ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ମୌସୁମୀ ପ୍ରଭାବରେ ଆସାମରେ ପ୍ରଳୟଙ୍କାରୀ ବନ୍ୟା । ରାଜ୍ୟରେ କ୍ରମାଗତ ଭାବେ ବର୍ଷା ଯୋଗୁଁ ନଦୀରେ ବନ୍ୟା ସୃଷ୍ଟି ହୋଇ ବିଭିନ୍ନ ସ୍ଥାନ ଜଳମଗ୍ନ ହୋଇଛି ।
ଉତ୍ତର-ପୂର୍ବ ଆସାମର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଯୋଗୁଁ ବର୍ତ୍ତମାନ ସୁଦ୍ଧା ପ୍ରାୟ ୫ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ବନ୍ୟା ଯୋଗୁଁ ରାଜ୍ୟରେ ସାଂଘାତିକ ସ୍ଥିତି ଦେଖିବାକୁ ମିଳିଛି । ଆଗକୁ ଆହୁରି ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଆସାମରେ ମୌସୁମୀ ଜନିତ ବର୍ଷା ଯୋଗୁଁ ବ୍ରହ୍ମପୁତ୍ର ସମେତ ରାଜ୍ୟର ପ୍ରମୁଖ ନଦୀରେ ବନ୍ୟାଜଳ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ଫଳରେ ବିଭିନ୍ନ ସ୍ଥାନରେ ଭୟଙ୍କର ବନ୍ୟା ସ୍ଥିତି ଦେଖାଦେଇଛି । ପ୍ରାୟ ୧୬ ଜିଲ୍ଲାର ଅଧିକାଂଶ ଅଞ୍ଚଳ ବୁଡ଼ି ରହିଛି । ତେବେ ଆସନ୍ତା କିଛିଦିନ ମଧ୍ୟରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏହାର ପ୍ରଭାବରେ ନଦୀରେ ଜଳସ୍ତର ଆହୁରି ବୃଦ୍ଧି ପାଇବାର ଆଶଙ୍କା ରହିଛି ।
ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ରିପୋର୍ଟ ଅନୁଯାୟୀ, ଗୁରୁବାର ସନ୍ଧ୍ୟା ପର୍ଯ୍ୟନ୍ତ ବନ୍ୟା ଯୋଗୁଁ ୪.୯୫ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ଉଦଲଗୁରି ଜିଲ୍ଲାର ତାମୁଲପୁରରେ ବନ୍ୟା ଜଳରେ ଭାସି ଜଣଙ୍କ ମୃତ୍ୟୁ ଘଟିଛି । ଅନ୍ୟପଟେ ନେମାଟି ଘାଟ ଏବଂ ଧୁବରିରେ ବ୍ରହ୍ମପୁତ୍ର ନଦୀରେ ବନ୍ୟାଜଳ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବା ବେଳେ ବନ୍ୟାସ୍ଥିତି ଅତି ଗମ୍ଭୀର ହୋଇଥିବା କେନ୍ଦ୍ରୀୟ ଜଳ ଆୟୋଗ ପକ୍ଷରୁ ସୂଚନା ଦିଆଯାଇଛି । ବର୍ତ୍ତମାନ ରାଜ୍ୟରେ ବର୍ଷା ଜାରି ରହିବା ସହ ଆଗାମୀ ଦିନରେ ବର୍ଷାର ପରିଣାମ ବୃଦ୍ଧି ପାଇବାକୁ ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କେତେକ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି କେତେକ ସ୍ଥାନରେ ପ୍ରବଳ ବର୍ଷା ହେବା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି । ରାଜ୍ୟର ୧୬ଟି ଜିଲ୍ଲା ବନ୍ୟା ଦ୍ବାରା ପ୍ରଭାବିତ ହୋଇଛି ।
ବିଶେଷ କରି ସୋନିତପୁର, ବୋଙ୍ଗାଇଗାଓଁ, ଦରାଙ୍ଗ, ଧୁବରି, ଲକ୍ଷ୍ମୀପୁର, ମୋରିଗାଓଁ, ନଳବାଡ଼ି, ଦକ୍ଷିଣ ସାଲମାରା ଏବଂ ଉଦଲଗିରିରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଏଥି ମଧ୍ୟରେ ସର୍ବାଧିକ ବାଜାଲି ଜିଲ୍ଲାର ୨.୬୦ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି ।ବୋଙ୍ଗାଇଗାଓଁ ଏବଂ ଦିମା ହସାଓରେ ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳ ଘଟିଥିବାର ସୂଚନା ମିଳିଛି । ବନ୍ୟା ପ୍ରଭାବରେ ଅନେକ ରାସ୍ତା, ପୋଲ ଏବଂ ହେକ୍ଟର ହେକ୍ଟର ଚାଷଜମି ନଷ୍ଟ ହୋଇଛି ।
ବାରପେଟା, ଦରାଙ୍ଗ, ଜୋରହାଟ ଆଦି ଜିଲ୍ଲାର ସହରାଞ୍ଚଳର ଅନେକ ସ୍ଥାନ ଜଳବନ୍ଦୀ ହୋଇ ରହିଛି । ଲକ୍ଷାଧିକ ଲୋକ ବନ୍ୟାପାଣି ଘେରରେ ରହିଥିବା ବେଳେ ପାରାମିଲିଟାରି ଫୋର୍ସ, ଏନଡିଆରଏଫ, ଏସଡିଆରଏଫ ଓ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ଟିମ, ଅଗ୍ନିଶମ ବାହିନୀ ପକ୍ଷରୁ ରେସ୍କ୍ୟୁ ଅପରେସନ ଜାରି ରହିଛି ।
୭ ଜିଲ୍ଲାର ମୋଟ ୮୩ଟି ରିଲିଫ କ୍ୟାମ୍ପରେ ୧୪,୦୦୦ରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ଅନ୍ୟ ୭୯ଟି ରିଲିଫ ବଣ୍ଟନ କେନ୍ଦ୍ର ମଧ୍ୟ କାର୍ଯ୍ୟକ୍ଷମ ରହିଛି ।