ରାଜ୍ୟ ସରକାରଙ୍କୁ ତେରଛା ବାଣ, ପ୍ରଜାତନ୍ତ୍ରରେ ଆମେ ଶହେ ବର୍ଷ ତିଷ୍ଠି ରହିବାର ଅହଙ୍କାର ଅଶୋଭନୀୟ – ଧର୍ମେନ୍ଦ୍ର ପ୍ରଧାନ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଡିସେମ୍ବର ୨୮ – ଯେଉଁ ମାଟିରେ ରାଜା ଇନ୍ଦ୍ରଦ୍ୟୁମ୍ନ କହିଥିଲେ ମହାପ୍ରଭୁ ମୋ ମନରେ ଗର୍ବ ଅତ୍ୟନ୍ତ ଦିଅନ୍ତୁ, ମୋ ପରେ ମୋ ବଂଶରେ କେହି ନରହୁ । ଏ ଦାବୀ କରିବା ପାଇଁ ଏ ବଡଦେଉଳ ମୋ ପୂର୍ବଜ ବନେଇଛି । ଆଜି ସେହି ମାଟିରେ ଅପ୍ରଜାତାନ୍ତ୍ରିକ ଉପାୟରେ ଆମେ ଶହେ ବର୍ଷ ତିଷ୍ଠି ରହିବାର କଳ୍ପନା କରାଯାଉଛି । ଏହି ଅହଙ୍କାର ଶୋଭନୀୟ ନୁହେଁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ବୁଧବାର କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଏବଂ ଖୋର୍ଦ୍ଧା ଜିଲ୍ଲା ବାଣପୁର ଠାରେ ଆୟୋଜିତ ଜନସଭାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ସହ ଯୋଗଦେଇ ଧର୍ମେନ୍ଦ୍ର ପ୍ରଧାନ ଏହା କହିଛନ୍ତି । ସେ କହିଛନ୍ତି ଯେ ଦୁଇ ଦିନ ତଳେ ଏକ ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀ ଭିଡିଓ ବାର୍ତ୍ତା ଜରିଆରେ ଓଡ଼ିଶା ପାଇଁ ଜାତୀୟ ଦଳ ମାନଙ୍କର ଦାୟିତ୍ୱ ନଥିବା କଥା କହୁଛନ୍ତି । ପ୍ରଜାତନ୍ତ୍ରରେ ଏଭଳି ଦମ୍ଭ ଓ ଅହଙ୍କାର ଶୋଭନୀୟ ନୁହେଁ । ମୁଖ୍ୟମନ୍ତ୍ରୀ ନେତୃତ୍ୱ ନେଉଥିବା ଦୀର୍ଘ ୨୨ ବର୍ଷର ଶାସନରେ ନାରୀ ନିର୍ଯ୍ୟାତନା ଚରମ ସୀମାରେ ପହଞ୍ଚିଥିବା ଓଡ଼ିଶା ବିଧାନସଭା ତଥ୍ୟରୁ ଜଣାପଡ଼ିଛି । କଳାହାଣ୍ଡି ଜିଲ୍ଲାର ଶିକ୍ଷୟିତ୍ରୀ ମମିତା ମେହେର ମୃତ୍ୟୁର କାରଣ ଏବଂ ତଦନ୍ତର ସ୍ଥିତାବସ୍ଥା କଣ ବୋଲି ସେ ପ୍ରଶ୍ନ କରିଛନ୍ତି । ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ନାରୀଙ୍କୁ ସୁରକ୍ଷା ନଦେଇ ମହିଳା ମାନଙ୍କ ଆଶୀର୍ବାଦ ପାଇବାର ଦମ୍ଭ କଣ ପାଇଁ ଦେଖାଉଛନ୍ତି ? ମୁଖ୍ୟମନ୍ତ୍ରୀ ଏକ ସଂସ୍ଥା ନିଯୁକ୍ତ କରନ୍ତୁ ଏବଂ ହିଞ୍ଜିଳିକାଟୁର କେତେ ଝିଅ ଦାଦନ ଖଟିବା ପାଇଁ ଯାଉଛନ୍ତି, ତା ଉପରେ ସର୍ଭେ କରିବା ପାଇଁ ଦାୟିତ୍ୱ ଦିଅନ୍ତୁ । ଭ୍ରଷ୍ଟାଚାରରେ ଲିପ୍ତ ରାଜ୍ୟ ସରକାରଙ୍କ ଶାସନରେ ଭିଜିଲାନ୍ସ ତଦନ୍ତରେ ଅନେକ ନିମ୍ନଶ୍ରେଣୀର କର୍ମଚାରୀ ଧରା ପଡୁଥିବା ବେଳେ ବଡ ଅଧିକାରୀଙ୍କୁ କାହିଁକି ଧରାଯାଉନାହିଁ ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀ ପ୍ରଧାନ ।

ଆଜି ପ୍ରଧାନମନ୍ତ୍ରୀ ମୋଦି ଦେଶର ଜନଜାତି, ଗରିବ ଓ ପଛୁଆ ବର୍ଗର ଲୋକମାନଙ୍କ ଆସ୍ଥାଭାଜନ ହୋଇପାରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱାଧୀନ ସରକାରରେ ମୟୂରଭଞ୍ଜ ଜିଲ୍ଲାର ଜନଜାତି ଝିଅ ଦ୍ରୌପଦୀ ମୁର୍ମୁ ମାନ୍ୟବର ରାଷ୍ଟ୍ରପତି ପଦବୀରେ ଅଧିଷ୍ଠିତ ହୋଇଛନ୍ତି, ଯାହା ଓଡ଼ିଶା ଓ ଦେଶ ପାଇଁ ଗର୍ବର ବିଷୟ । ଜନଜାତି ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ପାଇଁ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ସ୍ଥାପନା କରାଯାଇଛି । କନ୍ଧମାଳ ଜିଲ୍ଲାରେ ୮ଟି ଏକଲବ୍ୟ ବିଦ୍ୟାଳୟ ପ୍ରତିଷ୍ଠା କରିବା ପାଇଁ ମୋଦି ସରକାର ମଞ୍ଜୁରୀ ଦେଇଛନ୍ତି । ଗରିବ କଲ୍ୟାଣ ଅନ୍ନ ଯୋଜନାରେ କନ୍ଧମାଳ ଜିଲ୍ଲାର ଜନଜାତିଙ୍କ ସମେତ ଭାରତବର୍ଷର ୮୦ କୋଟି ଗରିବ ଲୋକଙ୍କୁ ମାଗଣାରେ ଚାଉଳ ଦେବାର ନିର୍ଣ୍ଣୟ କରାଯାଇଛି । ଜନକଲ୍ୟାଣକାରୀ ଯୋଜନା କାରଣରୁ ପ୍ରଧାନମନ୍ତ୍ରୀଙ୍କ ଉପରେ କ୍ରମାଗତ ଓଡ଼ିଶାବାସୀଙ୍କ ଅକୁଣ୍ଠ ବିଶ୍ୱାସ ବଢୁଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ମୋଦି ସରକାରରେ ଓଡ଼ିଆଙ୍କୁ ରାଷ୍ଟ୍ରପତି ଦାୟିତ୍ୱ ସମେତ ପଦ୍ମଶ୍ରୀ ପୁରସ୍କାର ମାଧ୍ୟମରେ ଜାତୀୟ ସ୍ତରରେ ଓଡ଼ିଶାର ମାନ ମର୍ଯ୍ୟାଦାକୁ ବଢାଯାଇଛି । ରେଳ, ସଡକପଥ, ସ୍ୱାସ୍ଥ୍ୟ, ଘର ଆବଣ୍ଟନ, ସ୍ୱାସ୍ଥ୍ୟ କ୍ଷେତ୍ର ସମେତ ପଞ୍ଚଦଶ ଅର୍ଥ କମଶନରେ ରାଜ୍ୟ ପାଇଁ ଅନୁଦାନ ବଢିଛି । ଓଡ଼ିଆ ଭାଷାରେ ଇଞ୍ଜିନିୟରିଂ ଶିକ୍ଷାର ପ୍ରଚଳନ ହୋଇଛି । ତାଙ୍କ ପ୍ରଧାନମନ୍ତ୍ରିତ୍ଵ ସମୟରେ ପ୍ରଥମଥର ପାଇଁ ଶ୍ରୀମନ୍ଦିରର ନବକଳେବର ପାଇଁ ୫୦ କୋଟି ଟଙ୍କା କେନ୍ଦ୍ରରୁ ଆର୍ଥିକ ସହାୟତା ମିଳିଛି ।

ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଓଡ଼ିଶାର ଅନନ୍ୟ ପବିତ୍ର ଭୂମି ହେଉଛି କନ୍ଧମାଳ, ତୁମୁଡିବନ୍ଧ, ଜଳେଶପଟା । ଏହି ଭୂମି ସମାଜ ସଂସ୍କାରକ ସ୍ୱର୍ଗତ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ବଳିଦାନର ଭୂମି । ଏହି ପବିତ୍ର ସ୍ଥାନକୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ଓଡ଼ିଶା ତରଫରୁ ସ୍ୱାଗତ ଜଣାଇବା ସହ ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଅଶ୍ୱମେଧା ୨୦୨୪ ଯଜ୍ଞ ପାଇଁ ଆଜି ଓଡ଼ିଶାର କନ୍ଧମାଳ ଲୋକସଭାକୁ ବାଛିଥିବାରୁ କୃତଜ୍ଞତା ଜଣାଉଛି । ଆଗାମୀ ୨୦୨୪ ରୁ ୨୦୪୭ ଅମୃତ କାଳରେ ଭାରତକୁ ମଜଭୂତ କରିବା ପାଇଁ ହେଲେ ନରେନ୍ଦ୍ର ମୋଦିଙ୍କ ହାତମୁଠାକୁ ଟାଣ କରିବା ପାଇଁ ପଡିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ବାଣପୁରର ବୀର ଅଞ୍ଚଳ ବିନା ଓଡ଼ିଆ ଜାତି ଓ ଓଡ଼ିଆ ସ୍ୱାଭିମାନର କଳ୍ପନା କରିବା ଅସମ୍ଭବ । ଯେଉଁ ମାଟିରେ ବ୍ରିଟିଶକୁ ଦେଶରୁ ବିତାଡିତ କରିବା ପାଇଁ ପାଇକମାନେ ସଂଗଠିତ ହେଇଥିଲେ ସେହି ମାଟିକୁ ପୂର୍ବରୁ ଭାରତରତ୍ନ ଅଟଳବିହାରୀ ବାଜପେୟୀ, ଲାଲକୃଷ୍ଣ ଆଡଭାନୀ, ମୂରଲି ମନୋହର ଯୋଶୀଙ୍କ ଭଳି ବ୍ୟକ୍ତିବିଶେଷଙ୍କ ପରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ଗସ୍ତ ଆମ ପାଇଁ ଗୌରବର ବିଷୟ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

ଉଲ୍ଲେଖନୀୟ, ଏହି ଗସ୍ତ କାଳରେ ଧର୍ମେନ୍ଦ୍ର ପ୍ରଧାନ କନ୍ଧମାଳ ଜିଲ୍ଲା ଜଳେଶପଟା ଆଶ୍ରମ ପରିସରରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନଡ୍ଡାଙ୍କ ସହ ସମାଜ ସଂସ୍କାରକ ବ୍ରହ୍ମଲୀନ ପୂଜ୍ୟ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହାସହ କନ୍ଧମାଳ ଜିଲ୍ଲା ଜଳେଶପଟା ଆଶ୍ରମ ପରିଦର୍ଶନ ସହ ଶଙ୍କରାଚାର୍ଯ୍ୟ ସଂସ୍କୃତ କନ୍ୟାଶ୍ରମର ନୂତନ ଛାତ୍ରୀନିବାସର ଉଦଘାଟନ କରିଥିଲେ । ବାଣପୁର ଠାରେ ମାଆ ଭଗବତୀ ମନ୍ଦିରରେ ଦର୍ଶନ କରିଥିଲେ ।

Leave A Reply

Your email address will not be published.