ଓଡ଼ିଆ ନ୍ୟୁଜ୍: ଛତିଶଗଡ଼ ଧମତରୀରେ ୯ ନକ୍ସଲଙ୍କ ଆତ୍ମସମର୍ପଣ। ଆତ୍ମସମର୍ପଣ କରିଥିବା ୯ ନକ୍ସଲଙ୍କ ମଧ୍ୟରେ ଅଛନ୍ତି ୭ ମହିଳା। କିଛି ଓଡ଼ିଶା ଷ୍ଟେଟ୍ କମିଟି ସଦସ୍ୟ ମଧ୍ୟ ଥିବା ସୂଚନା। ଆଇଜି ଅମରେଶ ମିଶ୍ରାଙ୍କ ଉପସ୍ଥିତିରେ ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ। ୯ ନକ୍ସଲଙ୍କ ମୁଣ୍ଡରେ ଥିଲା ୪୭ ଲକ୍ଷ ଟଙ୍କାର ପୁରସ୍କାର ରାଶି।
ଆତ୍ମସମର୍ପଣ କରିଥିବା ଏହି ୯ ଜଣ ନକ୍ସଲଙ୍କ ମଧ୍ୟରେ ୭ ଜଣ ମହିଳା ଏବଂ ୨ ଜଣ ପୁରୁଷ କ୍ୟାଡର ସାମିଲ ଅଛନ୍ତି । ଏମାନଙ୍କ ମଧ୍ୟରୁ ଅନେକ ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ଥିବା ଧମତରୀ-ଗରିଆବନ୍ଦ-ନୂଆପଡ଼ା (DGN) ଡିଭିଜନରେ ସକ୍ରିୟ ଥିଲେ । ସରକାରଙ୍କ ପକ୍ଷରୁ ଏହି ନକ୍ସଲମାନଙ୍କ ମୁଣ୍ଡ ଉପରେ ମୋଟ୍ ୪୭ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ସରକାରଙ୍କ ପୁନର୍ବାସ ନୀତିରେ ଅନୁପ୍ରାଣିତ ହୋଇ ଏହି ମାଓବାଦୀ ମାନେ ଜଙ୍ଗଲ ଜୀବନ ଓ ହିଂସାକାଣ୍ଡ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି ।
ରାୟପୁର ରେଞ୍ଜ ଆଇଜିଙ୍କ ସୂଚନା ଅନୁଯାୟୀ, ରାୟପୁର ସମ୍ଭାଗର ଧମତରୀ ଏବଂ ଗରିଆବନ୍ଦ ଜିଲ୍ଲାରେ ଏବେ ଆଉ କୌଣସି ସୂଚୀବଦ୍ଧ ନକ୍ସଲ ସକ୍ରିୟ ନାହାନ୍ତି । ଫଳରେ ଏହି ସମ୍ପୂର୍ଣ୍ଣ ଅଞ୍ଚଳକୁ ଏବେ ‘ନକ୍ସଲ ମୁକ୍ତ’ ଘୋଷଣା କରାଯାଇଛି । ସେମାନଙ୍କ ପାଖରୁ ଇନସାସ୍ (INSAS) ଏବଂ SLR ରାଇଫଲ୍ ଭଳି ମାରାତ୍ମକ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରାଯାଇଛି । ପୋଲିସର ଏହି ସଫଳତା ପରେ ନକ୍ସଲ ସଂଗଠନକୁ ଏକ ବଡ଼ ଝଟକା ଲାଗିଛି ।