ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାଲେଶ୍ୱର ଜିଲ୍ଲା ସଦର ମହକୁମାସ୍ଥିତ ରିଜର୍ଭ ପୋଲିସ ପଡ଼ିଆରେ ଜିଲ୍ଲାସ୍ତରୀୟ ବିକାଶ ମେଳାର ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସମାରୋହରେ ଓଡିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ, ସାର୍ବଜନୀନ ଉଦ୍ୟୋଗ ବିଭାଗର ମନ୍ତ୍ରୀ ଡା. କୃଷ୍ଣ ଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିଲେ | ସମ୍ମାନିତ ଅତିଥି ଭାବେ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଯୋଗଦାନ କରିଥିଲେ | ଏଥି ସହିତ ବରଣ୍ୟେ ଅତିଥି ଭାବେ ଶାସକ ଦଳର ଉପମୁଖ୍ୟ ସଚେତକ ତଥା ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ସିମୁଳିଆ ବିଧାୟକ ପଦ୍ମଲୋଚନ ପଣ୍ଡା, ବାଲେଶ୍ଵର ସଦର ବିଧାୟକ ମାନସ କୁମାର ଦତ୍ତ ଓ ନୀଳଗିରି ବିଧାୟକ ଶ୍ରୀଯୁକ୍ତ ସନ୍ତୋଷ ଖଟୁଆ ମଞ୍ଚାସୀନ ଥିଲେ | ଆରକ୍ଷୀ ଅଧିକ୍ଷକ ଶ୍ରୀମତୀ ସାଗରିକା ନାଥ ମଧ୍ୟ ମଞ୍ଚାସୀନ ଥିଲେ | ସଭା ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ବଳନ ତଥା ମଞ୍ଚାସୀନ ଅତିଥି ମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା |
ଉକ୍ତ ସଭାରେ ମନ୍ତ୍ରୀ ଡ଼. ମହାପାତ୍ର ଉପସ୍ଥିତ ଜନସାଧାରଙ୍କୁ ସମ୍ବୋଧିତ କରି କହିଥିଲେ ଯେ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ନବ ଗଠିତ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା ଓଡିଶା ତଥା ବାଲେଶ୍ୱର ଜିଲ୍ଲାକୁ ବିକାଶର ଜୟ ଯାତ୍ରାରେ ଆଗେଇ ନେଉଛି । ଦେଶ ଓ ରାଜ୍ୟ ବିକାଶର ସ୍ରୋତରେ ବାଲେଶ୍ୱର ଜିଲ୍ଲା ମଧ୍ୟ ବିକାଶର ଶିଢି ଚଢିଚାଲିଛି। ଜିଲ୍ଲାରେ ବର୍ତ୍ତମାନ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଅନେକ ଜନହିତକର ଯୋଜନା ବିକାଶକୁ ବଳ ଦେଇଛି । ସାଧାରଣ ଲୋକଙ୍କ ଅଭିଯୋଗକୁ ଗୁରୁତ୍ଵର ସହ ବିଚାର କରି ଦୃଢ ଅଭିଯୋଗର ସମାଧାନ ବ୍ୟବସ୍ତାକୁ ଅଗ୍ରାଧିକାର ଦିଆଯାଇଛି । କୃଷି, ସ୍ୱାସ୍ଥ୍ୟ, ଶିକ୍ଷା, ସଂସ୍କୃତି, ଦକ୍ଷତା ବିକାଶ ଆଦି କ୍ଷେତ୍ରରେ ଓଡିଶା ସରକାରଙ୍କର ବିଭିନ୍ନ ପଦକ୍ଷେପ ସମସ୍ତଙ୍କୁ ଜାଗ୍ରତ କରିବାରେ ସହାୟକ ହୋଇଛି । ମହିଳା, ଗରିବ, ଯୁବବର୍ଗ, କୃଷକ, ଶ୍ରମିକ, ବୁଣାକାର ଏବଂ କଳାକାରଙ୍କ ଆବଶ୍ୟକତାକୁ ସରକାର ପ୍ରାଥମିକତା ଦେଇ ବିଭିନ୍ନ ସରକାରୀ ଯୋଜନା ଲାଗୁ କରିଛନ୍ତି । ରାଜ୍ୟର ମହିଳାମାନଙ୍କ ଆର୍ଥିକ ଉନ୍ନତି ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିବା ସୁଭଦ୍ରା ଯୋଜନାରେ ବର୍ତ୍ତମାନ ସୁଧା ବାଲେଶ୍ୱର ଜିଲ୍ଲାର ସାଢେ ୫ ଲକ୍ଷରୁ ଅଧିକ ମହିଳା ନିଜର ନାମ ପଞ୍ଜୀକରଣ କରିଛନ୍ତି ।
ସେହି ଭଳି ମଞ୍ଚାସୀନ ଅତିଥିମାନେ ନିଜ ବକ୍ତବ୍ୟରେ ନାରୀ ସଶକ୍ତିକରଣଠାରୁ ଆରମ୍ଭ କରି ଶିଳ୍ପାୟନ, କୃଷି, ସ୍ୱାସ୍ଥ୍ୟ, ଗମନାଗମନ, ଜଳସଚେନ ଏମିତିକି ନିଯୁକ୍ତି କ୍ଷେତ୍ରରେ ସରକାରଙ୍କର ଦୁରଦୃଷ୍ଟି ସମ୍ପନ୍ନ ଯୋଜନା ବାଲେଶ୍ୱର ଜିଲ୍ଲାକୁ ବିକାଶ ପଥରେ ଆଗେଇ ନେଇପାରିଛି ବୋଲି ପ୍ରକାଶ କରିଥିଲେ I ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଓଡିଶାରେ ଲାଗୁ ହେବ। ଯାହାଫଳରେ ରାଜ୍ୟର ପ୍ରାୟ ଏକ କୋଟି ପରିବାର ଦେଶର ୨୭ ହଜାରରୁ ଉର୍ଦ୍ଧ ହସ୍ପିଟାଲରେ ନିଃଶୁକ୍ଳ ଚିକିତ୍ସାସେବା ପାଇବେ। ରାଜ୍ୟରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ଅଭାବ ଦୂର କରି ସରକାରୀ ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ବ୍ୟାପକ ସୁଧାର ଆଣିବା ପାଇଁ ରାଜ୍ୟ ସରକାର ୩ ହଜାର ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ନିଯୁକ୍ତି ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଚାଷ ଏବଂ ଚାଷୀଙ୍କର ଉନ୍ନତି ପାଇଁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟକୁ ୩୧ଶହ ଟଙ୍କାକୁ ବର୍ଦ୍ଧିତ କରାଯାଇଛି । ପିଏମ କିଷାନ ସହ ଏବେ ସିଏମ କିଷାନରେ ଚାଷିଙ୍କୁ ସହାୟତା ଦିଆଯାଉଛି । ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ସ୍ତରରେ ମଧ୍ୟ ମାଧୋ ସିଂହ ହାତ ଖର୍ଚ୍ଚ ଯୋଜନାରେ ୫ ହଜାର ଟଙ୍କାର ଆର୍ଥିକ ପ୍ରୋତ୍ସାହନ ଦିଆଯିବ ବୋଲି ଅତିଥିମାନେ ମତପ୍ରକାଶ କରିଥିଲେ। ଏହି ଅବସରରେ ୫ ଜଣ ଯୋଗ୍ୟ ହିତାଧିକାରୀଙ୍କୁ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ଅର୍ଥରାଶି ମୁଖ୍ୟ ଅତିଥିଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା
Comments are closed.