଲଟ ମୂଲ୍ୟ ବହୁ କମ ଥିଲା ବେଳେ ଏଠି କଟକ ଜିଲ୍ଲା ପ୍ରଶାସନ ଗରୀବ ବ୍ୟବସାୟୀ ଙ୍କ ଉପରେ ଦାଉ ସାଧିଲା ଭଳି ଲାଗୁଛି । କରୋନା ୨ ବର୍ଷ ପରେ ପ୍ଲଟ ମୂଲ୍ୟ କମାଇ ବ୍ୟବସାୟୀ ଙ୍କୁ ସୁବିଧା ଦେବା ପରିବର୍ତ୍ତେ ହଠାତ ଦର ବଢ଼ାଇବା ତଥା ପ୍ଲଟର ନିଲାମ ପଦ୍ଧତି କୁ ମଧ୍ୟ ବିରୋଧ କରିଛନ୍ତି ଭାଜପା ନେତାମାନେ। ଏଥିରେ ବଡ଼ ବ୍ୟବସାୟୀ କେବଳ ଉପକୃତ ହୋଇପାରନ୍ତି କିନ୍ତୁ ଯେଉଁମାନେ ହଜାର ବର୍ଷ ଧରି କୌଳିକ ଵୃତ୍ତି ରୁ ଏଠାରେ ବେପାରକରି ଜୀବିକା ଅର୍ଜନ କରନ୍ତି, ସେମାନେ ଏବେ କରିବେ କଣ ବୋଲି ପ୍ରଶ୍ନ ପଚାରିଛନ୍ତି ବିଜେପି ନେତା। ନିଲାମ ପ୍ରକ୍ରିୟା ଚାଲିଲେ ବାଲିଘାଟ, ମଦଦୋକାନ ନିଲାମ ଭଳି କଟକରେ ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହେବା ମଧ୍ୟ ବିଚିତ୍ର ନୁହେଁ। ଏଣୁ ପ୍ରଶାସନ ଏ ନିଷ୍ପତି ନେବା ପୂର୍ବରୁ କଟକର ଜନ ପ୍ରତିନିଧି, ବିଭିନ୍ନ ଦଳ ମୁଖ୍ୟ, ବ୍ୟବସାୟୀ ପ୍ରତିନିଧି ମାନଙ୍କୁ ବସାଇ ବିଚାର କରିବାର ଆବଶ୍ୟକତା ଥିଲା।
ରାଜସ୍ୱ ଅଧିକ ପାଇବା ଲୋଭରେ ବାଲିଯାତ୍ରା ଭଳି ଐତିହାସିକ ମେଳା କୁ ବ୍ୟବହାର କରିବା ଠିକ ନୁହେଁ।ବୈଷ୍ଣବ ପାଣି ମଞ୍ଚରେ ବମ୍ବେ ଦିଲ୍ଲୀ ରୁ ବିପୁଳ ଅର୍ଥରେ ବଡ଼ ବଡ କଳାକାର ନଆଣି, କମ ଅର୍ଥରେ ଓଡିଶାର ବହୁ ଭଲ କଳାକାର ତଥା ମେଧାଵୀ ଙ୍କୁ ସମ୍ବର୍ଦ୍ଧନା ଓ ସୁଯୋଗ ଦିଆଯିବାକୁ ଭାଜପା ନେତାମାନେ ଦାବୀ କରିଥିଲେ। ରାଜସ୍ୱ ଅଭାବ ପଡୁଥିଲେ ସରକାର ମଠ ମନ୍ଦିର କୁ ଆର୍ଥିକ ସହଯୋଗ ଦେଲା ଭଳି ଏହି ମେଳା କୁ ମଧ୍ୟ ସହଯୋଗ କରି ଏହାର ଶ୍ରୀ ବଢ଼ାଇ ପାରିଥାନ୍ତେ।ଦୀର୍ଘ ଦିନ ଧରି ଏହି ମେଳା ର ଗୁରୁତ୍ୱ କୁ ଯେଉଁ ବ୍ୟବସାୟୀ ମାନେ ବଢ଼ାଇଛନ୍ତି, ତାଙ୍କ ସହ ବିବାଦ ନକରି ଆଲୋଚନା କରି ଆଗେଇବା ଉଚିତ ଥିଲା ।
ପୂର୍ବରୁ ତହସିଲ ପାଖରେ ସମୟ ପୂର୍ବରୁ ପ୍ଲଟ ନେବା ପାଇଁ ବ୍ୟବସାୟୀ ମାନେ ପ୍ରବଳ ଭିଡ଼ କରୁଥିବା ବେଳେ, ଏବେ ପ୍ରଶାସନକୁ ବୁଲି ବୁଲି କଟକ ବଜାରରେ ଅଟୋ ରେ ଡାକିବାକୁ ପଡୁଛି । ଏହି ମେଳାକୁ ଶ୍ରୀହୀନ କରିବା ପାଇଁ ଏକ ଚକ୍ରାନ୍ତ କି ବୋଲି ପ୍ରଶ୍ନ ପଚାରିଛି ଭାଜପା । ପ୍ରଶାସନ ଏହି ବିଷୟରେ ସ୍ୱଚ୍ଛତା ଆଣିବା ପାଇଁ ମଧ୍ୟସ୍ଥିଙ୍କୁ ବା ଦଲାଲ ଙ୍କୁ ମୁକାବିଲା ପାଇଁ ପୋଲିସ ସହଯୋଗରେ ବ୍ୟବସ୍ଥା କରିପାରିଥାଆନ୍ତା। କିନ୍ତୁ ଏସବୁ ନକରି କ୍ଷୁଦ୍ର ଓ ମଧ୍ୟମ ବ୍ୟବସାୟୀ ଙ୍କ ସହ ମୁକାବିଲା ମନୋଭାବ ଆଦୌ ଠିକ ନୁହେଁ । ଏସବୁ ଜିଦ ପରିହାର କରି ପୂର୍ବ ବର୍ଷ ଭଳି ସ୍ୱଚ୍ଛତାର ସହ ବିଶାଳ ହୃଦୟ ନେଇ ଗରୀବ ବ୍ୟବସାୟିଙ୍କୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ମହୋଦୟ ପ୍ଲଟ ଆବଣ୍ଟନ କରନ୍ତୁ ବୋଲି ଭାଜପା ନେତା ଦାବୀ କରିଥିଲେ। ଏଥିରେ କଟକ ଭାଜପା ପ୍ରଭାରୀ ପ୍ରତିଭା ଶତପଥୀ, ବିଶ୍ୱରଂଜନ ମିଶ୍ର,କର୍ପୋରେଟର ଲକ୍ଷ୍ମୀଧର ବେହେରା ଓ ଦୀପକ ଦାସ, ଭାଗିରଥି ଦଳେଇ,ଦେବାଶିଷ ରାୟ,ଅକ୍ଷୟ ଆଚାର୍ଯ୍ୟ, ମହମ୍ମଦ ସବିର, ରତନ ମହାନ୍ତି, ନମିତା ମିଶ୍ର,ଅମିତ ମିତ୍ର, ସତ୍ୟବ୍ରତ ମିଶ୍ର, ସୁବାଷ ମହାନ୍ତି,ଜୟକୃଷ୍ଣ ସ୍ୱାଇଁ,ସତ୍ୟ ଦାସ, ଅମ୍ରିତ ଆଚାର୍ଯ୍ୟ,ସୁଧୀର ଶତପଥି, ଅନୁପମ ଦାସ ଆଦି ପ୍ରମୁଖ ନେତା ଉପସ୍ଥିତ ଥିଲେ ।