ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ହୃଦଘାତରେ ସୁନା ବ୍ୟବସାୟୀଙ୍କ ମୃତ୍ୟୁ ପରେ ଆଜି ଜୟପୁରରେ ୧୨ ଘଣ୍ଟିଆ ଦୋକାନ ବଜାର ବନ୍ଦ ଡାକରା ଦିଆଯାଇଛି । ଜୟପୁର ଚାମ୍ବର୍ ଅଫ୍ କମର୍ସ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି। ସିଟି ଓ ଜିଏସଟି ଟିମର ଚଢ଼ାଉ ପରେ ହୃଦଘାତରେ ଜୟପୁରର ସୁନା ବ୍ୟବସାୟୀ ହରପ୍ରସାଦ ରାଓଙ୍କ ମୃତ୍ୟୁ ପ୍ରତିବାଦରେ ଏହି ବନ୍ଦ ପାଳନ କରାଯାଉଛି |ତେବେ ସୂଚନା ମୁତାବକ, ଗତ ମଙ୍ଗଳବାର ଧନତେରାସ୍ ରେ ସିଟି ଜିଏସଟି ବିଭାଗ ହରପ୍ରସାଦଙ୍କ ଜୁଏଲାରୀ ଦୋକାନରେ ରେଡ୍ କରିଥିଲା ।
ସେହି ଦିନଠାରୁ ସେ ଚିନ୍ତିତ ଓ ଚାପଗ୍ରସ୍ତ ଥିଲେ। ତାଙ୍କ ଭାଇ ଅଭିଯୋଗ କରିଛନ୍ତି ପୂଜା ପାର୍ବଣ ଦିନ ଜୁଏଲାରୀ ଦୋକାନର ଚଢାଉ ତାଙ୍କୁ ଆଘାତ ଦେଇଥିଲା। ବାରମ୍ବାର ଭାଇଙ୍କ ଦୋକାନରେ ଚଢାଉ କରାଗଲା। ଲୋକ ଲଜ୍ଜା ଓ ଅଧିକ ଚିନ୍ତାଗ୍ରସ୍ତ କାରଣରୁ ତାଙ୍କର ମୃତ୍ୟୁ ହେଲା ବୋଲି ସେ ଅଭିଯୋଗ କରିଛନ୍ତି। ତେବେ, ଏହାକୁ ନେଇ ଶନିବାର ସକାଳ ୬ ଟାରୁ ସନ୍ଧ୍ୟା ୬ଟା ଯାଏ ୧୨ ଘଣ୍ଟା ଦୋକାନ ବଜାର ବନ୍ଦ ଡାକରା ଦିଆଯାଇଛି।
ନ୍ୟୁ ବାସବି ଜୁଏଲରୀ ନିକଟରେ ସମସ୍ତ ବ୍ୟବସ୍ଥାୟୀ ଏକତ୍ରିତ ହୋଇ ନ୍ୟାୟ ଦାବି କରିଛନ୍ତି । ଛୋଟ ଦୋକାନ ଠାରୁ ଆରମ୍ଭ କରି ବଡ ଦୋକାନ ଯାଏ ସମସ୍ତେ ଦୋକାନ ବଜାର ବନ୍ଦ ରହିବ। ନ୍ୟାୟ ଦାବି ସହ ଏଭଳି ଘଟଣା ପୁନାରାବୃତ୍ତି ନ ହେବା ପାଇଁ ଚାମ୍ବର ଅଫ କମର୍ସ ତରଫରୁ କୁହାଯାଇଛି। ଜୟପୁର ସହରର ସମସ୍ତ ଛୋଟ ବଡ ଦୋକାନ, ବଜାର ବନ୍ଦ ରହିଥିବା ବେଳେ ସ୍କୁଲ କଲେଜ ସମେତ ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଖୋଲା ରହିଛି ଏବଂ ଗାଡି ଚଳାଚଳ ସ୍ବାଭାବିକ ରହିଛି ।