ଡ୍ରାଇଭରଙ୍କ ଆନ୍ଦୋଳନ ପ୍ରତ୍ୟାହୃତ, ସମସ୍ତ ଓଡିଶାବାସୀଙ୍କୁ କ୍ଷମା ମାଗିଛନ୍ତି ଓଡିଶା ଡ୍ରାଇଭର ମହାସଂଘ ସଭାପତି

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଡ୍ରାଇଭରଙ୍କ ଆନ୍ଦୋଳନ ପ୍ରତ୍ୟାହୃତ । ଅଢେଇ ଦିନର ଛକାପଞ୍ଝା ପରେ ଆନ୍ଦୋଳନ ପ୍ରତ୍ୟାହାର କଲା ଡ୍ରାଇଭର ମହାସଂଘ । ଓଡିଶା ଡ୍ରାଇଭର ମହାସଂଘର ଆନ୍ଦୋଳନ ପ୍ରତ୍ୟାହାର ନେଇ ଫେସବୁକ ପେଜରେ ପୋଷ୍ଟ କରି ସୂଚନା ଦେଇଛନ୍ତି ଡ୍ରାଇଭର ମହାସଂଘ ସଭାପତି ପ୍ରଶାନ୍ତ ମେଣ୍ଡୁଲି । ସମସ୍ତ ଓଡିଶାବାସୀଙ୍କୁ କ୍ଷମା ମାଗିଛନ୍ତି ଓଡିଶା ଡ୍ରାଇଭର ମହାସଂଘ ସଭାପତି । ସହଯୋଗ କରିଥିବାରୁ ସେ ରାଜ୍ୟବାସୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । ସରକାର ଏବଂ ମୁଖ୍ୟ ଶାସନ ସଚିବଙ୍କ ଅପିଲକୁ ସମ୍ମାନ ଜଣାଇ ଧାରଣାରୁ ଓହରିଥିବା ସେ କହିଛନ୍ତି । …ଉଚିତ ଦରମା, ବୀମା, ୬୦ ବର୍ଷ ପରେ ଡ୍ରାଇଭରଙ୍କୁ ସୁରକ୍ଷା ଆଦି ୧୦ ଦଫା ଦାବିରେ ଆନ୍ଦୋଳନକୁ ଓହ୍ଲାଇଥିଲା ଡ୍ରାଇଭର ଏକତା ମହାମଞ୍ଚ ।

୧୦ ଦଫା ଦାବିରେ ଆଜିକୁ ତିନି ଦିନ ହେଲା ଡ୍ରାଇଭରମାନେ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଚଳାଇଥିଲେ । ପ୍ରଥମ ଦିନରେ ଆନ୍ଦୋଳନରୁ ହଟିବା ପାଇଁ ରାଜ୍ୟ ସରକାରଙ୍କ ଅନୁରୋଧକୁ ସେମାନେ ପ୍ରତ୍ୟାଖ୍ୟାନ କରିଥିଲେ । ଦ୍ୱିତୀୟ ଦିନରେ ଗତକାଲି ସଂଧ୍ୟାରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଡ୍ରାଇଭର ଏକତା ମହାସଂଘର ସ୍ୱୀକୃତି ଥିବା କିଛି ବରିଷ୍ଠ ନେତାଙ୍କ ସହ ସେମାନଙ୍କ ଦାବି ସମ୍ପର୍କରେ ଆଲୋଚନା କରିଥିଲେ । ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ମଧ୍ୟ ସେଠାରେ ଉପସ୍ଥିତ ଥିଲେ ।

ବହୁ ସମୟ ଧରି ଆଲୋଚନା ପରେ ରାଜ୍ୟ ସରକାର ୩ ମାସ ସମୟ ନେଇଥିଲେ । ୩ ମାସ ମଧ୍ୟରେ ଡ୍ରାଇଭରଙ୍କ ଦାବିଗୁଡ଼ିକୁ ସମାଧାନ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ସେମାନଙ୍କୁ ଲିଖିତ ପ୍ରତିଶ୍ରୁତି ଦେଇଥିଲେ । ଗଣମାଧ୍ୟମକୁ ମଧ୍ୟ ଏହା ଜଣାଇ ଦିଆଯାଇଥିଲା ।
ବୈଠକରେ ଡ୍ରାଇଭର ମହାସଂଘ ପକ୍ଷରୁ ପ୍ରତିନିଧିତ୍ୱ କରିଥିବା ଖୋର୍ଦ୍ଧା ଜିଲ୍ଲାର ନେତାମାନେ ସକରାତ୍ମକ ମନୋଭାବ ନେଇଥିଲେ ଏବଂ ଆନ୍ଦୋଳନରୁ ଓହରିବେ ବୋଲି ପ୍ରତିଶ୍ରୁତି ଦେଇ ଫେରିଥିଲେ । ମାତ୍ର ଗତକାଲି ରାତି ସାରା ଏହାକୁ ନେଇ ଛକାପଂଝା ଚାଲିଲା । କୁହାଯାଉଛି, ସେଥିରେ ଜୋରଦାର ରାଜନୀତି ପଶିଲା ।

ସରକାରଙ୍କ ପ୍ରତିଶ୍ରୁତି ଉପରେ ଆମର ଭରସା ନାହିଁ । ତେଣୁ ଆନ୍ଦୋଳନ ଜାରି ରହିବ ବୋଲି ମହାସଂଘ ସଭାପତି ପ୍ରଶାନ୍ତ ମେଣ୍ଡୁଲି ଆଜି ସକାଳେ ଏକ ଭିଡ଼ିଓ ଜାରି କରିଥିଲେ । ତେବେ ଅପରାହ୍ନରେ ସେହି ନିଷ୍ପତ୍ତି ବଦଳିଛି । ପୁଣି ଏକ ଭିଡିଓ ଜରିଆରେ ଆନ୍ଦୋଳନରୁ ଓହରିବା ନିଷ୍ପତ୍ତିି ଜଣାଇଛନ୍ତି । ମୁଖ୍ୟ ଶାସନ ସଚିବଙ୍କ ଲିଖିତ ପ୍ରତିଶ୍ରୁତିର ବୈଧତା ଥିବା ଓକିଲଙ୍କଠାରୁ ଜାଣିବା ପରେ ଆନ୍ଦୋଳନ ସ୍ଥଗିତ ନିଷ୍ପତ୍ତି ନିଆଯାଇଥିବା ସ୍ପଷ୍ଟୀକରଣ ଦେଇଛନ୍ତି ।

ସୂଚନାଥାଉକି, ଡ୍ରାଇଭରଙ୍କ ଆନ୍ଦୋଳନର ତୃତୀୟ ଦିନରେ ଆଜି ମଧ୍ୟ ବିଭିନ୍ନ ସ୍ଥାନରେ ସଙ୍କଟଜନକ ପରିସ୍ଥିତି ସୃଷ୍ଟି ହୋଇଥିଲା । ପରିବହନ ବ୍ୟବସ୍ଥା ଠପ୍ ହୋଇଥିବାରୁ ବଜାରରେ ପନିପରିବାଠାରୁ ଆରମ୍ଭ କରି ଅତ୍ୟାବଶ୍ୟକ ସାମଗ୍ରୀ ସଙ୍କଟର ଅନିଶ୍ଚିତତା ସୃଷ୍ଟି ହୋଇଥିଲା । ପେଟ୍ରୋଲ୍ ନ ମିଳିବା ଆଶଙ୍କାରେ ପେଟ୍ରୋଲ୍ ଟାଙ୍କି ଆଗରେ ଲୋକଙ୍କ ଲମ୍ବା ଲାଇନ୍ ଦେଖିବାକୁ ମିଳିଥିଲା ।
ଅନ୍ୟପକ୍ଷରେ ଡ୍ରାଇଭରଙ୍କ ଆନ୍ଦୋଳନକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ରାଜ୍ୟ ବିଜେପିର ସମର୍ଥନ ବିଜେଡି ପାଇଁ ରାଜନୈତିକ ଚାଲେଞ୍ଜ ସୃଷ୍ଟି କରିଥିଲା । ଉଭୟ ପକ୍ଷରୁ ଏହାକୁ ପାରିବାପଣିଆ ଓ ଇଜ୍ଜତର ପ୍ରଶ୍ନ ବୋଲି ଧରି ନିଆଯାଇଥିବା ଚର୍ଚ୍ଚା ହୋଇଥିଲା । ଗତକାଲିଠାରୁ ରାଜନୈତିକ ମହଲରେ ଏହା କମ୍ପନ ସୃଷ୍ଟି କରିଥିଲା ।

ଆଜି ବିଧାନସଭାରେ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ବିବୃତ୍ତି ରଖି ଡ୍ରାଇଭରଙ୍କ ସହଯୋଗ ଲୋଡ଼ିଥିଲେ । ସେପଟେ ମୁଖ୍ୟ ଶାସନ ସଚିବ ଏବଂ ଡିଜି ଏକ ବୈଠକ କରି ପରିସ୍ଥିତିର ମୁକାବିଲା ଯୋଜନା କରିଥିଲେ । ଡ୍ରାଇଭରଙ୍କ ଆନ୍ଦୋଳନରେ ଅଣଡ୍ରାଇଭର ପଶି ହିଂସାକାଣ୍ଡ ସୃଷ୍ଟି କରିବାକୁ ଉଦ୍ୟମ ହେଉଥିବାରୁ ମୁଖ୍ୟ ସଚିବ ଚେତାବନୀ ଦେଇଥିଲେ । ଆନ୍ଦୋଳନରୁ କ୍ଷାନ୍ତ ହୁଅନ୍ତୁ ଏବଂ ଅପ୍ରୀତିକର ପରିସ୍ଥିିତି ସୃଷ୍ଟି କରନ୍ତୁ ନାହିଁ ବୋଲି ସେ ମହାସଂଘକୁ ଅପିଲ୍ କରିଥିଲେ ।

ପୁଲିସ ଡିଜି ସୁନୀଲ ବଂଶଲ ମଧ୍ୟ କଡ଼ା ଆଭିମୁଖ୍ୟ ଦେଖାଇଥିଲେ । ରାଜ୍ୟ ସରକାରଙ୍କ ପ୍ରତିଶ୍ରୁତି ସତ୍ତ୍ୱେ ଆନ୍ଦୋଳନ ଚଳାଇବା ବେଆଇନ । କାଲି ପୁଲିସକୁ ଆକ୍ରମଣ ହୋଇଛି, ଆଇନକୁ ହାତକୁ ନିଆଯାଇଛି । ଏହାର ପୁନରାବୃତ୍ତି ହେଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିଜି ସତର୍କ କରାଇଥିଲେ ।

Leave A Reply

Your email address will not be published.