ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ଦେବେନ୍ଦ୍ର ଫଡନାଭିସ !

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ପ୍ରାୟ ଅଢେଇ ବର୍ଷ ପରେ ମହାରାଷ୍ଟ୍ରରେ ପୁଣି କ୍ଷମତାକୁ ଫେରିବାକୁ ଯାଉଛି ଭାରତୀୟ ଜନତା ପାର୍ଟି । ବିଦ୍ରୋହୀ ବିଧାୟକ ସିନ୍ଧେ ଗୋଷ୍ଠୀ ସହାୟତାରେ ସରକାର ଗଠନ କରିବା ପାଇଁ ବିଜେପି ଆସନ୍ତାକାଲି(ଶୁକ୍ରବାର) ରାଜ୍ୟପାଳଙ୍କୁ ଦାବି କରିପାରେ । ତେବେ ଆବଶ୍ୟକୀୟ ସଂଖ୍ୟା ଦୃଷ୍ଟିରୁ ସରକାର ଗଠନରେ କୌଣସି ସମସ୍ୟା ପ୍ରାୟତଃ ଦୃଶ୍ୟମାନ ହେଉନାହିଁ ।

ଆସନ୍ତାକାଲି ଅପରାହ୍ନରେ ବିଜେପି ନେତୃତ୍ବାଧୀନ ସରକାର ଶପଥ ଗ୍ରହଣ କରିବାର ସମ୍ଭାବନା ସବୁଠୁ ଅଧିକ । ବିରୋଧୀ ଦଳର ନେତା ତଥା ପୂର୍ବରୁ ଦୁଇ ଥର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ସମ୍ଭାଳି ସାରିଥିବା ଦେବେନ୍ଦ୍ର ଫଡନାଭିସ ତୃତୀୟ ଥର ପାଇଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିବେ ବୋଲି ଚର୍ଚ୍ଚା ହେଉଛି । ଅବଶ୍ୟ ଦେବେନ୍ଦ୍ର ମୁଖ୍ୟମନ୍ତ୍ରୀ ପଦ ପାଇଁ ଚର୍ଚ୍ଚାରେ ଥିବା ବେଳେ ଦଳ ବିଜେପି କିନ୍ତୁ ସେପରି କିଛି ଆନୁଷ୍ଠାନିକ ଘୋଷଣା କରିନାହିଁ ।

୨୮୮ ବିଧାୟକ ବିଶିଷ୍ଟ ମହାରାଷ୍ଟ୍ରରେ ଏକକ ବୃହତ୍ତମ ଦଳ ଭାବେ ୧୦୬ ଆସନ ହାତେଇଥିଲା ଭାରତୀୟ ଜନତା ପାର୍ଟି । ପ୍ରଥମେ ବିଜେପି ସରକାର ଗଠନ କରିଥିଲେ ସୁଦ୍ଧା ପରବର୍ତ୍ତୀ ସମୟରେ ଏନସିପି, ଶିବସନା ଓ କଂଗ୍ରେସ ମିଳିତ ଭାବେ ସରକାର ଗଠନ କରିଥିଲେ । ବିରୋଧୀ ଦଳରେ ସନ୍ତୁଷ୍ଟ ରହିବାକୁ ପଡିଥିଲା । ଚଳିତ ସଙ୍କଟ ପରେ ପୁଣି ଥରେ ବିଜେପିକୁ ସରକାର ଗଠନ କରିବା ପାଇଁ ପୁଣି ସୁଯୋଗ ମଳିଛି । ଦେବେନ୍ଦ୍ର ଫଡନାଭିସ ମଧ୍ୟ ଗତ ଦୁଇ ସପ୍ତାହ ଧରି ଦିଲ୍ଲୀରେ କେନ୍ଦ୍ରୀୟ ନେତୃତ୍ବଙ୍କ ସହ ଆଲୋଚନା ଜାରି ରଖିଛନ୍ତି । ଏପରି ସ୍ଥଳେ ବର୍ତ୍ତମାନ ଜାରି ରହିଥିବା ଚର୍ଚ୍ଚା ଆଧାରରେ ସେ ଆସନ୍ତାକାଲି ହିଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ।

Leave A Reply

Your email address will not be published.