ପୋଡା ଅସ୍ତିଆ ଗ୍ରାମରେ ପାନୀୟ ଜଳ ସମସ୍ୟା ଉତ୍କଟ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଭାବେ ବାରିପଦା ପରିଗଣିତ ହେଉଥିବା ବେଳେ ପାନୀୟ ଜଳ ସମସ୍ୟା ଉତ୍କଟ ହେବାରେ ଲାଗିଛି। ପାନୀୟ ଜଳ ଯୋଗାଣ ସମସ୍ୟାକୁ ନେଇ ବାରମ୍ବାର ଅଭିଯୋଗ ପରେ ମଧ୍ୟ କୋଣସି ସମାଧାନ ହେଉନି। ଯାହାକୁ ନେଇ ପୋଡା ଅସ୍ତିଆ ଗ୍ରାମବାସୀ ମାନଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇବା ସହ ସମସ୍ୟାର ସମାଧାନ ଦାବି ଜଣାଇଛନ୍ତି। ଏନେଇ ଗୁରୁବାର ବାରିପଦା ଠାରେ ଜିଲ୍ଲାପାଳଙ୍କ ଉଦ୍ଧେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଅଭିଯୋଗ ଅନୁଯାୟୀ, ବାରିପଦା ସହର ସନ୍ନିକଟ ଶାମାଖୁଣ୍ଟା ବ୍ଲକ୍ ଅନ୍ତର୍ଗତ ବାଉଁଶବିଲ୍ଲା ଗ୍ରାମ ପଞ୍ଚାୟତ ପୋଡ଼ାଅସ୍ତିଆ ଗ୍ରାମ ୦୯, ୧୫ ଓ ୧୬ ନମ୍ବର ୱାର୍ଡର ବାସିନ୍ଦା ମାନେ ଗ୍ରୀଷ୍ମ ଋତୁ ଆରମ୍ଭରୁ ପାନୀୟ ଜଳ ସମସ୍ୟା ଦେଇ ଗତି କରୁଛନ୍ତି।

ଯାହାକୁ ନେଇ ସେମାନେ ବହୁତ ହଇରାଣ ଓ କଷ୍ଟରେ ପଡୁଛନ୍ତି। ପିଇବା ପାଣି ଗ୍ରାମରେ ନଥିବା ବେଳେ ପାଣି ମୁନ୍ଦାଇ ପାଇଁ ଅନ୍ୟ ଗ୍ରାମ ଉପରେ ନିର୍ଭର କରିବାକୁ ପଡୁଛି। ଉକ୍ତ ଅଞ୍ଚଳର ହଜାର ହଜାର ବାସିନ୍ଦା ପିଇବା ପାଣି ପାଇଁ କେବଳ ଗୋଟିଏ ନଳକୂପ ରହିଥିବା ବେଳେ କିଛି ଦିନ ହେବ ତାହା ମଧ୍ୟ ଖରାପ ହୋଇ ପଡ଼ିରହିଛି। ଯାହା ଫଳରେ ପାନୀୟ ଜଳ ଯୋଗାଣ ସମସ୍ୟା ଅତ୍ୟନ୍ତ ଉତ୍କଟ ହେବାରୁ ଗ୍ରାମବାସୀ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସମସ୍ୟାର ସମାଧାନ ପାଇଁ ସ୍ଥାନୀୟ ଜନ ପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ଅଧିକାରୀଙ୍କୁ ଗୁହାରି ଜଣାଇଥିଲେ। ତେବେ ଏହାର କୋଣସି ସୁଫଳ ହେବା ପରିବର୍ତେ ସମସ୍ୟା ଆହୁରି ଜଟିଳ ହୋଇପଡିଛି। ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ କିଛି ଦିନ ପୂର୍ବେ ବାରିପଦା-ଉଦଳା ୧୮ନମ୍ବର ରାଜ୍ୟ ରାଜପଥର ପୋଡାଅସ୍ତିଆ ଛକ ନିକଟରେ ଦୀର୍ଘ ୪ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ଗ୍ରାମବାସୀ ମାନେ ରାସ୍ତା ଅବରୋଧ କରିଥିଲେ।

ଯଥାଶୀଘ୍ର ପାନୀୟ ଜଳ ସମସ୍ୟାର ସମାଧାନ ହେବ ବୋଲି ଜିଲ୍ଲା ପ୍ରଶାସନର ଅଧିକାରୀ ପ୍ରତିଶ୍ରୁତି ଦେଇଥିଲେ। ତେବେ ପ୍ରତିଶ୍ରୁତି ଦେବାର ଅନେକ ଦିନ ବିତି ଯାଇଥିଲେ ସୁଦ୍ଧା କୋଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଉକ୍ତ ତିନି ଗୋଟି ୱାର୍ଡରେ ତିନି ଗୋଟି ସୌରଶକ୍ତି-ବୋରିଂ କିମ୍ବା ନଳକୂପ ଯୋଗାଇ ଦେବାକୁ ଦାବି ବର୍ତ୍ତମାନ ସୁଦ୍ଧା ପୂରଣ ହେଲା ନାହିଁ। ତେଣୁକରି ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ନେତ୍ରାନନ୍ଦ ମଲ୍ଲିକଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ସମସ୍ୟା ସମାଧାନ ପାଇଁ ସ୍ଥାନୀୟ ବିଡ଼ିଓ ଓ ଅନ୍ୟାନ୍ୟ ଅଧିକାରୀଙ୍କୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମଲ୍ଲିକ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଆଗକୁ ପାଣି ସମସ୍ୟାର ସମାଧାନ ନହୁଏ ସେମାନେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବେ ବୋଲି ଚେତାବନୀ ଦେଇଛନ୍ତି।

Comments are closed.