ଧାମନଗର ବିଧାୟକ ସୁରଜ ସୂର୍ଯ୍ୟବଂଶୀଙ୍କ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ ଓ ସସ୍ମିତ ପାତ୍ରଙ୍କୁ ଜବାବ, ଧାମନଗର ଉପନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି କେବେ ପୂରଣ କରିବେ ମୁଖ୍ୟମନ୍ତ୍ରୀ?

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ଆଜି ପଦ୍ମପୁର ଗସ୍ତରେ ଯେଉଁ ପ୍ରତିଶ୍ରୁତି ପାଳନ କରିବା କଥା କହିଛନ୍ତି , ମୁଁ ବିନମ୍ରତା ସହିତ ମନେପକାଇବା ପାଇଁ ଚାହେଁ ବିଭିନ୍ନ ଉପନିର୍ବାଚନ ସମୟରେ ସେହି ନିର୍ବାଚନ ମଣ୍ଡଳୀର ଦାଇତ୍ୱ ନେବା କଥା ଆପଣ ଘୋଷଣା କରନ୍ତି ତଥା ଧାମନଗର ଉପନିର୍ବାଚନ ସମୟରେ ମଧ୍ୟ ଆପଣ ଆମ ଅଂଚଳର ବିକାଶର ଦାଇତ୍ୱ ନେବା କଥା କହିଥିଲେ, ସେହି ଦାଇତ୍ୱର ବର୍ତ୍ତମାନ ସ୍ଥିତି କ’ଣ ବୋଲି ଟ୍ୱିଟ ମାଧ୍ୟମରେ ଧାମନଗର ବିଧାୟକ ସୁରଜ ସୂର୍ଯ୍ୟବଂଶୀ ପ୍ରଶ୍ନ କରିଛନ୍ତି ।
ସେ ପୁଣି କହିଛନ୍ତି, ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ବାବା ଆଖଣ୍ଡଳମଣିଙ୍କ ନିକଟରେ ମୁଁ ପ୍ରାର୍ଥନା କରୁଛି ସେ ଆପଣଙ୍କୁ ସ୍ମରଣ କରାଇବେ ଧାମନଗର ଉପନିର୍ବାଚନ ସମୟରେ ଆପଣ କେଉଁ ଦାଇତ୍ୱ ନେଇଥିଲେ ? 5 ବର୍ଷର ବିକାଶମୂଳକ କାର୍ଯ୍ୟକୁ 18 ମାସରେ କରିବାର ଯେଉଁ ଘୋଷଣା କରିଥିଲେ ସେକଥା ଆପଣ ସ୍ମରଣ କରନ୍ତୁ ଓ ପ୍ରତିଶ୍ରୁତି କେବେ ପୂରଣ କରିବେ ଆମେ ଧାମନଗରବାସୀ ଅପେକ୍ଷା କରିଛୁ ।
ଆପଣ ରାଜନୈତିକ ଫାଇଦା ଅନୁସାରେ ଦାଇତ୍ୱ ନେବା କଥା ଘୋଷଣା କରନ୍ତି ବୋଲି ମୁଁ ଦେଖିବାକୁ ପାଉଛି। ବିଗତ ଦିନରେ ଆପଣ ବାଲେଶ୍ୱର, ତିର୍ତୋଲ, ପିପିଲି, ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀର ଦାଇତ୍ୱ ନେଇଥିଲେ, ସେଇ ଦାଇତ୍ୱ ମଧ୍ୟରୁ ଆପଣ କେତେ ପୂରଣକରିଛନ୍ତି ତାହା ମୋର ବିଧାନସଭାରେ ପ୍ରଶ୍ନରେ ଆପଣ ସ୍ପଷ୍ଟ କରିଛନ୍ତି। ଆପଣଙ୍କ କଥା ଏବଂ କାର୍ଯ୍ୟ ଅନେକ ଅସାମଞ୍ଜସ୍ୟ ରହିଛି ମୁଁ ଅନୁଭବ କରିବା ସହିତ ଓଡିଶାବାସୀ ଜାଣି ସାରିଲେଣି ବୋଲି ଶ୍ରୀ ସୁରଜ କହିଛନ୍ତି ।

ସସ୍ମିତ ବାବୁ ଆପଣଙ୍କ ଦଳ ଆପଣଙ୍କୁ ରାଜ୍ୟସଭା ସାଂସଦ କରିଛି, ମୁଁ ଭାବୁଥିଲି ଆପଣ ବୁଝିବିଚାରୀ ମନ୍ତବ୍ୟ ରଖୁଥିବେ କିନ୍ତୁ କିଛିଦିନ ହେଲା ଦେଖୁଛି କିଛି ନଭାବି କେବଳ ମିଡ଼ିଆରେ ଚର୍ଚ୍ଚାରେ ରହିବାପାଇଁ କୁହାଳିଆ କଥା କହୁଛନ୍ତି I ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପ୍ରସଙ୍ଗରେ 2018ରେ ଆପଣଙ୍କ ମନ୍ତ୍ରୀ କ’ଣ ଉତ୍ତର ଦେଇଥିଲେ ତାହା ପ୍ରକାଶ କରିବାସହ ଏହି ବିଷୟରେ ଆମ ଦଳ ସ୍ପଷ୍ଟ କରିସାରିଛି। ଚତୁର୍ଦ୍ଦଶ ଅର୍ଥ କମିଶନ ପରେ ବିଶେଷ ରାଜ୍ୟ ପାହ୍ୟା ମାନ୍ୟତାର ବ୍ୟବସ୍ଥା ଆଉ ନାହିଁ । ସବୁ ଜାଣିଥିବା ସତ୍ତ୍ୱେ କେବଳ ରାଜନୈତିକ ପ୍ରସଙ୍ଗ କରିବା ପାଇଁ ଏ ସମ୍ପର୍କରେ ଆପଣ ଟ୍ୱଇଟ କରିଛନ୍ତି ବୋଲି ଶ୍ରୀ ସୁରଜ କହିଛନ୍ତି ।
ଆମ ନେତା ଧର୍ମେନ୍ଦ୍ର ଭାଇ ଯେଉଁ ପ୍ରଶ୍ନ କରିଛନ୍ତି ତାହାର ଉତ୍ତର ନ ଦେଇ ମିଛ ପ୍ରହେଳିକା ସୃଷ୍ଟି କରୁଛନ୍ତି। ସସ୍ମିତ ବାବୁ ଆଜି ମୁଖ୍ୟମନ୍ତ୍ରୀ ପଦ୍ମପୁର ଗସ୍ତ ସମୟରେ ଦୁଇଟି ସ୍ଥାନରେ ଯେଉଁ ଭାଷଣ ଦେଲେ ତାହାର ସ୍କ୍ରିପ୍ଟ ସମାନ ଥିଲା, ଏହା ତ୍ରୁଟି ଥିଲା ନା ଜାଣିଶୁଣି ପଢିଥିଲେ ? ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ ଆପଣଙ୍କ ସରକାରରେ କହିବା ଓ କାର୍ଯ୍ୟ କରିବାରେ ସାମଞ୍ଜସ୍ୟ କେତେ ଅଛି ।

Leave A Reply

Your email address will not be published.