ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଟ୍ରକ ଚାଳକକୁ କଟକରୁ ଅପହରଣ କରି ମୟୁରଭଞ୍ଜରେ ଛାଡି ଦେଲେ ଦୁର୍ବୁତ୍ତ | ଲୁଟେରା ଗ୍ୟାଙ୍ଗ କଟକରୁ ଟ୍ରକ ସହ ଚାଳକକୁ ଅପହରଣ କରି ମୟୁରଭଞ୍ଜ ଜିଲ୍ଲାରେ ଛାଡି ଚାଲିଗଲେ। ଏଥି ସହିତ ଟ୍ରକରେ ଥିବା ୪୫ଲକ୍ଷ ଟଙ୍କାର ମାଛକୁ ଲୁଟି ନେଇଗଲେ। ଏହିଭଳି ଅଭାବନୀୟ ଘଟଣା ମୟୁରଭଞ୍ଜ ଜିଲ୍ଲାର ବଡ଼ସାହି ଥାନା ଅନ୍ତର୍ଗତ କାଦୁଆଲବନ୍ଧ ଅଞ୍ଚଳରେ ଘଟିଯାଇଛି। ସୂଚନା ଅନୁଯାୟୀ, ଆନ୍ଧ୍ରପ୍ରଦେଶ ରାଜ୍ୟର ନାଗା ହନୁମାନ ଟ୍ରାନ୍ସପୋର୍ଟ କମ୍ପାନୀ ଦ୍ଵାରା ଏକ ମାଛ ଭର୍ତ୍ତି ଟ୍ରକ ଜୁନ ୧୭ ତାରିଖରେ ଆନ୍ଧ୍ରପ୍ରଦେଶ ରାଜ୍ୟରୁ ପଶ୍ଚିମବଙ୍ଗ ରାଜ୍ୟର ମାଲଦା ଜିଲ୍ଲାକୁ ଆସୁଥିଲା।
ଉକ୍ତ ଟ୍ରକକୁ ହରିୟାଣା ରାଜ୍ୟର ମେୱଟ ଅଞ୍ଚଳର ଅମୀର ଖାନ ନାମକ ଚାଳକ ନେଇକି ଆସୁଥିଲେ। ତେବେ ସେ ବହୁ ସମୟ ଧରି ଗାଡି ଚଳାଇବା ପରେ ଥକି ଯାଇ ଜୁନ ୧୮ତାରିଖରେ କଟକ ଜିଲ୍ଲାର ମଙ୍ଗୁଳି ଟୋଲ ଗେଟ ନିକଟରେ ଜାତୀୟ ରାଜପଥ କଡ଼କୁ ଟ୍ରକକୁ ପାର୍କିଂ କରି ଶୋଇ ପଡ଼ିଥିଲେ। କିନ୍ତୁ ତାଙ୍କ ପ୍ରତି ହାଇୱେ ଲୁଟେରା ଗ୍ୟାଙ୍ଗର ଦୃଷ୍ଟି ଥିବା ସେ ଜାଣିନଥିଲେ। ହଠାତ ଲୁଟେରା ଗ୍ୟାଙ୍ଗର ୩/୪ଜଣ ଟ୍ରକ ଭିତରକୁ ପଶି ଆସିଥିଲେ। ଟ୍ରକ ଚାଳକ ଅମୀରଙ୍କୁ ଏକୁଟିଆ ପାଇ ପିଟାମରା କରି ଗୋଡ଼ ହାତ ବାନ୍ଧି ଟ୍ରକ ସହ ଚାଳକକୁ ଅପହରଣ କରି ନେଇ ଯାଇଥିଲେ। ତେବେ ପ୍ରାୟ ୫୦କିଲୋମିଟର ଯିବା ପରେ ଏକ ନିର୍ଜନ ସ୍ଥାନରେ ଟ୍ରକରେ ଥିବା ୪୫ଲକ୍ଷ ଟଙ୍କା ମୂଲ୍ୟର ମାଛକୁ ଲୁଟି ନେଇ ଯାଇଥିଲେ। ଏଥିପରେ ଟ୍ରକ ଚାଳକକୁ ପ୍ରବଳ ପିଟାମରା କରି ଜୀବନ ମାରିଦେବାକୁ ଉଦ୍ୟମ କରିଥିଲେ। ଏଥିପରେ ବୁଧବାର ସନ୍ଧ୍ୟା ସମୟରେ ଟ୍ରକ ସହ ଚାଳକକୁ ଆଣି କାଦୁଆଲବନ୍ଧ ଅଞ୍ଚଳରେ ଛାଡି ଯାଇଥିଲେ।
ଟ୍ରକରେ ଚାଳକକୁ ହାତ, ଗୋଡ଼, ମୁଁହ ଆଦି ବାନ୍ଧି ଏକ କଳା କାରରେ ଘଟଣାସ୍ଥଳ ଛାଡି ଫେରାର ହୋଇ ଯାଇଥିଲେ। ଚାଳକ ଜଣକ ଉପସ୍ଥିତ ବୁଦ୍ଧି ଖଟାଇ ଟ୍ରକ ହର୍ନ ଓ ଲାଇଟ ଦେଖାଇ ବାଟରେ ଯାଉଥିବା ଲୋକଙ୍କ ଦୃଷ୍ଟିରେ ଆସିବାରୁ, ସେମାନେ ତାଙ୍କୁ ଉଦ୍ଧାର କରିଥିଲେ। ସ୍ଥାନୀୟ ଲୋକମାନେ ଚାଳକକୁ ଆଣି ଚିକିତ୍ସା ବ୍ୟବସ୍ଥା କରିବା ସହ ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ବଡ଼ସାହି ଥାନା ପୁଲିସ ପହଁଚି ଚାଳକଙ୍କୁ ପଚରା ଉଚରା କରି ଟ୍ରକ ମାଲିକଙ୍କୁ ଘଟଣା ନେଇ ଖବର ଦେଇଛନ୍ତି। ଏନେଇ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ପ୍ରକ୍ରିୟା କରି ଲୁଟେରା ଗ୍ୟାଙ୍ଗକୁ ଧରିବାକୁ ପ୍ରଚେଷ୍ଟା ଜାରି ରଖିଛନ୍ତି।