ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ଥରେ ଭଲ କରି ନଜର ପକାନ୍ତୁ ଏଇ ନଦୀବନ୍ଧ ଉପରେ କେଉଁଠି ବଡ଼ ବଡ଼ ଗର୍ତ୍ତ ତ ଆଉ କେଉଁଠି ସୃଷ୍ଟି ହେବାକୁ ଯାଉଛି ଘାଇ କେଉଁଠି ବନ୍ଧ ଧସି ଗଲାଣି ତ ଆଉ କେଉଁଠି ବନ୍ଧ ଦବିଲାଣି।ଏବେ ମରଣଜନ୍ତା ପାଲଟିଛି ଏଇ ନଦୀବନ୍ଧ। ହଁ ଆଜ୍ଞା ଆମେ କହୁଛୁ ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ବ୍ଲକ ଅଧିନ ବୈତରଣୀ ନଦୀର ଉତ୍ତର ପାର୍ଶ୍ବରେ ଅବସ୍ଥିତ କଣ୍ଟିଘାଇ ଏସ୍କେପ ଠାରୁ ମଣିନାଥପୁର ପର୍ଯ୍ୟନ୍ତ ୩ କିଲୋମିଟର ପର୍ଯ୍ୟନ୍ତ ବ୍ୟାପ୍ତ ବିପର୍ଯ୍ୟସ୍ତ ଆଉ ମରଣଯନ୍ତା ପାଲଟିଥିବା ବୈତରଣୀ ନଦୀବନ୍ଧ ର କଥା। ଏହି ବନ୍ଧର ଯୁଆଡେ ଚାହିବ ବହୁ ଛୋଟ ବଡ ଗର୍ତ୍ତ ସୃଷ୍ଟି ହୋଇଥିବାର ଦେଖିବାକୁ ପାଇବେ ଆଉ ଏଇ ଗର୍ତ୍ତ ଗୁଡ଼ିକ ଏବେ ପଥିକ ମାନଙ୍କ ଯାତାୟାତରେ ବାଧା ସୃଷ୍ଟି କରିବା ସହ ଘାଇ ସୃଷ୍ଟି ହେବାର ଆଶଙ୍କା ଦେଖା ହୋଇଛି ।
ଯେକୌଣସି ମୂହୁର୍ତ ରେ ନଦୀବନ୍ଧ ଭାସିଯିବାର ଆଶଙ୍କା ସୃଷ୍ଟି ହୋଇଥିବାରୁ ବନ୍ଧ ପାର୍ଶ୍ଵବର୍ତ୍ତୀ ବାସିନ୍ଦାମାନେ ଆତଙ୍କିତ ହୋଇ ରହିଛନ୍ତି । ନଦୀବନ୍ଧର ଏଭଳି ଅବସ୍ଥା ପୂର୍ବ ବର୍ଷ ମାନଙ୍କରୁ ଲାଗି ରହିଛି । ଗ୍ରୀଷ୍ମଋତୁରେ ଏହାର ମରାମତି କରିବାକୁ ବିଭାଗ ଆଦୌ ଧ୍ୟାନ ଦେଇ ନ ଥିଲା । ସଦାସର୍ବଦା ଜନ ସମସ୍ୟା ପ୍ରତି ଉଦାସୀନ ରହୁଥିବା ଜନ ପ୍ରତିନିଧି ମାନେ ବି ଏ ସମ୍ପର୍କରେ ପଦକ୍ଷେପ ନେବାକୁ ଉଦ୍ୟମ କରୁ ନ ଥିବା ବେଳେ ବିଭାଗ ତାର ମନମାନି କାମ ଚଳାଉଛି । ଗୋଟିଏ ଗୋଟିଏ ସ୍ଥାନରେ ନଦୀବନ୍ଧ ଅଧାରୁ ଅଧିକ ଚଉଡ଼ା ର ଧୋଇ ଯାଇ ନାମ ମାତ୍ର ରହିଛି । ସ୍ଥାୟୀ ସମାଧାନ ପରିବର୍ତ୍ତେ ସ୍ଥିତିକୁ ଦେଖି ବିଭାଗ ପକ୍ଷର ବନ୍ୟା ସମୟରେ ବାଲି ବସ୍ତା ପକାଇବା କାର୍ଯ୍ୟ ଆରମ୍ଭ ହୋଇଛି । ବନ୍ୟା ଅପସରିଗଲା ପରେ ବିଭାଗ ସ୍ଥାୟୀ ମରାମତି କରିବା ବୋଲି ଭରସା ଦେଇଛି ହେଲେ ଲୋକେ ଏହାକୁ ବିଶ୍ୱାସ କରି ପାରି ନାହାଁନ୍ତି। ଏହି ଅଞ୍ଚଳର ଲୋକଙ୍କ ସରଳତାର ସୁଯୋଗ ନେଇ ରାଜନେତା ଓ ଜଳ ସମ୍ପଦ ବିଭାଗ ନଦୀବନ୍ଧ ଭଳି ସ୍ପର୍ଶକାତର ସମସ୍ୟାକୁ ଏଡାଇ ଦେଉଛି ବୋଲି ଜନମତ ପ୍ରକାଶ ପାଇଛି।
ନଦୀବନ୍ଧର ବିନ୍ଧାଣ ରାଜସ୍ୱ ଗ୍ରାମରେ ଥିବା ସୁଇସ ଗେଟ କେବଳ ଭାଙ୍ଗିବା ଅପେକ୍ଷାରେ ରହିଛି । ଏହି ସୁଇସ ଗେଟ କାଠ ନିର୍ମିତ କବାଟରେ ବାଲି ବସ୍ତା ସପୋର୍ଟରେ ନାମ ମାତ୍ର ତିଷ୍ଠି ରହିଛି । ଏହାର କାନ୍ଥ ଫାଟି ଗଳିପଡିବା ଅବସ୍ଥାରେ ଥିବାରୁ ସାମନ୍ୟ ଚାପ ସୃଷ୍ଟି ହେଲେ ବଡ଼ ଧରଣର ବିପର୍ଯ୍ୟୟ ସୃଷ୍ଟି ହେବା ଆଶଙ୍କା ଦୃଢୀଭୂତ ହୋଇଛି। ବନ୍ୟା ଅଞ୍ଚଳ ବୋଲି ଆଖ୍ୟାୟିତ କରାଯାଇ ଉଭୟ ବିଭାଗ ଓ ଜନପ୍ରତିନିଧ ଏହି ନଦୀବନ୍ଧ ପ୍ରତି ବୈମାତୃକ ଆଭିମୁଖ୍ୟ ପୋଷଣ କରନ୍ତୁ ବୋଲି ସ୍ଥାନୀୟ ଅଞ୍ଚଳବାସୀଙ୍କ ପକ୍ଷରୁ କଡ଼ା ସମାଲୋଚନା କରାଯାଇଛି । ତୁରନ୍ତ ସ୍ଥାୟୀ ସମାଧାନ ପାଇଁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା।