ଉପଭୋକ୍ତାଙ୍କ ଉପରେ ପଡ଼ିପାରେ ବୋଝ, ପୁଣି ବଢ଼ିପାରେ ବିଜୁଳି ଦର

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  ପୁଣି ବଢ଼ିପାରେ ବିଜୁଳି ଦର । ଉପଭୋକ୍ତାଙ୍କ ଉପରେ ପଡ଼ିପାରେ ବୋଝ । ବିଜୁଳି ଦର ବଢାଇବାକୁ ଦାବି କରିଛି ଗ୍ରୀଡ଼କୋ । ଗତ ୧୫ ତାରିଖରୁ ଓଆଇଆରସି ପକ୍ଷରୁ ଜନ ଶୁଣାଣି ଆରମ୍ଭ ହୋଇଥିବା ବେଳେ OPGC, OHPC,OPTCL, GRIDCOର ଜନ ଶୁଣାଣି ସରିଛି । ଆଜି ଜନଶୁଣାଣିରେ ଗ୍ରୀଡ଼କୋ ତରଫରୁ ୨୦ ପ୍ରତିଶତ ଦର ବୃଦ୍ଧି କରିବାକୁ ଦାବି ରଖାଯାଇଛି । ୨୮ ତାରିଖରେ ଶୁଣାଣି ସରିବା ପରେ ପରବର୍ତ୍ତୀ ସମୟରେ ବିଜୁଳି ଦର ବଢ଼ିବ ନା ନାହିଁ ଜଣାପଡ଼ିବ । ସେପଟେ ବିଦ୍ୟୁତ ଦର ବୃଦ୍ଧି ନ କରିବାକୁ ଦାବି କରିଛି ସମାଜବାଦୀ ପାର୍ଟି । ଏହି ଦାବିରେ ଭୁବନେଶ୍ୱର ସ୍ଥିତ ଓଇଆରସି କାର୍ଯ୍ୟାଳୟ ଆଗରେ ସମାଜବାଦୀ ପାର୍ଟି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ଆସନ୍ତା ୨୮ ତାରିଖ ଯାଏ ଓଇଆର୍‌ସି ନିକଟରେ ବିଭିନ୍ନ କମ୍ପାନୀର ଆବେଦନ ଉପରେ ଶୁଣାଣି ହେବ। ପ୍ରଥମ ଦିନରେ ଓଡ଼ିଶା ଜଳ ବିଦ୍ୟୁତ୍‌ ନିଗମ (ଓଏଚ୍‌ଆର୍‌ସି) ଏବଂ ଓଡ଼ିଶା ପାଓ୍ବାର ଜେନେରେଶନ କର୍ପୋରେଶନ (ଓପିଜିସି)ର ଶୁଣାଣି କରାଯାଇଛି। ଆଜିଠାରୁ ଟାଟା ପାଓ୍ବାର ବଣ୍ଟନ କମ୍ପାନୀ ଦେଇଥିବା ପ୍ରସ୍ତାବ ଉପରେ ଶୁଣାଣି କରାଯାଇଛି। ଓଏଚ୍‌ପିସି ଓଇଆର୍‌ସି ନିକଟରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ୫୬୧୯.୨୪ ନିୟୁତ ୟୁନିଟ୍‌ ବିଦ୍ୟୁତ୍‌ ବିକ୍ରି କରିବାକୁ ପ୍ରସ୍ତାବ ଦେଇଛି।

ସୂଚନାଯୋଗ୍ୟ, ଘରୋଇ ଉପଭୋକ୍ତାଙ୍କୁ ୫୦ ୟୁନିଟ୍‌ ପର୍ଯ୍ୟନ୍ତ ୩ ଟଙ୍କା ଦେବାକୁ ପଡୁଛି। ଏହାପରେ ୫୦ରୁ ୨୦୦ ୟୁନିଟ୍‌ ପାଇଁ ୟୁନିଟ୍‌ ପିଛା ୪ଟଙ୍କା ୮୦ ପଇସା, ୨୦୦ରୁ ୪୦୦ ୟୁନିଟ୍‌ ପାଇଁ ୟୁନିଟ୍‌ ପିଛା ୫ଟଙ୍କା ୮୦ ଓ ୪୦୦ରୁ ଅଧିକ ପାଇଁ ୟୁନିଟ୍‌ ପିଛା ୬ ଟଙ୍କା ୨୦ ପଇସା ଦେବାକୁ ପଡୁଛି। ତେବେ ମିଳିଥିବା ସୂଚନା ଅନୁଯାୟୀ, କମିଶନ ୟୁନିଟ୍‌ ପିଛା ୧୦ରୁ ୨୦ ପଇସା ବୃଦ୍ଧି କରିବା ସମ୍ଭାବନା ରହିଛି। ଏହି ଦର ବୃଦ୍ଧିକୁ ବିଭିନ୍ନ ସଙ୍ଗଠନ ପକ୍ଷରୁ ବିରୋଧ କରାଯାଉଛି।।

 

Leave A Reply

Your email address will not be published.