ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସୁପ୍ରିମକୋର୍ଟରୁ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ସୁପ୍ରିମ ଆଶ୍ବସ୍ତି । ବହୁ ଚର୍ଚ୍ଚିତ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲଙ୍କୁ ମିଳିଲା ବେଲ୍ । ସିବିଆଇ ଦ୍ୱାରା ପଞ୍ଜିକୃତ ହୋଇଥିବା ମାମଲାରେ ଜାମିନ ପ୍ରଦାନ କଲେ ସର୍ବୋଚ୍ଚ ନ୍ୟାୟାଳୟ । ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ମାମଲାରେ ଜାମିନ ପାଇଥିଲେ କେଜ୍ରିୱାଲ । ଆଜି 2 ଟି ଆବେଦନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା ।
ଫଳରେ ପ୍ରାୟ ୬ ମାସ ପରେ ଜେଲ୍ରୁ ମୁକୁଳିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଇଡି ଗିରଫଦାରୀ ବିରୋଧରେ ସର୍ବୋଚ୍ଚ ଅଦାଲତରେ ଦ୍ୱାରସ୍ଥ ହୋଇଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ। ଉକ୍ତ ମାମଲାରେ କେଜ୍ରିୱାଲଙ୍କୁ ପୂର୍ବରୁ ଜାମିନ ମିଳିଥିବା ବେଳେ ଏବେ ସୁପ୍ରିମକୋର୍ଟ ତାଙ୍କୁ ସିବିଆଇ ପକ୍ଷରୁ ରୁଜୁ ହୋଇଥିବା ମାମଲାରେ ଜାମିନ ପ୍ରଦାନ କରିଛନ୍ତି। ୧୦ ଲକ୍ଷ ଟଙ୍କାର ବ୍ୟକ୍ତିଗତ ମୁଚାଲିକା ବଦଳରେ ତାଙ୍କୁ ଏହି ଜାମିନ ପ୍ରଦାନ କରାଯାଇଛି।
ସୁପ୍ରିମକୋର୍ଟ କେଜ୍ରିୱାଲଙ୍କୁ ଜାମିନ ପ୍ରଦାନ କରିଥିବା ବେଳେ ଏଥିନିମନ୍ତେ କିଛି ସର୍ତ୍ତ ବି ଲାଗୁ କରିଛନ୍ତି। ଜେଲ୍ରୁ ମୁକୁଳିବା ପରେ କେଜ୍ରିୱାଲ ନିଜ କାର୍ଯ୍ୟାଳୟକୁ ଯାଇ ପାରିବେନି କି କୌଣସି ଫାଇଲ୍ରେ ଦସ୍ତଖତ କରି ପାରିବେନି। ସାର୍ବଜନୀନ ସ୍ଥାନରେ ଏହି ମାମଲାରେ ସେ କୌଣସି ବୟାନ ବା ଟିପ୍ପଣୀ ଦେଇ ପାରିବେନି ବୋଲି ବି ତାଗିଦ କରିଛନ୍ତି ସୁପ୍ରିମକୋର୍ଟ ।