ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଦୁର୍ଗନ୍ଧରେ ଫାଟୁଛି କ୍ୟାପିଟାଲ୍ ହସ୍ପିଟାଲ୍ । ଚାରିଆଡେ ପଡ଼ିଛି ଆବର୍ଜନା । କ୍ୟାପିଟାଲ୍ ହସ୍ପିଟାଲ୍ ସଫେଇ କର୍ମଚାରୀଙ୍କ ଆନ୍ଦୋଳନଙ୍କ ଯୋଗୁ ଉପୁଜିଛି ଏମିତି ସ୍ଥିତି । ଯେଉଁଠି ଦେଖ ପଡିରହିଛି ଅଳିଆ, ସିରିଞ୍ଜ । ଡଷ୍ଟବିନ୍ ପୂରିଗଲାଣି । ଅଳିଆରୁ ଗନ୍ଧ ବି ଆସିଲାଣି । ସେଠି ସେମିତି ଅସ୍ବାସ୍ଥ୍ୟକର ପରିବେଶ ଭିତରେ ରୋଗୀଙ୍କୁ ଦେଖୁଛନ୍ତି ଡାକ୍ତର ଓ ନର୍ସ ।
ଗତକାଲିଠାରୁ କ୍ୟାପିଟାଲ ହସ୍ପିଟାଲ ସଫେଇ କର୍ମଚାରୀ ଆନ୍ଦୋଳନ ଚଳାଇଛନ୍ତି । ପୂଜା ବୋନସ୍ ସହ ୨୬ ଦିନ ବଦଳରେ ୩୦ ଦିନର ଦରମା ଦାବିରେ ଆନ୍ଦୋଳନରେ ବସିଛନ୍ତି ହସ୍ପିଟାଲ୍ର ସଫେଇ କର୍ମଚାରୀ । ବାସ୍ତବରେ କ୍ୟାପିଟାଲ୍ ହସ୍ପିଟାଲ୍ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ସଫେଇ କର୍ମଚାରୀ । ଯାହାଫଳରେ ହସ୍ପିଟାଲରେ ସଫେଇ କାମ ସଂପୂର୍ଣ୍ଣ ଠପ୍ ହୋଇଯାଇଛି । ଫଳରେ ଦୁର୍ଗନ୍ଧ ଓ ଅପରିଷ୍କାର ପରିବେଶ ଭିତରେ ଚାଲିଛି ରୋଗୀ ସେବା ।
ଦାବି ପୂରଣ ନହେବା ଯାଏଁ ଆନ୍ଦୋଳନରୁ ଉଠବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି ସଫେଇ କର୍ମଚାରୀ । ଏନେଇ କ୍ୟାପିଟାଲ୍ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ । ସେପଟେ ଘଟଣାକୁ ନେଇ ସଫେଇ କର୍ମଚାରୀ ଯୋଗାଇ ଦେଇଥିବା ଠିକା ସଂସ୍ଥାକୁ ଚିଠି ଲେଖିଛନ୍ତି ହସ୍ପିଟାଲ ନିର୍ଦ୍ଦେଶକ । ଯଥାଶୀଘ୍ର ଏହି ଘଟଣାର ସମାଧାନ କର ବୋଲି ଚିଠିରେ ଉଲ୍ଲେଖ ରହିଛି ।
Comments are closed.