ଆଗକୁ ବଢ଼ିବ ବିକାଶ: ସମୀକ୍ଷା କଲେ ଅଭିଯୋଗ ଶୁଣିଲେ ମନ୍ତ୍ରୀ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଲୋକଙ୍କ ପ୍ରଶଂସାରେ ପୋତି ହୋଇ ଯାଉଛନ୍ତି ମୋରଡ଼ା ନିର୍ବାଚନ ମଣ୍ଡଳୀ ବିଧାୟକ ତଥା ମନ୍ତ୍ରୀ ଡ଼ା.କୃଷ୍ଣଚନ୍ଦ୍ର ମହାପାତ୍ର। ଦର୍ଶକିୟ ଆଦୃତି ଲାଭ କରିଥିବା ବ୍ଲକବଷ୍ଟର ହିନ୍ଦୀ ଚଳଚ୍ଚିତ୍ର ‘ନାୟକ’ର ମୁଖ୍ୟମନ୍ତ୍ରୀ ଷ୍ଟାଇଲରେ ଆସୁଛନ୍ତି ବିଭିନ୍ନ ବିଭାଗୀୟ କାର୍ଯ୍ୟକ୍ରମର ସମୀକ୍ଷା କରିବା ସହିତ ତରାନ୍ୱିତ କରିବାକୁ ପରାମର୍ଶ ଦେଇ ପରେ ଲୋକଙ୍କ ଅଭାବ ଅସୁବିଧା ସମ୍ବନ୍ଧୀୟ ଅଭିଯୋଗ ଶୁଣି ତୁରନ୍ତ ସମାଧାନ ପାଇଁ ନିର୍ଦ୍ଦେଶ ଦେଇ ଲୋକଙ୍କ ମନ ଜିଣିବାରେ ସଫଳ ହେଉଥିବା ଲକ୍ଷ୍ୟ କରାଯାଉଛି।ତେବେ ମୟୂରଭଞ୍ଜ ଜିଲ୍ଲା ମୋରଡା ନିର୍ବାଚନ ମଣ୍ଡଳୀର ଶୁଳିଆପଦା ବ୍ଲକ ଗସ୍ତରେ ଆସି ପ୍ରଥମ ପର୍ଯ୍ୟାୟରେ ବିଭିନ୍ନ ବିଭାଗକୁନେଇ ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିବା ସହିତ ସାଧାରଣ ଲୋକଙ୍କ ଅଭିଯୋଗ ଶୁଣିଲେ ନଗର ଉନ୍ନୟନ ମନ୍ତ୍ରୀ ଡ଼ା.କୃଷ୍ଣଚନ୍ଦ୍ର ମହାପାତ୍ର । ବ୍ଲକ ପରିସରରେ ପହଞ୍ଚିବା ପରେ ବ୍ଲକ ପ୍ରଶାସନ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିବା ସହିତ ବ୍ଲକ କନଫରେନ୍ସ ହଲରକୁ ପାଛୋଟି ନେଇଥିଲେ ବ୍ଲକ ପ୍ରଶାସନ । ବିଡିଓ ଅନୁପମା ଘୋଷଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଥିବା ସମୀକ୍ଷା ବୈଠକରେ ଡିଆରଡିଏ ପିଡି ରଜନୀ କାନ୍ତ ସ୍ବାଇଁ, ତସିଲଦାର ସହିତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଥିଲା ।

ପ୍ରଥମେ ମାନ୍ୟବର ମନ୍ତ୍ରୀ ତାଙ୍କ ବକ୍ତବ୍ଯରେ ସରକାରଙ୍କ ଲୋକାଭିମୁଖି ଯୋଜନା ସାଧାରଣ ଜନତାଙ୍କ ପାଖରେ କିପରି ପହଞ୍ଚିବ ସେନେଇ ସମସ୍ତ ଅଧିକାରୀଙ୍କୁ ଯତ୍ନବାନ ହୋଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ନିର୍ବାଚନ ସମୟରେ ଗାଁ ଗାଁରେ ପ୍ରଚାର କରୁଥିବା ସମୟରେ ପିଇବା ପାଣି ଓ ରାସ୍ତା ସମସ୍ଯାକୁ ସ୍ବଚକ୍ଷୁରେ ଦେଖିଥିଲେ ବୋଲି ମତରଖି ସେନେଇ ସାଧାରଣ ଲୋକଙ୍କ ଅଭିଯୋଗ ଶୁଣିବା ପରେ ତତ୍କାଳୀନ ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ତାଗିଦ କରିବା ସହିତ ସାତଦିନ ମଧ୍ୟରେ ଲୋକଙ୍କ ସମସ୍ଯା ସମାଧାନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ମନ୍ତ୍ରୀ ବ୍ଲକକୁ ଯିବା ସମୟରେ ଅଚାନକ କୋଷ୍ଠା ହାଇସ୍କୁଲକୁ ପରିଦର୍ଶନ କରି ପିଲାଙ୍କ ଶୌଚାଳୟ ଅପରିଷ୍କାର ଥିବା ସହିତ ଦୁର୍ଗନ୍ଧ ପ୍ରବଳ ହେଉଥିବା ଜାଣି ଉଦବେଗ ପ୍ରକାଶ କରି ବିଭାଗୀୟ ଅଧିକାରୀକୁ ଦୁଇଦିନ ମଧ୍ୟରେ ଦେଖାଦେଉଥିବା ସମସ୍ଯାର ସମାଧାନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ଉପସ୍ଥିତ ସରକାରୀ ଅଧିକାରୀମାନଙ୍କ ଉଦ୍ଦେଶ୍ୟରେ କହିଥିଲେ ଏ ସରକାର ଲୋକଙ୍କ ସରକାର ସାଧାରଣ ଲୋକଙ୍କ କାମ କରିବା ପାଇଁ ଲୋକେ ମୋତେ ଆଶୀର୍ବାଦ କରିଛନ୍ତି । ଲୋକଙ୍କ ସେବା ପାଇଁ ମୁଁ ଦିନରାତି ଏକ କରିଦେବି । ସମସ୍ତ ଅଧିକାରୀଙ୍କୁ କହିଥିଲେ ଯେ ଏସି ଘରେ ନ ବସି ସପ୍ତାହକୁ ଗୋଟିଏ ଦିନ ଫିଲ୍ଡ ପରିଦର୍ଶନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ଯେଉଁଠି କୌଣସି କାର୍ଯ୍ୟର ଆବଶ୍ୟକତା ରହିଛି ବୋଲି ଆମେ ଅନୁଭବ କରିବୁ ସେଠି ନିଶ୍ଚିତ ଭାବେ କାର୍ଯ୍ୟ ତ୍ୱରାନ୍ୱିତ କରାଯିବ । ସମସ୍ତ ବିଭାଗର ସମୀକ୍ଷା ସରିଲା ପରେ ସାଧାରଣ ଲୋକଙ୍କ ସମସ୍ୟା ଶୁଣିଥିଲେ ଓ ବିଭାଗୀୟ ଅଧିକାରୀଙ୍କୁ ସମାଧାନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ମନ୍ତ୍ରୀ ଲୋକଙ୍କ ସମସ୍ୟାର ସମାଧାନ ଦିଗରେ ଦେଖାଉଥିବା ଆନ୍ତରିକତା ଏବଂ ଅଙ୍ଗୀକାରବଦ୍ଧତା ମୋରଡ଼ା ନିର୍ବାଚନ ମଣ୍ଡଳୀକୁ ନିଶ୍ଚିତ ଆଗକୁ ବାଟ କଢ଼ାଇନେବା ସହ ବିକାଶଧାରାରେ ଯୋଡ଼ିବ ବୋଲି ସାଧାରଣ ଜନତାଙ୍କ ମନରେ ବିଶ୍ୱାସ ସୃଷ୍ଟି କରୁଥିବା ଅନୁଭବ ହେଉଛି।ତେବେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀଙ୍କ କାର୍ଯ୍ୟ କରିବାର ଶୈଳିକୁ ସାଧାରଣ ଜନତାଙ୍କ ନିକଟତର ହେବା ସହିତ ଜନସମସ୍ୟାର ସମାଧାନକୁ ଗୁରୁତ୍ୱ ଦେଉଥିବା ଦେଖିବାକୁ ମିଳିଥିଲା । ଯାହାକୁନେଇ ସାଧାରଣ ଲୋକମାନେ ଖୁସିବ୍ଯକ୍ତ କରିବା ସହିତ କହିଥିଲେ ଯେ ନାୟକ ଚଳଚ୍ଚିତ୍ରର ମୁଖ୍ୟମନ୍ତ୍ରୀ ପରି କାର୍ଯ୍ୟ କରୁଛନ୍ତି ଆମ ବିଧାୟକ ତଥା ମନ୍ତ୍ରୀ ଡ଼ା. କୃଷ୍ଣଚନ୍ଦ୍ର ମହାପାତ୍ର ।

Leave A Reply

Your email address will not be published.