ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କ ଜିଲ୍ଲା ଗସ୍ତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାଜ୍ୟ ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଡ଼ାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ଦୁଇ ଦିନିଆ ମୟୁରଭଞ୍ଜ ଜିଲ୍ଲା ଗସ୍ତ ଅବସରରେ ବାରିପଦା ସହରର ବିଭିନ୍ନ ସ୍ଥାନ ପରିଦର୍ଶନ କରିଛନ୍ତି। ସମସ୍ୟା ନେଇ ପୂର୍ବ ଅଭିଯୋଗକ୍ରମେ ସ୍ଥିତି ଅନୁଧ୍ୟାନ କରି ସମାଧାନ ନିମନ୍ତେ ପଦକ୍ଷେପ ଗ୍ରହଣ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବାରିପଦା ପୋୖରପାଳିକା ଅନ୍ତର୍ଗତ ୱାର୍ଡ ନମ୍ବର ୧୪, ତୁଳସୀଚୌରା ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରିଥିଲେ। ଉକ୍ତ ବିଦ୍ୟାଳୟର ଗୃହ ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ବେଳେ ୨୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ମାନେ ବିପଦ ସଂକୁଳ ଅବସ୍ଥାରେ ଶିକ୍ଷା ଗ୍ରହଣ କରୁଛନ୍ତି।

ବର୍ତ୍ତମାନ ବର୍ଷା ଋତୁ ଥିବା ବେଳେ ଛାତରୁ ବର୍ଷା ପାଣି ପଡି ଶିକ୍ଷା ଗ୍ରହଣରେ ବାଧକ ସାଜିଛି। ତେଣୁକରି ନୂତନ ଗୃହ ନିର୍ମାଣ କରିବା ପାଇଁ ସ୍ଥାନୀୟ ଲୋକମାନଙ୍କ ଦାବି ରହିଥିଲା। ଏହାକୁ ନେଇ ମନ୍ତ୍ରୀ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠିଙ୍କ ଉପସ୍ଥିତିରେ ବିଦ୍ୟାଳୟର ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏଥି ସହିତ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେଙ୍କ ସହିତ ଆଲୋଚନା କରିଥିଲେ। ଟାଇଲ ଝପର ବିଦ୍ୟାଳୟ ଗୃହକୁ ତୁରନ୍ତ ଭାଙ୍ଗି ନୂତନ ଶ୍ରେଣୀ ଗୃହ ଓ ରୋଷେଇ ଘର ନିର୍ମାଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ବାରିପଦା ପୋୖରପାଳିକା ପକ୍ଷରୁ ରୋଷେଇ ଘର ସାମଗ୍ରୀ ପ୍ରଦାନ କରିବାକୁ ମଧ୍ୟ କହିଛନ୍ତି। ଉକ୍ତ ବିଦ୍ୟାଳୟ ଗୃହ ନିର୍ମାଣ କରିବା ପାଇଁ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ୨୦୨୨-୨୩ ମସିହାରେ ଓମ୍ବାଡ଼ସିକୁ ପ୍ରୋପୋଜାଲ ପଠାଯାଇଥିଲା। କିନ୍ତୁ ବର୍ତ୍ତମାନ ସୁଦ୍ଧା ସ୍ୱୀକୃତି ଅପେକ୍ଷା ପାଇଁ କାର୍ଯ୍ୟ ହୋଇପାରିନାହିଁ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ସେଠି କହିଛନ୍ତି।

ଏଥି ସହିତ ରଘୁନାଥପୁର ଅଞ୍ଚଳରେ ନୂତନ କରି ଗଢି ଉଠିଥିବା ସାହିରେ ଉପୁଜିଥିବା ବର୍ଷା ପାଣି ସମସ୍ୟାର ଅନୁଧ୍ୟାନ କରିଛନ୍ତି। ଡ୍ରେନେଜ ସମସ୍ୟା ଯୋଗୁଁ ବର୍ଷା ପାଣି ରାସ୍ତାରେ ଜମି ରହୁଥିବା ବେଳେ ସଂଯୋଗୀକରଣ ରାସ୍ତା ସମସ୍ୟା ମଧ୍ୟ ରହିଛି। ତେବେ ଏହାର ସମାଧାନ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜରାଳି ଓ ସରାଳି ନଦୀ ଗଛଲତାରେ ପୋତି ହୋଇଯାଇଥିବାରୁ ବାରିପଦା ସହରରେ ବର୍ଷା ଦିନରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥାଏ। ଏହାର ସମାଧାନ ପାଇଁ ନଦୀ ପରିସରକୁ ସଫା ସୁତୁରା କରି ରଖିବା ପାଇଁ ଜିଲ୍ଲା ପ୍ରଶାସନକୁ ମନ୍ତ୍ରୀ ଡ଼ାକ୍ତର ମହାପାତ୍ର ନିର୍ଦ୍ଦେଶ ଦେଇଥିବାର କହିଛନ୍ତି।

Leave A Reply

Your email address will not be published.