ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାଜ୍ୟରେ ଗତ କିଛି ଦିନ ହେବ ଲାଗି ରହିଥିବା ଲଗାଣ ବର୍ଷା ହେତୁ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା ନଦୀ। ମଥାନୀ ଠାରେ ବିପଦ ସଂକେତ ୫.୫୦ମିଟର ଥିବା ବେଳେ ସକାଳ ୬ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୬.୨୨ ମିଟରରେ ପ୍ରବାହିତ ହେଉଛି | ଆଜି ସକାଳ ୮ ଟା ସୁଦ୍ଧା ବସ୍ତା ବ୍ଲକର ମଥାନି ଠାରେ ନଦୀର ଜଳପତ୍ତନ ୬.୩୦ ମିଟର ରେ ପ୍ରବାହିତ ହେଉଛି।
ଏଠାରେ ବିପଦ ସଙ୍କେତ ୫.୫୦ ମିଟର ରହିଛି। ଗତ ୩ ଦିନ ଧରି ନଦୀର ଉପରମୁଣ୍ଡରେ ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁଁ ଏପରି ବନ୍ୟା ପରିସ୍ଥିତି। ଉପରମୁଣ୍ଡ କୁହାଯାଉଥିବା ରାସଗୋବିନ୍ଦପୁର ବ୍ଲକ ଇଲାକାରେ ୧୨୮ ଏମଏମ ମୋରଡ଼ା ବ୍ଲକରେ ୫୩ ଏମଏମ ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଏସବୁ ବର୍ଷା ପାଣି ନଦୀକୁ ନିଷ୍କାସିତ ହେଉଥିବାରୁ ଗତକାଲି ରାତିରୁ ନଦୀର ଜଳ ପତ୍ତନ ବଢ଼ିବାକୁ ଲାଡିଥିଲା। ଜଳକା ନଦୀର ଉପର ମୁଣ୍ଡ ମୟୂରଭଞ୍ଜ ଜିଲ୍ଲାର ଶୁଳିଆପଦା, ମୋରଡା, ଚିତ୍ରଡା, ରାସଗୋବିନ୍ଦପୁର ଅଞ୍ଚଳରେ ପ୍ରବଳ ବର୍ଷା କାରଣରୁ କ୍ରମଶଃ ବଢୁଛି ନଦୀର ଜଳସ୍ତର।
ବର୍ତ୍ତମାନ ବନ୍ୟା ପରିସ୍ଥିତି ଉପୁଜିଲେ ଏବେ ରୁଆ ଯାଇଥିବା ଧାନ ତଳି ସବୁ ପଚି ଯିବା ସମେତ ବସ୍ତା ଏବଂ ସଦର ବ୍ଲକର ପାଖାପାଖି ପଞ୍ଚାୟତର ଚାଷ କ୍ଷତି ହେବାର ଆଶଙ୍କା କରାଯାଉଛି । ସୂଚନାଯୋଗ୍ୟ, ରାଜ୍ୟରେ ଲଘୁଚାପ ପ୍ରଭାବରେ ବର୍ଷା ଲାଗି ରହିଛି। ଲଗାଣ ବର୍ଷା ଯୋଗୁ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଉଛି।