ପୁରୀ(ଓଡ଼ିଆ ନ୍ୟୁଜ୍): ସାମ୍ୟ ଓ ମୈତ୍ରୀର ପ୍ରତୀକ ଶ୍ରୀଜଗନ୍ନାଥ ଓ ବଳଦେବଙ୍କ ଗେହ୍ଲି ଭଉଣୀ ଦେବୀ ସୁଭଦ୍ରା । ଯେଉଁ ରଥରେ ବିରାଜମାନ କରି ସେ ମାଉସୀ ଘର ବୁଲିଯାଆନ୍ତି ସେ ରଥର ନାମ ଦେବଦଳନ ବା ଦର୍ପଦଳନ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ନନ୍ଦିଘୋଷ ଓ ବଡ଼ ଦିଅଁ ବଳଦେବଙ୍କ ରଥ ତାଳଧ୍ୱଜ ପରି ଦେବୀ ସୁଭଦ୍ରାଙ୍କ ରଥ ଦେବଦଳନର ମଧ୍ୟ ରହିଛି ସ୍ୱତନ୍ତ୍ର ମାହାତ୍ମ୍ୟ। ଦର୍ପ ବା ଗର୍ବକୁ ଯେ ଭାଙ୍ଗେ ତାହାକୁ ଦର୍ପଦଳନ କୁହାଯାଏ। ସେଇଥି ପାଇଁ ତ ଦେବୀ ସୁଭଦ୍ରା ରଥରେ ବସି ଲୋକଙ୍କ ମିଛ ଗର୍ବ, ଅଭିମାନ ଭାଙ୍ଗିବାକୁ ବର୍ଷକୁ ଥରେ ନୀଳକନ୍ଦରରୁ ବଡ଼ଦାଣ୍ଡକ ଓହ୍ଲେଇ ଆସିଥାନ୍ତି। ଏହି ରଥର ଗଠନ ଶୈଳୀ ବି ଅନ୍ୟ ଦୁଇ ରଥ ଠାରୁ ସମ୍ପୂର୍ଣ୍ଣ ଭିନ୍ନ। ରଥରେ ମୋଟ୍ ୭୧୧ ଖଣ୍ଡ କାଠ ବ୍ୟବହୃତ ହୋଇଥାଏ। ୧୨ ଟି ଚକ ବିଶିଣ୍ଟ ଏହି ରଥରେ ପ୍ରତିଟି ଚକର ବ୍ୟାସର ଆକାର ୬ ଫୁଟ୍। ଏହି ରଥର ଉଚ୍ଚତା ୪୪ ଫୁଟ୍ ୦୬ ଇଞ୍ଚ୍। ଏହାର ରକ୍ଷକ ହେଉଛନ୍ତି ଜୟଦୁର୍ଗା। ସେହିପରି ଦ୍ୱାରପାଳ ହେଉଛନ୍ତି ଗଙ୍ଗା ଓ ଯମୁନା।
ଦେବୀ ସୁଭଦ୍ରାଙ୍କ ରଥର ସାଥୀ ହେଉଛନ୍ତି ଅର୍ଜୁନ। ରଥର ଅସ୍ତ୍ର ହେଉଛି ପଦ୍ମ ଓ କହ୍ଲାର। ଏହି ରଥରେ ୪ଟି ଘୋଡ଼ା ଯଚା ହୋଇଥାନ୍ତି। ଏହି ଘୋଡ଼ାର ନାଁ ହେଉଛି ରୋଚିକା, ମୋଚିକା, ଜିତା ଓ ଅପରାଜିତା। ଦେବୀର ରଥର ସମସ୍ତ ଘୋଡ଼ାଙ୍କ ରଙ୍ଗ ନାଲି। ଏହି ରଥର ଦଉଡ଼ି ନାଁ ହେଉଛି ସ୍ୱର୍ଣ୍ଣଚୂଡ଼। ଭୁବନେଶ୍ୱରୀ ଓ ଚକ୍ରା ହେଉଛନ୍ତି ରଥର ଶକ୍ତି। ଦେବୀ ସୁଭଦ୍ରାଙ୍କ ରଥର ରଙ୍ଗ ନାଲି ଓ କଳା। ରଥର ପତାକାର ନାଁ ହେଉଛି ନାଦମ୍ବିକା। ରଥରେ ବିମଳା, ବନଦୁର୍ଗା, ବାରାହୀ, ଚାମୁଣ୍ଡା, ଭୁବନେଶ୍ୱରୀ, ହରଚଣ୍ଡୀ, ଜୟଦୁର୍ଗା, ସର୍ବ ମଙ୍ଗଳା, ଉଗ୍ରତାରା ପ୍ରମୁଖ ପାର୍ଶ୍ୱ ଦେବାଦେବୀ ରହିଛନ୍ତି। ଦର୍ପ ଦଳନ ରଥରେ ଋଷି ସମୂହଙ୍କ ମଧ୍ୟରେ ଅଛନ୍ତି ଭୃଗୁ, ସୁପ୍ରଭା, ବଜ୍ର, ଶୃଙ୍ଗି, ଧ୍ରୁବ ଓ ଉଲ୍ଲୁକ। ଆଗରେ ବଡ଼ ଭାଇ ବଳଭଦ୍ର ତା’ ପରେ ଦ୍ୱିତୀୟରେ ଦେବୀ ସୁଭଦ୍ରା ଓ ସର୍ବ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଘଣ୍ଟ, ଘଣ୍ଟା, ଶଙ୍ଖ, ତୁରୀ ନାଦରେ ଗହଳି ଲଗାଇ ଜନ୍ମବେଦୀକୁ ବିଜେ କରିଥାଆନ୍ତି । ଏହା ଥିଲା ଦେବୀ ସୁଭଦ୍ରାଙ୍କ ରଥର ସ୍ୱତନ୍ତ୍ରତା ।