ହାଥରସ ଦଳାଚକଟା: ୨୦ ସେବକ ଗିରଫ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଉତ୍ତରପ୍ରଦେଶର ହାଥରସରେ ହୋଇଥିବା ଦଳଚକଟା ମାମଲାରେ ବଡ଼ ଆକ୍ସନ ନେଇଛି ପୁଲିସ। ଏହି ମାମଲାରେ ପୁଲିସ ୨୦ ସେବାଦାରଙ୍କୁ ଗିରଫ କରିଛି। ସେମାନଙ୍କୁ ପଚରାଉଚରା ଜାରି ରହିଛି। ସୂଚନା ମୁତାବକ,  ମଙ୍ଗଳବାର ହାଥରସରେ ଭୋଲେ ବାବା ଆୟୋଜିତ ହୋଇଥିବା ସତ୍‌ସଙ୍ଗରେ ଦଳାଚକଟା ହୋଇ ୧୨୧ ଜଣ ପ୍ରାଣ ହରାଇଛନ୍ତି। ଏହି ପୂରା ମାମଲାରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ଯୋଗୀ ସରକାର। ମାମଲାର ତଦନ୍ତ ପାଇଁ ପୁଲିସ ୭ଟି ଟିମ୍‌ ଗଠନ କରିଛି।

ଏହି ଟିମ୍‌ ଏବେ ନାରାୟଣ ହରି ଓରଫ ଭୋଲେ ବାବାଙ୍କ ମୁଖ୍ୟ ସେବାଦାର ବେଦପ୍ରକାଶ ମଧୁକରଙ୍କୁ ଖୋଜୁଛି। ସେ ବର୍ତ୍ତମାନ ଫେରାର ଅଛନ୍ତି। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ହାଥ୍‌ରସ ଯାଇ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଆହତମାନଙ୍କୁ ଭେଟିଛନ୍ତି। ସେମାନଙ୍କ ସ୍ବାସ୍ଥ୍ୟ ସଂକ୍ରାନ୍ତରେ ଯୋଗୀ ପଚାରି ବୁଝିଛନ୍ତି ଏବଂ ସେମାନଙ୍କୁ ସର୍ବୋତ୍ତମ ଚିକିତ୍ସା ଦେବାପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଯୋଗୀ ମଧ୍ୟ ଘଟଣାକୁ ଭଲଭାବେ ସମୀକ୍ଷା କରିବାପାଇଁ ବରିଷ୍ଠ ଅଧିକାରୀମାନଙ୍କର ଏକ ବୈଠକ କରିଛନ୍ତି। ଏହି ମାମଲାରେ ଅତ୍ୟନ୍ତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ଏବଂ କେହି ବି ଛାଡ଼ ପାଇବେ ନାହିଁ ବୋଲି ସେ କହିଛନ୍ତି।

ମୃତକଙ୍କ ମଧ୍ୟରେ ୬ ଜଣ ଅନ୍ୟ ରାଜ୍ୟର ଏବଂ ସେମାନଙ୍କ ମଧ୍ୟରୁ ୪ ଜଣ ହରିୟାଣାର ହୋଇଥିବା ବେଳେ ମଧ୍ୟପ୍ରଦେଶ, ରାଜସ୍ଥାନରୁ ଜଣେ ଲେଖାଏଁ ଅଛନ୍ତି। ମଙ୍ଗଳବାର ହାଥରସ୍ ଫୁଲୁରୀ ଗାଁରେ ମାନବ ମଙ୍ଗଳ ମିଳନ ସଦଭାବନା ସମାଗମ କମିଟି ପକ୍ଷରୁ ବିଶ୍ୱହରି ବାବା ଓରଫ ଭୋଲେ ବାବାଙ୍କ ସତସଙ୍ଗ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ହଜାର ହଜାର ସଂଖ୍ୟାରେ ଲୋକ ଅଂଶଗ୍ରହଣ କରିଥିଲେ। ତେବେ ସତସଙ୍ଗ ସରିବା ପରେ ଦୌଡାଦୌଡି ଓ ଦଳଚକଟା ସ୍ଥିତି ଉପୁଜିଥିଲା। ଏଥିରେ ବର୍ତ୍ତମାନ ସୁଦ୍ଧା ୧୨୧ ଜଣଙ୍କ ମୃତ୍ୟୁ ହୋଇଛି।

Leave A Reply

Your email address will not be published.