ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ନୀୟତିର ବିଚାର ଆଗରେ ସମସ୍ତେ ଶକ୍ତିହୀନ।କପାଳରେ ନିୟତି ଯାହା ଲେଖିଛି ତାକୁ ବା କିଏ ବଦଳାଇ ପାରିବ। ଏଇ ଦେଖନ୍ତୁ ବୟସର ଅପରାହ୍ନରେ ପହଞ୍ଚି ସାରିଥିବା ବାପାମାଆଙ୍କ ଦୁଃଖ ଲାଘବ କରିବାପାଇଁ ଭେଣ୍ଡିଆ ପୁଅ ଦାଦନ ଖଟିବାକୁ ଯାଇଥିଲା ବାହାରକୁ। ବେଶ କିଛିଦିନ କାମକରି ବାପାମାଆଙ୍କ ସାହାରା ପାଲଟିଥିଲା। ହେଲେ ଏତେ ସୁଖ ସହିଲେନି ଭଗବାନ। ଅଳ୍ପ ଦିନରେ ପାଣି ଫୋଟକା ଭଳି ସବୁ ମିଳେଇଗଲା । ଆଉ ଦେହ ଅସୁସ୍ଥ ହେବାରୁ କର୍ମ ଭୂମିରୁ ଜନ୍ମ ଭୂମିକୁ ଫେରିଲା ଭେଣ୍ଡିଆ ପୁଅ। ସବୁ ଚିକିତ୍ସା ପରେ ବି ପିଛାଛାଡୁନି ରୋଗ ଯନ୍ତ୍ରଣା। ବୃଦ୍ଧାବସ୍ଥାର ଆଶାଭରସା ଓ ସାହାରା ଭେଣ୍ଡିଆ ପୁଅର ଚିକିତ୍ସା ପାଇଁ ସବୁ ବିକିଭାଙ୍ଗି ସାରିଲେଣି ଅସହାୟ ବୃଦ୍ଧ ବାପା ମାଆ। ଏବେ ନିରୁପାୟ। ଗାଁ ଲୋକଙ୍କ ସାହାଯ୍ୟ ସହଯୋଗରେ ଜଳୁଛି ଚୁଲି ପେଟକୁ ଯାଉଛି ଦାନା।
ପୁଅକୁ ଅଧିକ ଚିକିତ୍ସା ଆବଶ୍ୟକ ଥିଲା ବେଳେ ଅର୍ଥ ସାଜିଛି ବାଧକ। ସରକାରଙ୍କ ସହିତ ସହୃଦୟବାନ ଲୋକ ଏବଂ ସ୍ବେଛସେବୀ ସଙ୍ଗଠନର ସାହାଯ୍ୟ ସହଯୋଗ ଅପେକ୍ଷାରେ ଅନେଇ ବସିଛନ୍ତି ବାପା, ମାଆ | ନିଜ ପାଇଁ ନୁହେଁ ପୁଅ ପୁଅର ଚିକିତ୍ସା ପାଇଁ | ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ ଅଁଳାଯୋଡ଼ି ଗ୍ରାମରେ | ଗରିବ ଖଟିଖିଆ ବାପା,ମାଆ ଓ ଏକମାତ୍ର ପୁଅକୁ ନେଇ ହସ ଖୁସିର ସଂସାର | ହଠାତ ତାଙ୍କ ପରିବାର ଉପରେ ମାଡି ଆସିଲା କଳାବାଦଲ ପୁଅର ପେଟରେ ଜମିବାକୁ ଲାଗିଲା ପାଣି ବାପାଙ୍କର ଯାହା ସମ୍ବଳ ଥିଲା ଖର୍ଚ୍ଚ କରି ପୁଅର ଚିକିତ୍ସା କଲେ ହେଲେ କୌଣସି ସୁଫଳ ମିଳିଲା ନାହିଁ | ଘରର ଦୟନୀୟ ସ୍ଥିତି ପାଇଁ ୪ ବର୍ଷ ପୂର୍ବେ ଦାଦନ ଖଟିବାକୁ ବାହାରକୁ ଯାଇଥିଲେ ସତ୍ୟବାନ। ତେବେ ସେଠାରେ ହଠାତ ଦେହଖରାପ ହେବାରୁ ଘରକୁ ଆସି ଡାକ୍ତରଙ୍କୁ ଦେଖାଇଥିଲେ । ହୃଦୟ ଜନିତ ସମସ୍ୟା ଥିବା ଜଣାପଡ଼ିବାରୁ ଭୁବନେଶ୍ଵରର ଏକ ଘରୋଇ ଡାକ୍ତରଖାନାରେ ଅସ୍ତ୍ରୋପଚାର ବି ହୋଇଥିଲା। ଏଥିପାଇଁ ବିଜୁ ସ୍ବାସ୍ଥ୍ୟ କାର୍ଡରେ ଅଢ଼େଇଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ତେବେ ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ଯୋଗୁଁ କିଛିଦିନ ପରେ ପେଟରେ ପାଣି ଜମିବା ସହ ଅସ୍ଵାଭାବିକ ଭାବେ ପେଟ ବଢ଼ିବାକୁ ଲାଗିଲା ।
ବିଜୁ ସ୍ୱାସ୍ଥ୍ୟ କାର୍ଡରୁ ଟଙ୍କା ସରିଯିବାରୁ ଡାକ୍ତର ପୁଅକୁ ଅଧା ଚିକିତ୍ସାରୁ ଫେରାଇ ଦେଲେ ବୋଲି କୋହଭରା କଣ୍ଠରେ କହିଛନ୍ତି ମା’ ସଞ୍ଜନା | ଏକମାତ୍ର ପୁଅକୁ ଭଲ କରିବା ପାଇଁ ଯାହାକିଛି ସମ୍ପତ୍ତି ଥିଲା ସବୁ ବିକ୍ରି କରି ସରିଲୁଣି। ଏବେ ହାତରେ ଆଉ କିଛି ବି ସମ୍ବଳ ନାହିଁ । ପ୍ରତି ଦିନରେ ଥରେ ପୁଅର ପେଟରୁ ପାଣି କଢ଼ା ଚାଲିଛି। ଯେଉଁ ବୟସରେ ଭେଣ୍ଡିଆ ପୁଅ ଆମ ସେବା କରିବା କଥା ସେ ପୁଅ ଏବେ ଶଯ୍ୟାଶାୟୀ ହୋଇଛି ବୋଲି କହି ଆଖିରୁ ଲୁହ ଗଡ଼ାଉଛନ୍ତି ବାପା ବୀରୁ ଏବେ ଗାଁ ଲୋକଙ୍କ ସହାୟତାରେ ଚାଲୁଛି ସେମାନଙ୍କ ପରିବାର । ଗରିବ ଅସହାୟ ବାପାମାଆର ଏକମାତ୍ର ଆଶାବାଡ଼ି ରୋଜଗାରିଆ ପୁଅର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଗାଁ ସାହିପୋଡିଶା ସମର୍ଥ୍ୟ ଅନୁଯାଇ ସାହାଯ୍ୟ ସହଯୋଗ କରୁଛନ୍ତି ହେଲେ ପୁଅର ଚିକିତ୍ସା ପାଇଁ ଅଧିକ ଟଙ୍କା ଦରକାର ହେଉଥିବାରୁ ସରକାରଙ୍କୁ ହାତପତାଇ ଛନ୍ତି ଅସହାୟ ମାଆ ଏବଂ ଗ୍ରାମବାସୀ। ତେବେ ମାନ୍ୟବର ମୁଖ୍ୟମନ୍ତ୍ରୀ ମହୋନ ମାଝୀ ମହୋଦୟ ହସ୍ତକ୍ଷେପ କରି ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ପଦକ୍ଷେପ ଗ୍ରହଣ କରିବେ ବୋଲି ଆଶା ଓ ବିଶ୍ୱାସ ରଖିଛନ୍ତି।