ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବନ ବିଭାଗ ବଡ଼ ଧରଣର ସଫଳତା ମିଳିଛି। ବିଶ୍ଵସ୍ଥସୂତ୍ରରୁ ଖବର ପାଇ ମିଳିତ ଭାବେ ବନ ବିଭାଗ ଟିମ ଚଢ଼ାଉ କରି ୫ଗୋଟି ହାତୀଦାନ୍ତ ଜବତ ସହ ୭ଜଣ ଅଟକ ରଖି ତଦନ୍ତ ପ୍ରକ୍ରିୟା ଜାରି ରଖିଛନ୍ତି। ଏନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଦକ୍ଷିଣ ବନଖଣ୍ଡ ଉପ ନିର୍ଦ୍ଦେଶକ ସମ୍ରାଟ ଗୌଡା ସୂଚନା ପ୍ରଦାନ କରିଛନ୍ତି। ଅଟକ ୭ଜଣ ହେଲେ କପ୍ତିପଦା ଥାନା ଅନ୍ତର୍ଗତ ବିଦ୍ୟାଧରନଗର ଅଞ୍ଚଳର ନଉରୀ ସିଂ(୭୦), ମହୁଲବରେଇ ଅଞ୍ଚଳର ବିରଭଦ୍ର ସିଂ(୪୨), ମହୁଲପଙ୍ଖା ଅଞ୍ଚଳର ନିତ୍ୟାନନ୍ଦ ଗାଗରାଇ(୨୭), ଉଦଳା ଥାନା ଅନ୍ତର୍ଗତ ଗୋବରାଷୋଳ ଅଞ୍ଚଳର ସାମଲ ସିଂ(୩୫), ବାଲେଶ୍ଵର ଜିଲ୍ଲାର ବରହମପୁର ଥାନା ଅନ୍ତର୍ଗତ ଯମୁନା ଅଞ୍ଚଳର ନିରଞ୍ଜନ ବେହେରା(୪୬), କାଦୁଆଣି ଅଞ୍ଚଳର ଅଜୟ ବାରିକ(୪୪) ଏବଂ ଔପଦା ଥାନା ଅନ୍ତର୍ଗତ ବେତେଇ ଅଞ୍ଚଳର ସୁନିଲ କୁମାର ହୋ(୨୯)।
ଏମାନେ ଶିମିଳିପାଳ ଅଭୟାରଣ୍ୟରୁ ହାତୀ ଶିକାର କରି ୫ଗୋଟି ହାତୀ ଦାନ୍ତ କାଟି ନେଇଥିଲେ। ତାହାକୁ ବିକ୍ରି କରିବା ନେଇ ଚେଷ୍ଟା କରୁଥିବା ନେଇ ବନ ବିଭାଗକୁ ବିଶ୍ଵସ୍ଥସୂତ୍ରରୁ ଖବର ମିଳିଥିଲା। ଏନେଇ ଉପ ନିର୍ଦ୍ଦେଶକ ଶ୍ରୀ ଗୌଡା ବଡ଼ ଧରଣର ଚଢ଼ାଉ କରି ହାତୀଦାନ୍ତ ଜବତ କରିବା ନେଇ ରୂପରେଖ ପ୍ରସ୍ତୁତ କରିଥିଲେ। ପୂର୍ବ ଯୋଜନା ମୁତାବକ ବାରିପଦା ବନଖଣ୍ଡ ଅଧିକାରୀ ଏ ଉମା ମହେଶଙ୍କ ସମେତ ଅନ୍ୟ ବନ କର୍ମଚାରୀ ମାନଙ୍କୁ ନେଇ ଏକ ସ୍ଵତନ୍ତ୍ର ଟିମ ଶରତ ଥାନା ଅନ୍ତର୍ଗତ ରଜତନଗର ଅଞ୍ଚଳରେ ଚଢାଉ କରିଥିଲେ। ଚଢ଼ାଉ ବେଳେ ଘରୁ ୫ଖଣ୍ଡ ହାତୀ ଦାନ୍ତ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ଥିବା ସାତ ଜଣ ଧରିଥିବାରେ ସଫଳ ହୋଇଥିଲେ।
୭ଜଣକୁ ବନବିଭାଗ ପକ୍ଷରୁ ଅଟକ ରଖାଯାଇ ଅଧିକ ତଦନ୍ତ ପ୍ରକ୍ରିୟା ଜାରି ରଖିଛନ୍ତି। କପ୍ତିପଦା ବନ ରେଞ୍ଜ କାର୍ଯ୍ୟାଳୟରେ ବନ ବିଭାଗ ଆଇନ ଅନୁଯାୟୀ ଏକ ମାମଲା ରୁଜୁ କରି ସେମାନଙ୍କୁ ପଚରା ଉଚରା କରାଯାଉଛି। ହାତୀ ଦାନ୍ତ ଶିକାର ଓ ବିକ୍ରି ନେଇ ଚେର କେତେ ପର୍ଯ୍ୟନ୍ତ ଲମ୍ବିଛି ସେନେଇ ବନ ବିଭାଗ ପକ୍ଷରୁ ଅନ୍ୟ ସମ୍ପୃକ୍ତଙ୍କୁ ଗିରଫ କରିବା ପାଇଁ ପ୍ରୟାସ କରାଯାଇଛି। ଅନ୍ୟପଟେ ଏନେଇ ଗୁରୁବାର ସାମ୍ବାଦିକ ସମ୍ମିଳନୀ ଜରିଆରେ ବନ ବିଭାଗ ପକ୍ଷରୁ ସବିଶେଷ ତଥ୍ୟ ପ୍ରଦାନ କରାଯିବ ବୋଲି କୁହାଯାଇଛି।