ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାୟଗଡା ନୁହେଁ କଳାହାଣ୍ଡି ହେଉଛି ରାଜ୍ୟରେ ଡିପଥେରିଆ ସଂକ୍ରମଣର ଉତ୍ସ । ଏହି ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶିକା ଡାକ୍ତର ସଂଯୁକ୍ତା ସାହୁ । କଳାହାଣ୍ଡିର ଇନ୍ଦ୍ରାବତୀ ବୁଡ଼ି ଅଞ୍ଚଳରୁ ବ୍ୟାପିଛି ସଂକ୍ରମଣ। ମାନୁଷପଦରରୁ ଜଣେ ବ୍ୟକ୍ତି ଇନ୍ଦ୍ରାବତୀକୁ ଯାଇଥିଲେ।
ସେ ସେଠାରୁ ସଂକ୍ରମିତ ହୋଇ ମାନୁଷପଦର ଫେରିବା ପରେ ରାଜ୍ୟରେ ବ୍ୟାପିଛି ଡିପଥେରିଆ ସଂକ୍ରମଣ। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କଳାହାଣ୍ଡି, କୋରାପୁଟରେ ଏବେ ବି ଚାଲିଛି ସର୍ଭେଲାନ୍ସ । କୋରାପୁଟ ବନ୍ଧୁଗାଁର ୩୩ ପିଲାଙ୍କୁ ଦିଆଯାଇଛି ବୁଷ୍ଟର ଡୋଜ। କାଶୀପୁରର ମନୁଷପଦର ଅଞ୍ଚଳର ୧୮ଟି ଗାଁରୁ ୧୩ ଗାଁରେ ସରିଛି ବୁଷ୍ଟର ଡୋଜ୍ ଟିକାକରଣ । ଏ ସବୁ ଗାଁରେ ୪୬୮ ପିଲାଙ୍କୁ ବୁଷ୍ଟର ଡୋଜ ଦିଆଯାଇଛି । ଏହାଛଡ଼ା କାଶୀପୁର ବ୍ଲକର ଅନ୍ୟ ଗାଁରେ ଯେଉଁ ପିଲାମାନେ ଡିପଥେରିଆ ଟିକା ବିଲକୁଲ ନେଇ ନଥିବେ, ସେମାନଙ୍କୁ ଚିହ୍ନଟ କରାଯାଇ ଟିକା ଦିଆଯିବ ।
ଏଣେ ଏନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର ନିଜର ପ୍ରତିକ୍ରିୟାରେ କହିଛନ୍ତି, ରାଜ୍ୟରେ ସ୍ଥିର ରହିଛି ଡିପଥେରିଆ ସଂକ୍ରମଣ। ନୂଆ ସଂକ୍ରମଣ ହୋଇନି। ସଂକ୍ରମଣର କାରଣ ଅପପୁଷ୍ଟି ନା ନୁହେଁ, ସେନେଇ ଅନ୍ୟ ବିଭାଗ ଦ୍ଵାରା ତଦନ୍ତ ଚାଲିଛି । ଏହାର ଯାଞ୍ଚ କରିବାକୁ ଜିଲ୍ଲାପାଳ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। କଳାହାଣ୍ଡି ହେଉଛି ଡିପଥେରିଆ ସଂକ୍ରମଣର ଉତ୍ସ। ସେଠାକୁ ଯାଇଥିବା ଜଣେ ବୟସ୍କ ଲୋକ ପ୍ରଥମେ ଡିପଥେରିଆରେ ଆକ୍ରାନ୍ତ ହୋଇଥିଲେ। ଏବେ ସଂକ୍ରମଣର ଉତ୍ସ ସ୍ଥଳରେ ଚାଲିଛି ସର୍ଭେଲାନ୍ସ।