କୃଷି କାର୍ଯ୍ୟର ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

0

ଓଡ଼ିଆ ନ୍ୟୁଜ୍: କୃଷି କାର୍ଯ୍ୟର ସମୀକ୍ଷା କରିଛନ୍ତି ଉପମୁଖ୍ୟମନ୍ତ୍ରୀ। ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ରବିବାର କେନ୍ଦୁଝର ଜିଲା ଗସ୍ତ କରି ବିଭିନ୍ନ କୃଷି କାର୍ଯ୍ୟକ୍ରମ ଏବଂ ଆଗାମୀ ଖରିଫ-୨୦୨୬ ଋତୁ ପାଇଁ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ଏହି ଗସ୍ତ ସମୟରେ ଉପମୁଖ୍ୟମନ୍ତ୍ରୀ କ୍ଷେତ୍ରସ୍ତରରେ ଚାଷୀମାନଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ ଏବଂ ଧାନ ନର୍ସରୀ ପ୍ରସ୍ତୁତି ଓ ରୁଆ କାର୍ଯ୍ୟର ସ୍ଥିତି ଅନୁଧ୍ୟାନ କରିଥିଲେ।

ଏଲ୍‌ ନିନୋ ଜନିତ ଅସ୍ବାଭାବିକ ମୌସୁମୀ ପରିସ୍ଥିତିର ସମ୍ଭାବନାକୁ ଦୃଷ୍ଟିରେ ରଖି କେଉଁସବୁ ପଦକ୍ଷେପ ଗ୍ରହଣ କରାଯାଇଛି, ସେ ସମ୍ପର୍କରେ ସେ ଚାଷୀମାନଙ୍କ ସହ ଆଲୋଚନା କରିଥିଲେ। ଏଥିସହିତ ଜିଲା ପ୍ରଶାସନ ଓ କୃଷି ବିଭାଗର ପ୍ରସ୍ତୁତିର ମଧ୍ୟ ସେ ସମୀକ୍ଷା କରିଥିଲେ। ସୁଚିନ୍ତିତ ଯୋଜନା ଉପରେ ଗୁରୁତ୍ୱାରୋପ କରି ସିଂହଦେଓ କୃଷି ବିଭାଗର ଅଧିକାରୀମାନଙ୍କୁ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ଏବଂ ‘ଜିଲା କୃଷି ଆପଦକାଳୀନ ଯୋଜନା’କୁ ସଠିକ ଭାବେ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାଛଡ଼ା, ଉପମୁଖ୍ୟମନ୍ତ୍ରୀ ଜିଲାରେ ‘ମଡେଲ ଫାର୍ମ’ (ଆଦର୍ଶ କୃଷି କ୍ଷେତ୍ର) ପ୍ରତିଷ୍ଠା ପାଇଁ ଚିହ୍ନଟ ହୋଇଥିବା ଜମି ପରିଦର୍ଶନ କରିଥିଲେ। ଜିଲା ପ୍ରଶାସନ ଏବଂ ବିଭିନ୍ନ ବିଭାଗ ଦ୍ୱାରା ଗ୍ରହଣ କରାଯାଇଥିବା ପ୍ରସ୍ତୁତି ସମୀକ୍ଷା କରି ସିଂହଦେଓ କହିଥିଲେ ଯେ, କେନ୍ଦୁଝର ଜିଲା ଖରିଫ-୨୦୨୬ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ।

ସେ ଆଶା ବ୍ୟକ୍ତ କରିଛନ୍ତି ଯେ, ସ୍ବାଭାବିକଠାରୁ କମ୍‌ ବର୍ଷା ହେବାର ପୂର୍ବାନୁମାନ ସତ୍ତ୍ୱେ, ସମୟୋଚିତ ପଦକ୍ଷେପ ଏବଂ ସମନ୍ବିତ ପ୍ରୟାସ ଦ୍ୱାରା ଚଳିତ ଋତୁରେ ଭଲ ଉତ୍ପାଦନ ହେବ। ଏହି ଗସ୍ତ ସମୟରେ ତେଲକୋଇର ବିଧାୟକ ତଥା ଜିଲା ଯୋଜନା କମିଟିର ଅଧ୍ୟକ୍ଷ ଡ. ଫକୀର ମୋହନ ନାଏକ ଏବଂ ପାଟଣାର ବିଧାୟକ ଅଖିଳ ଚନ୍ଦ୍ର ନାୟକ ଉପସ୍ଥିତ ଥିଲେ।

Leave A Reply

Your email address will not be published.