ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଆସାମ ପାଇଁ ଅଭିଷାପ ପାଲଟିଛି ବନ୍ୟା ଓ ଭୁସ୍ଖଳନ । ପୁଣି ଆସାମରେ ଦେଖାଦେଇଛି ବନ୍ୟା ବିପତ୍ତି । ପୁଣିଥରେ ଆସାମରେ ବନ୍ୟା ସ୍ଥିତି ଉପୁଜିଛି । ପ୍ରବଳ ବର୍ଷା କାରଣରୁ ଆସାମର ଗୌହାଟୀ ସହ ବିଭିନ୍ନ ସ୍ଥାନରେ ଲୋକମାନେ ଜଳବନ୍ଦୀ ହୋଇଛନ୍ତି । ଖାଲି ସେତିକି ନୁହେଁ ଆସାମର କିଛି ଅଞ୍ଚଳରେ ଭୂସ୍ଖଳନ ମଧ୍ୟ ହୋଇଛି । ବୋରାଗାରରେ ଭୂସ୍ଖଳନ ହେବା କାରଣରୁ ୪ଜଣଙ୍କ ମୃତ୍ୟୁ ହୋଇଛି ।
ପ୍ରବଳ ବର୍ଷା କାରଣରୁ ୭ଟି ଜିଲ୍ଳାର ପ୍ରାୟ ୮ହଜାର ଲୋକ ଜଳବନ୍ଦୀ ହୋଇ ରହିଛନ୍ତି । ଆସାମର ଢେମାଜି, ଦିବ୍ରୁଗଡ, ନାଲବରି ଓ ଦକ୍ଷିଣ ସାଲମା ଜିଲ୍ଲା ବେଶୀ ପ୍ରଭାବିତ ହୋଇଛି । ଲଗାତର ବର୍ଷା କାରଣରୁ ରାସ୍ତା ଉପରେ ପାଣି ଚାଲୁଛି । ଗାଡ଼ି ମଟର ଗୁଡ଼ିକ ମଧ୍ୟ ଭାସୁଥିବା ଦେଖିବାକୁ ମିଳୁଛି । କେତେକ ସ୍ଥାନରେ ରାସ୍ତା ଉପରେ ୩ ଫୁଟ ଉଚ୍ଚର ପାଣି ମଧ୍ୟ ପ୍ରବାହିତ ହେଉଛି । ଯାହାଫଳରେ ଲୋକମାନେ ନାହିଁନଥିବାର ହଇରାଣ ହେଉଛନ୍ତି ।
ଗତ ୬ ସପ୍ତାହରେ ଆସାମରେ ଦ୍ୱିତୀୟ ଥର ପାଇଁ ବନ୍ୟା ପରିସ୍ଥିତି ଉପୁଜିଛି । ବିଭିନ୍ନ ନଦୀର ଜଳସ୍ତର ବଢ଼ୁଥିବାରୁ ଲୋକମାନଙ୍କୁ ସୁରକ୍ଷୀତ ସ୍ଥାନ ସ୍ଥାନାନ୍ତରଣ କରାଯାଉଛି । ଉଦ୍ଧାର କାର୍ଯ୍ୟ ପାଇଁ ପ୍ରଶାସନ ସମ୍ପୂର୍ଣ୍ଣ ରୂପେ ସଜାଗ ରହିଛି । କୌଣସି ବ୍ୟାପକ କ୍ଷୟକ୍ଷତି ଯେପରି ନ ହୁଏ ସେଥିପ୍ରତି ସ୍ଥାନିୟ ପ୍ରଶାସନ ନଜର ରଖିଛି ।