ମାହାଙ୍ଗା ଡବଲ ମର୍ଡର: ଆଜୀବନ ଜେଲ୍ ଦଣ୍ଡାଦେଶ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ମାମଲାର ଆଜି ରାୟ ପ୍ରକାଶ ପାଇଛି। ମାହାଙ୍ଗା ଡବଲ ମର୍ଡର ମାମଲାରେ ସାଲେପୁର ଏଡିଜେ ୯ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ତେବେ ପ୍ରମାଣ ଅଭାବରୁ ଜଣେ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ୨୦୨୧ ମସିହା ଜାନୁଆରୀ୨ ତାରିଖରେ ସନ୍ଧ୍ୟାରେ ମହାଙ୍ଗାରର ବରିଷ୍ଠ ବିଜେପି ନେତା କୁଳମଣି ବରାଳ (୭୫) ଓ ସଂପର୍କୀୟ ଦିବ୍ୟ ସିଂହ ବରାଳ( ୮୨)ଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ଭିତ୍ତି କରି ଏହି ହତ୍ୟାକାଣ୍ଡ ହୋଇଥିବା ବେଳେ ମାମଲାରେ ୧୩ ଜଣଙ୍କ ନାଁରେ ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ୍ ଏହି ଘଟଣାରେ ୧୦ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ୱାଳ ଫେରାର ଥିଲା। ଏକ ଟ୍ରକ ଦୁର୍ଘଟଣାରେ ଗତ ଫେବ୍ରୁଆରୀରେ ତାଙ୍କର ସନ୍ଦେହଜନକ ମୃତ୍ୟୁ ହୋଇଥିଲା। ମାହାଙ୍ଗା ଡବଲ ମର୍ଡର ଘଟଣାରେ ତତକାଳୀନ ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ବିରୋଧରେ କଗନିଜାନ୍ସ ଗ୍ରହଣ କରିଛନ୍ତି କୋର୍ଟ । ଫଳରେ ତାଙ୍କ ପାଇଁ ଅଡ଼ୁଆ ସୃଷ୍ଟି କରିଛି । ସାଲେପୁର ଜେଏମଏଫସି କୋର୍ଟ ଶ୍ରୀ ଜେନାଙ୍କ ବିରୋଧରେ ଆଇପିସିର ଦଫା ୩୦୨, ୧୨୦-ବି, ୫୦୬ରେ କଗନିଜାନ୍ସ ଗ୍ରହଣ କରିଛନ୍ତି ।

ପୂର୍ବରୁ ଏହି ମାମଲାରେ ଶ୍ରୀ ଜେନାଙ୍କ ବିରୋଧରେ ବିଚାରଯୋଗ୍ୟ ପ୍ରମାଣ ରହିଥିବା ଦର୍ଶାଇ ମାମଲାକୁ ସାଂସଦ ଓ ବିଧାୟକଙ୍କ ମାମଲା ବିଚାର ପାଇଁ ଗଠିତ ଭୁବନେଶ୍ବର ଅତିରିକ୍ତ ଦୌରା ଜଜ୍ ତଥା ସ୍ବତନ୍ତ୍ର ଅଦାଲତକୁ ସ୍ଥାନାନ୍ତର ପାଇଁ ସାଲେପୁର ଜେଏମଏଫସି ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ମାମଲାରେ କଗନିଜାନ୍ସ ଗ୍ରହଣ କରାଯାଇ ନଥିଲା । ଏଭଳି ସ୍ଥିତିରେ ମାମଲାର ରେକର୍ଡ ଭୁବନେଶ୍ବର ସ୍ବତନ୍ତ୍ର ଅଦାଲତଙ୍କୁ ହସ୍ତାନ୍ତର ହୋଇ ପାରି ନଥିଲା । ସାଲେପୁର ଜେଏମଏଫସି ଅଦାଲତ ପୁଣି ମାମଲାର ଶୁଣାଣି କରି ଅଭିଯୋଗକାରୀ ଓ ସାକ୍ଷୀଙ୍କ ବୟାନ, ଅନ୍ୟ ଉପଲବ୍ଧ ରେକର୍ଡରୁ ଶ୍ରୀ ଜେନାଙ୍କ ବିରୋଧରେ ଆଇପିସିର ଦଫା ୩୦୨, ୧୨୦-ବି, ୫୦୬ରେ ଆପାତ ମାମଲା ହେଉଛି ବୋଲି କହିବା ସହିତ କଗନିଜରନ୍ସ ଗ୍ରହଣ କରିଥିଲେ । ଶ୍ରୀ ଜେନାଙ୍କ ବିରୋଧରେ ମାମଲ ଚାଲିବା ପାାଇଁ ଆଇନ ଆପାତ ପ୍ରମାଣଯୋଗ୍ୟ ଉପାଦାନ ରହିଛି । ତେଣୁ ଶ୍ରୀ ଜେନାଙ୍କୁ ସମନ ଜାରି ପାଇଁ ଆବଶ୍ୟକ ନଥିପତ୍ର ଦାଖଲ ପାଇଁ ଅଭିଯୋଗକାରୀଙ୍କୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.