ଆହୁରି ବଢିବ ତାତି, ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କଲେ ଅତିରିକ୍ତ ମୁଖ୍ୟ ଶାସନ ସଚିବ

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ପ୍ରବଳ ତାତିରେ ସିଝୁଚି ଓଡଶା। ଆଗକୁ ଆହୁରି ବଢିବ ତାତି। ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ସ୍ୱତନ୍ତ୍ର ରିଲିଫ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି । ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ରାଜ୍ୟରେ ଆଗାମୀ ୪ରୁ ୫ ଦିନ ପାଇଁ ତାପମାତ୍ରା ବୃଦ୍ଧିଯୋଗୁ ଗ୍ରୀଷ୍ମପ୍ରବାହ ଅନୁଭୂତ ହେବ। ଅନୁଗୁଳ , ବୌଦ୍ଧ, ବଲାଙ୍ଗିର, ବରଗଡ଼, ଭଦ୍ରକ, କଟକ, ଦେଓଗଡ଼, ଢେଙ୍କାନାଳ, ଗଜପତି, ଜଗତସିଂହପୁର, ଝାରସୁଗୁଡ଼ା, କଳାହାଣ୍ଡି, କନ୍ଧମାଳ, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, କେନ୍ଦୁଝର, ମାଲକାନଗିରି, ମୟୂରଭଞ୍ଜ, ନୟାଗଡ଼, ନୂଆପଡ଼ା, ସମ୍ବଲପୁର, ସୋନପୁର ଓ ସୁନ୍ଦରଗଡ଼ ଜିଲ୍ଲାରେ ତାପମାତ୍ରା ଅଧିକ ହେବାର ସମ୍ଭାବନା ଅଛି।

ଏହାକୁ ଦୃଷ୍ଟିରେ ରଖି ପରିସ୍ଥିତିର ସଫଳ ମୁକାବିଲା ନିମନ୍ତେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳର ସମସ୍ତ ବଜାର, ବସ୍‌ଷ୍ଟାଣ୍ଡ ଓ ଜନଗହଳିପୂର୍ଣ୍ଣ ସ୍ଥାନମାନଙ୍କରେ ପାନୀୟଜଳ ସେବା କେନ୍ଦ୍ରର ବ୍ୟବସ୍ଥା କରାଯିବ।

ଏହା ସହିତ ଜଳକ୍ଲିଷ୍ଟ ଅଞ୍ଚଳମାନଙ୍କରେ ଟ୍ୟାଙ୍କର ମାଧ୍ୟମରେ ପାନୀୟଜଳ ଯୋଗାଣର ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।ସମସ୍ତ ନଳକୂପ ଏବଂ ପାଇପ ଯୋଗେ ଜଳଯୋଗାଣ ବ୍ୟବସ୍ଥାଗୁଡ଼ିକର ତୁରନ୍ତ ମରାମତି କରି ସେଗୁଡ଼ିକୁ ଶତପ୍ରତିଶତ କାର୍ଯ୍ୟକ୍ଷମ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ସମୟରେ ବସ୍‌ ଓ ଅନ୍ୟାନ୍ୟ ଯାତ୍ରୀବାହୀ ଯାନଗୁଡ଼ିକରେ ପାନୀୟଜଳ ଓ ଓଆର୍‌ଏସ୍‌ ମହଜୁଦ୍‌ ରଖିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି। କାର୍ଯ୍ୟସ୍ଥଳୀମାନଙ୍କରେ ବିଶ୍ରାମ ନେବା ପାଇଁ ଅସ୍ଥାୟୀ ଆଶ୍ରୟସ୍ଥଳୀ ସହିତ ଯଥେଷ୍ଟ ପରିମାଣର ପାନୀୟ ଜଳ ଏବଂ ଓଆର୍‌ଏସ୍‌ ପ୍ୟାକେଟ୍‌ ମହଜୁଦ ରଖାଯିବ।

ଗୃହପାଳିତ ପଶୁପକ୍ଷୀ ଓ ବନ୍ୟଜନ୍ତୁମାନଙ୍କ ପାଇଁ ସ୍ୱତନ୍ତ୍ର ଜଳପୂର୍ଣ୍ଣ ପାତ୍ର/କୁଣ୍ଡର ବ୍ୟବସ୍ଥା ନିମନ୍ତେ ଆବଶ୍ୟକୀୟ ନିର୍ଦ୍ଦେଶ ଦିଆଯାଇଛି। ନିରବଚ୍ଛିନ୍ନ ବିଦୁ୍ୟତ ସରବରାହ ସଠିକ୍‌ ଭାବେ କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଦିନ ୧୧ ଘଟିକାଠାରୁ ୩ ଘଟିକା ମଧ୍ୟରେ ଟାଣ ଖରାରେ ପଦାକୁ ନବାହାରିବା, ଖରାରେ କଠିନ ପରିଶ୍ରମ ନକରିବା, ଜରୁରୀ କାମରେ ବାହାରକୁ ଯିବାକୁ ହେଲେ ପାଣିବୋତଲ, କଳା ଚଷମା, ଚପଲ, ହାଲୁକା ଏବଂ ଢିଲା ପୋଷାକ ପରିଧାନ କରିବା, ମୁଣ୍ଡରେ ଓଦା ଗାମୁଛା ଏବଂ ଛତା ବ୍ୟବହାର କରିବା ପାଇଁ ପରାମର୍ଶ ଦିଆଯାଇଛି।

Leave A Reply

Your email address will not be published.